‘ବିଦ୍ୟାଦାନ’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ

ଭୁବନେଶ୍ବର : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ‘ବିଦ୍ୟାଦାନ’ କାର୍ଯ୍ୟକ୍ରମକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଓସେପା ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟା ଜୁଲାଇ ଶେଷ ସୁଦ୍ଧା ଶେଷ କରିବା ପାଇଁ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। କୋଭିଡ୍‌-୧୯ କଟକଣା ଲାଗି ସ୍କୁଲ ବନ୍ଦ ଥିବାରୁ ଇ-ଲର୍ଣ୍ଣିଂର ବହୁଳ ବ୍ୟବହାର କରାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଦୀକ୍ଷା’ ଆପ୍‌ ଛାତ୍ରଛାତ୍ରୀଙ୍କ ବ୍ୟବହାର ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ପର୍ଯ୍ୟନ୍ତ ଦୀକ୍ଷା ଆପ୍‌ରେ ଯାହା ବିଷୟବସ୍ତୁ ବା କଣ୍ଟେଣ୍ଟ ଥିଲା, ତାହା ସମ୍ପୂର୍ଣ୍ଣ ବିଷୟକୁ କଭର୍‌ କରିନାହିଁ। ବାକି ରହିଯାଇଥିବା ବିଷୟବସ୍ତୁଗୁଡ଼ିକୁ ଇ-କଣ୍ଟେଣ୍ଟ ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଏକ ନୂତନ ପନ୍ଥା ‘ବିଦ୍ୟାଦାନ’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଏଥିରେ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବିଭିନ୍ନ ବିଷୟବସ୍ତୁଗୁଡ଼ିକୁ ଡିଜିଟାଲ ଦ୍ୱାରା ବିକଶିତ କରିବା ସହ ବିଷୟବସ୍ତୁଗୁଡ଼ିକୁ ଆପ୍‌ରେ ଅପଲୋଡ୍‌ କରିପାରିବେ। ଏଥିରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇ-କଣ୍ଟେଣ୍ଟଗୁଡ଼ିକ ଅପଲୋଡ୍ କରିହେବ। ଓସେପା ପକ୍ଷରୁ ଗଠନ କରାଯାଇଥିବା ବୈଷୟିକ କମିଟି ଇ-କଣ୍ଟେଣ୍ଟଗୁଡ଼ିକ ଯାଞ୍ଚ କରିବ। ଏହା ଯୋଗ୍ୟବିବେଚିତ ହେବା ପରେ ତାକୁ ‘ଦୀକ୍ଷା’ ଆପ୍‌ ଓ ‘ଓଡ଼ିଶା ଶିକ୍ଷା ସଂଯୋଗ’ରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ଏହାଦ୍ବାରା ଘରେ ରହି ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏନେଇ ସମସ୍ତ ବିଦ୍ୟାଳୟକୁ ଅବଗତ କରାଇବେ। ବିଦ୍ୟାଳୟରେ ଥିବା ପ୍ରଶିକ୍ଷିତ ଶିକ୍ଷକଙ୍କୁ ମଧ୍ୟ ଚିହ୍ନଟ କରିବେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଏହାକୁ ବ୍ୟବହାର କରି ଅଧ୍ୟୟନ କରିପାରିବେ।

ସମ୍ବନ୍ଧିତ ଖବର