ବିଦୁରଙ୍କ ସ୍ମୃତି କହେ ଓ‌ଳକଣା ମେଳଣ

ମହାଭାରତରେ ଏପରି ଜଣେ ବ୍ୟକ୍ତି ଥିଲେ ଯିଏ କି ସଂସାରର କୌଣସି ବସ୍ତୁକୁ ନିଜର ବୋଲି କହୁ ନ ଥିଲେ। ସବୁ ହେଉଛି ଈଶ୍ବରଙ୍କର ଏବଂ ମୁଁ କେବଳ ଏହାର ପ୍ରହରୀ ବୋଲି ସେ ଭାବି ନେଇଥିଲେ। ‘ମୁଁ ’ ଏବଂ ‘ମୋର’ ଭାବନା ତାଙ୍କ ମଧ୍ୟରେ ନ ଥିଲା। ଏହି ବ୍ୟକ୍ତି ଜଣକ ହେଉଛି ବାସୁଦେବଙ୍କର ଏକନିଷ୍ଠ ଭକ୍ତ ବିଦୁର। ଜୀବନ ପ୍ରତି ବ୍ୟକ୍ତିର ଦୃଷ୍ଟିଭଙ୍ଗୀ କିପରି ହେବା ଉଚିତ ତାହାର ସୁନ୍ଦର ଉଦାହରଣ ହେଉଛନ୍ତି ବିଦୁର।

ମହାଭାରତ ଯୁଦ୍ଧ ଏଡ଼ାଇବା ନିମନ୍ତେ ଦୁର୍ଯ୍ୟୋଧନଙ୍କୁ ସାକ୍ଷାତ କରିବା ଲାଗି ଶ୍ରୀକୃଷ୍ଣ ପାଣ୍ଡବମାନଙ୍କର ଦୂତ ଭାବେ ହସ୍ତିନାର ରାଜସଭାକୁ ଯାଇଥାଆନ୍ତି। ତାଙ୍କର ଉଦ୍ଦେଶ୍ୟ ଥିଲା ଦୁର୍ଯ୍ୟୋଧନକୁ ବୁଝାଇ ପାଣ୍ଡବମାନଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଇବା। କୃଷ୍ଣଙ୍କ ରଥ ହସ୍ତିନା ରାଜମାର୍ଗରେ ଯାଉଥିବା ସମୟରେ ସବୁ ପ୍ରାସାଦ ସମ୍ମୁଖରେ କିଛି ସମୟ ଅଟକିଯାଉଥିଲା। କାରଣ ଶ୍ରୀକୃଷ୍ଣ ହସ୍ତିନା ଦାଣ୍ଡରେ ଯାଉଥିବାରୁ ତାଙ୍କୁ ଦର୍ଶନ କରିବା ଲାଗି ପ୍ରତି ପ୍ରାସାଦ ସମ୍ମୁଖରେ ଭିଡ ହୋଇଥିଲା। ପ୍ରାସାଦ ସମ୍ମୁଖରେ ଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ଦର୍ଶନ ଦେବା ସମୟରେ ପ୍ରଭୁ ପଚାରୁଥିଲେ ଏହା କାହାର ବାସଭବନ? ସମସ୍ତେ କହୁଥିଲେ ଏହା ମୋର ବାସଭବନ ପ୍ରଭୁ। ମୋର ବାସଗୃହରେ ପ୍ରବେଶ କରି ମୋ ପ୍ରତି କୃପା କରନ୍ତୁ। କାହାରି ଆମନ୍ତ୍ରଣକୁ କୃଷ୍ଣ କିନ୍ତୁ ଗ୍ରହଣ ନ କରି ଚାଲି ଯାଉଥିଲେ। ଏହିପରି ଭାବେ କିଛି ବାଟ ଯିବା ପରେ ନନ୍ଦିଘୋଷ ରଥ ବିଦୁରଙ୍କ ବାସଭବନ ସାମ୍ନାରେ ଅଟକିଗଲା। କୃଷ୍ଣ ପ୍ରଶ୍ନ କଲେ ଏହା କାହାର ବାସଗୃହ? ଏହା ଶୁଣି ବିଦୁର କହିଲେ, ‘‘ପ୍ରଭୁ ସବୁ ତ ତୁମରି ପାଖରୁ ଆସିଛି। ତେଣୁ ହେ କୃଷ୍ଣ ବାସୁଦେବ ଏହାର ମାଲିକ ହେଉଛନ୍ତି ଆପଣ। ମତେ ପୁଣି ପ୍ରଶ୍ନ କରୁଛନ୍ତି ଏହା କାହାର ଗୃହ? ଏ ମାୟା ମୋ ସହିତ କାହିଁକି ପ୍ରଭୁ? ନିଜ ଗୃହରେ ପ୍ରବେଶ କରିବେ ନା ନିମନ୍ତ୍ରଣକୁ ଅପେକ୍ଷା କରିବେ।’’ ଶ୍ରୀକୃଷ୍ଣ କହିଲେ, ‘‘ବିଦୁର ରାଜକାର୍ଯ୍ୟ ସମାପନ କରିବା ପରେ ମୁଁ ତୁମ ଗୃହକୁ ଆସିବି ଏବଂ ତୁମ ସହିତ ରହିବି।’’

ଏହାପରେ ଶ୍ରୀକୃଷ୍ଣ ହସ୍ତିନାର ରାଜସଭାକୁ ଯାଇଥିଲେ। ସେଠାରେ କୃଷ୍ଣଙ୍କୁ କିପରି ସ୍ବାଗତ କରାଯିବ ଏବଂ ତାଙ୍କ ନିମନ୍ତେ କିପରି ଭୋଜନ ପ୍ରସ୍ତୁତ କରାଯାଇ ତାଙ୍କୁ ସନ୍ତୁଷ୍ଟ କରାଯାଇପାରିବ ତାହା ଉପରେ ଭୀଷ୍ମ ଏବଂ ବିଦୁରଙ୍କ ସହିତ ଧୃତରାଷ୍ଟ୍ର ଏବଂ ଦୁର୍ଯ୍ୟୋଧନ ଆଲୋଚନା କରିଥିଲେ। ଏହା ଶୁଣି ଉଭୟ ବିଦୁର ଏବଂ ଭୀଷ୍ମ ଭାବୁଥିଲେ ପ୍ରଭୁଙ୍କୁ ତ କେବଳ ଏକନିଷ୍ଠ ଭକ୍ତି ଦ୍ବାରା ସନ୍ତୁଷ୍ଟ କରାଯାଇପାରିବ। ବିଦୁରଙ୍କ ପତ୍ନୀ ସୁଲଭା କୃଷ୍ଣଙ୍କୁ ଆଦର ସହକାରେ ବାସଭବନକୁ ପାଛୋଟି ନେଇଥିଲେ। ସେଦିନ ତାଙ୍କ ଘରେ କିଛି ପରିବା ନ ଥିବାରୁ ସୁଲଭା କେବଳ ପଖାଳ ଏବଂ ଶାଗଭଜା କୃଷ୍ଣଙ୍କୁ ନୈବେଦ୍ୟ ଭାବେ ଅର୍ପଣ କରିଥିଲେ ଏବଂ ପ୍ରଭୁ ମଧ୍ୟ ଆଦର ସହକାରେ ତାହା ଭୋଜନ କରିଥିଲେ। ସେ ଭୋଜନ କରୁଥିବା ସମୟରେ ବିଦୁର ଆସି ପହଞ୍ଚି ଯାଇଥିଲେ। ପ୍ରଭୁ ଭୋଜନ ପରେ ଉଠିଯିବାରୁ ସେହି କଂସା, ଥାଳିଆରେ ଉଭୟ ବିଦୁର ଏବଂ ତାଙ୍କର ପତ୍ନୀ ବସିଯାଇ ପ୍ରସାଦ ସେବନ କରିଥିଲେ। ସେଦିନ ରାତିରେ ବିଦୁରଙ୍କ ଗୃହରେ କୃଷ୍ଣ ରହି ତାଙ୍କ ସହିତ ପରବର୍ତ୍ତୀ ଘଟଣା ଉପରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ କୃଷ୍ଣ ପ୍ରଶ୍ନ କରିଥିଲେ, ‘‘ଏହି ଯୁଦ୍ଧ ହେଲେ ତୁମେ କାହା ପକ୍ଷରେ ରହିବ?’’ ଏହାର ଉତ୍ତରରେ ବିଦୁର କହିଥିଲେ, ‘‘ମୁଁ କୌରବମାନଙ୍କ ଅନ୍ନ ଖାଇଥିବାରୁ ସେମାନଙ୍କ ସପକ୍ଷରେ ରହି ପାଣ୍ଡବମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।’’ ଶ୍ରୀକୃଷ୍ଣ ଜାଣିଥିଲେ ଯେ ବିଦୁର ଯେଉଁ ପକ୍ଷରେ ରହି ଲଢ଼ିବେ ସେହି ପକ୍ଷର ବିଜୟ ନିଶ୍ଚିତ। କାରଣ ବିଦୁରଙ୍କୁ ସେ ଯେଉଁ ଧନୁ ଦେଇଥିଲେ ତାହାକୁ ବ୍ୟବହାର କରି ସେ ପାଣ୍ଡବମାନଙ୍କ ନିଧନର କାରଣ ହେବେ। ଏପରିକି ଏହି ଯୁଦ୍ଧରେ ବିଦୁର ମଧ୍ୟ ତାଙ୍କୁ ପରାସ୍ତ କରିଦେବେ। ତେଣୁ ସେ ବିଦୁରଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ହସ୍ତିନା ତ୍ୟାଗ କରି ଚାଲିଯାଆନ୍ତୁ।

ଏହାପରେ ବିଦୁର ଯୁଦ୍ଧ ଆରମ୍ଭର ଦୁଇଦିନ ଆଗରୁ ହସ୍ତିନା ତ୍ୟାଗ କରି ଚାଲିଯାଇଥିଲେ। ଏହି ସମୟରେ ସେ ଭାରତର ବିଭିନ୍ନ ଅଞ୍ଚଳ ବୁଲିଥିଲେ। ଘଟଣାକ୍ରମେ ସେ ଓଳକଣାକୁ ମଧ୍ୟ ଆସିଥିଲେ ବୋଲି ଲୋକକଥା ରହିଛି। ଦୋଳ ପୂର୍ଣ୍ଣମୀ ପୂର୍ବ ରାତିରେ ଏଠାରେ ଏକ ମେଳଣ ଅନୁଷ୍ଠିତ ହୁଏ। ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ଶତାଧିକ ବିମାନ ଆସି ଏଠି ଏକାଠି ହୁଅନ୍ତି। ଏହି ମେଳଣ ପଡ଼ିଆରେ ବିଦୁରଙ୍କର ଏକ ମନ୍ଦିର ରହିଛି। ଭାରତରେ ଏହା ହେଉଛି ଦ୍ବିତୀୟ ବିଦୁର ମନ୍ଦିର। ଏହି ମେଳଣରେ ନିଜର ଇଷ୍ଟ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ବିଦୁରଙ୍କର ମିଳନ ଅନୁଷ୍ଠିତ ହୋଇଥାଏ। ଏଠାକାର ଆଳତି ହେଉଛି ଚିତ୍ତାକର୍ଷକ। ମେଳଣ ସମୟରେ ସମଗ୍ର ଅଞ୍ଚଳ ଅବିରରେ ଲାଲ୍‌ ହୋଇଯାଏ। ଅନ୍ୟ କୌଣସି ରାସାୟନିକ ରଙ୍ଗର ବ୍ୟବହାର ଏହି ମେଳନରେ ହୁଏ ନାହିଁ।

ଦେବେନ୍ଦ୍ର କୁମାର ସାହୁ

ସମ୍ବନ୍ଧିତ ଖବର