ପ୍ରଥମ ପିଲାଙ୍କ ଲାଗି ‘ବିଦ୍ୟା ପ୍ରବେଶ’

ପିଲାଙ୍କ ପଢ଼ିବା ଶୈଳୀ ଉପରେ ଗୁରୁତ୍ବ ଦିଆଯିବ
ଦ୍ବିତୀୟ ଶ୍ରେଣୀ ପିଲା ପଢ଼ିବେ ଏଫ୍‌ଏଲ୍‌ଏନ୍‌ ପୁସ୍ତକ
୩ୟରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଜୁନ୍‌ ୪ ଯାଏ କ୍ୟାଲେଣ୍ଡର ପ୍ରସ୍ତୁତ

ଭୁବନେଶ୍ବର : ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ‘ବିଦ୍ୟା ପ୍ରବେଶ’ କାର୍ଯ୍ୟକ୍ରମ କରାଯିବ। ପାଠପଢ଼ା ଆରମ୍ଭ ହେବାର ୩ ମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କ ପଢ଼ିବା ଶୈଳୀକୁ ପ୍ରାଥମିକତା ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ପଢ଼ାଇବେ। ଦ୍ବିତୀୟ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଥମ ଶ୍ରେଣୀ ପାଠ ତଥା ଫାଉଣ୍ଡେସନ୍‌ ଲିଟେରାସି ଆଣ୍ଡ ନ୍ୟୁମରେସି(ଏଫ୍‌ଏଲ୍‌ଏନ୍‌) ପୁସ୍ତକ ପଢ଼ାଇବେ। ତିନି ମାସ ମଧ୍ୟରେ କ୍ଲାସ କରି ପିଲାମାନଙ୍କୁ ସମସ୍ତ ବିଷୟରେ ଶିକ୍ଷା ପ୍ରଦାନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।

ଏଥିସହ ମେ’ ୨ରୁ ଜୁନ୍‌ ୪ ପର୍ଯ୍ୟନ୍ତ ୩ୟରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା କିଭଳି ହେବ, ସେନେଇ ନିର୍ଦେଶାବଳୀ ଜାରି ହୋଇଛି। ଏହି ଛାତ୍ରଛାତ୍ରୀଙ୍କ ପାଇଁ ଦିନ, ଶ୍ରେଣୀ, ବିଷୟ ଅନୁଯାୟୀ କ୍ୟାଲେଣ୍ଡର୍‌ ପ୍ରସ୍ତୁତ ହୋଇଥିବାରୁ ଖୁବ୍‌ଶୀଘ୍ର ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। କରୋନା ସମୟରେ କ୍ଷତି ହୋଇଥିବା ପାଠପଢ଼ାକୁ ଭରଣା କରିବା ଲାଗି ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରା ମାଧ୍ୟମରେ ପଢ଼ାଇବେ। ସକାଳ ୬ଟାରୁ ୯ ଯାଏ କ୍ଲାସ ହେଉଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଧାରିତ ସମୟରେ ସ୍କୁଲରେ ପହଞ୍ଚିବାକୁ କୁହାଯାଇଛି। ପାଠପଢ଼ା କିଭଳି ସହଜ ଓ ସରଳରେ କାର୍ଯ୍ୟକାରୀ ହୋଇପାରିବ; ଜିଲ୍ଲା, ବ୍ଲକ ଓ ସିଆସିସିସ୍ତରୀୟ ଅଧିକାରୀମାନେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବେ। ସିଆରସିସିମାନେ ନିଜ ଅଞ୍ଚଳରେ ଥିବା ସମସ୍ତ ସ୍କୁଲକୁ ଗସ୍ତ କରି ପାଠପଢ଼ା ତଦାରଖ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ, ପିଲାଙ୍କୁ ମଧ୍ୟାହ୍ନଭୋଜନ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନ ଶିକ୍ଷକମାନେ କ୍ଲାସ ନେଇ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିବେ ଏବଂ ପାଠପଢ଼ା କ୍ୟାଲେଣ୍ଡର୍‌ ଯେପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ, ତାହାକୁ ସୁନିଶ୍ଚିତ କରିବେ। ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ପିଲାଙ୍କ ପାଇଁ ବିଜ୍ଞାନ ବିଷୟରେ ବେସ୍‌ଲାଇନ୍‌ କରାଯିବାକୁ ଥିବା ୪ର୍ଥ ଓ ୫ମ ପିଲାଙ୍କ ପାଇଁ ଇଭିଏସ୍‌ କରିବାକୁ କୁହାଯାଇଛି।

ରିଭିଜନ୍‌ ପାଠପଢ଼ାରେ ଶିକ୍ଷକଙ୍କ ଲାଗି ସହାୟକ ପୁସ୍ତିକାକୁ ଇତି ମଧ୍ୟରେ ଅର୍ଧାଧିକ ଜିଲ୍ଲାକୁ ପଠାଯାଇଛି। ୮୫% ଲର୍ଣ୍ଣିଂ ଏନ୍‌ହାନ୍ସମେଣ୍ଟ ପ୍ରୋଗ୍ରାମ(ଏଲ୍‌ଇପି) ଓ ୬୫% ଏଫ୍‌ଏଲ୍‌ଏନ୍‌ ପୁସ୍ତକ ଇତିମଧ୍ୟରେ ଜିଲ୍ଲାଗୁଡ଼ିକୁ ପଠାଇ ଦିଆଯାଇଥିବା‌ ଜଣାପଡ଼ିଛି। ବାକି ଥିବା ପୁସ୍ତକଗୁଡ଼ିକୁ ମେ’ ୫ରୁ ୧୫ ମଧ୍ୟରେ ପଠାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବ୍ଲକ୍‌ କିମ୍ବା ସିଆରସିସିସ୍ତରରେ ଯେପରି କୌଣସି ପୁସ୍ତକ ପଡ଼ି ନ ରୁହେ, ସେଥିପ୍ରତି ଗୁରୁତ୍ବ ଦିଆଯିବ। ଯୋଗ୍ୟ ପିଲାଙ୍କ ନିକଟରେ ପୁସ୍ତକଗୁଡ଼ିକ ପହଞ୍ଚିବା ଆବଶ୍ୟକ। ଯଦି କୌଣସି ସ୍ଥାନରେ ବହି ପଡ଼ି ରହିଥିବାର ନଜରକୁ ଆସେ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର