ନବରଙ୍ଗପୁର: ଗଞ୍ଜେଇ କାରବାର ଉପରେ ନବରଙ୍ଗପୁର ଜିଲ୍ଲା ପୁଲିସର ଶକ୍ତ ପ୍ରହାର। ଏହି ବେଆଇନ କାରବାରରେ କୋଟି କୋଟି ଟଙ୍କାର ନେଣଦେଣ ଚାଲିଥିବା ବେଳେ ଏହାର ଖିଅ ଖୋଜି ପାଇଛି ପୁଲିସ। ଏହାପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ କୋଷାଗୁମୁଡ଼ା ବ୍ଲକ୍ର ତିନି ଭାଇଙ୍କ ୪.୫୯ କୋଟି ଟଙ୍କାର ସଂପତ୍ତିକୁ ଜବତ କରିଛି। ସେହିପରି କୋଷାଗୁମୁଡ଼ା ବ୍ଲକ୍ରୁ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ମାଫିଆଙ୍କ ରହିଥିବା ଲିଙ୍କ୍ ସଂପର୍କରେ ବି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସକୁ ମିଳିଥିବା ସୂଚନା ମିଳିଛି। କିଛି ମାସ ତଳେ ମାଲକାନଗିରି ଜିଲ୍ଲା ଓର୍କେଲ ଥାନାର ଗୃହରକ୍ଷୀଙ୍କୁ ପିଟି ପିଟି ମାରି ଦେଇଥିଲେ ଗଞ୍ଜେଇ ମାଫିଆ। ଏହି ନୃଶଂସ ଘଟଣାର ତଦନ୍ତ ସମୟରେ ପୁଲିସକୁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଏବଂ ଡାବୁଗାଁ ବ୍ଲକ୍ର ପ୍ରାୟ ୪୦ଜଣ ଚୋରା ଚାଲାଣକାରୀଙ୍କ ତଥ୍ୟ ମିଳିଥିଲା। ଅଭିଯୁକ୍ତଙ୍କ ଗିରଫଦାରୀ ସହ ପୁଲିସ ଏହାର ମୂଳରେ ପହଞ୍ଚିବାକୁ ଜୋର ଲଗାଇ ଦେଇଥିଲେ। ପୁଲିସ ଏହି ଘଟଣାରେ ଯେତିକି ଘଣ୍ଟା ଚକଟା କଲା ସେତିକି ନୂଆ ନୂଆ ତଥ୍ୟ ମିଳି ଚାଲିଲା। ଶେଷରେ ପୁଲିସକୁ କୋଷାଗୁମୁଡ଼ା ବ୍ଲକ୍ ପନରାଗୁଡ଼ା ଗାଁର ପ୍ରଭାକର ମାଳି ଓ ତାଙ୍କ ୨ଭାଇ ଅନିରୁଦ୍ଧ ମାଳି ଓ ରମେଶ ମାଳିଙ୍କ ଭୂମିକା ସଂପର୍କରେ ଜାଣିବାକୁ ପାଇଲା। ତେଣୁ ୨୦୧୫ ମସିହାରେ କୋଷାଗୁମୁଡ଼ା ଥାନାରେ ରୁଜୁ ହୋଇଥିବା ଗୋଟିଏ ଗଞ୍ଜେଇ ମାମଲାର ଫାଇଲକୁ ପୁଣି ଖୋଲିଥିଲା ପୁଲିସ। ଗତ ସେପ୍ଟେମ୍ବର ମାସରେ ପାପଡ଼ାହାଣ୍ଡି ପୁଲିସ ଜବତ କରିଥିବା ଗଞ୍ଜେଇ ମାମଲାକୁ ନେଇ ବି ତଦନ୍ତକୁ ଆଗକୁ ନେଇଥିଲା। ଏକାଧିକ ମାମଲାରେ ଉପରୋକ୍ତ ୩ଭାଇଙ୍କ ନାଁ ବାରମ୍ବାର ଆସିବାରୁ ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ରୁଜୁ ହୋଇଥିବା ୨୦ଟି ଗଞ୍ଜେଇ ମାମଲାକୁ ବି ପୁଲିସ ଅନୁଧ୍ୟାନ କରିଥିଲା।
ବାରମ୍ବାର ଉପରୋକ୍ତ ୩ ଭାଇଙ୍କ ନାମ ବାହାରକୁ ଆସିବାରୁ ନବରଙ୍ଗପୁର ଏସ୍ପି ନିତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗୋଟିଏ ଟିମ୍ ଗଠନ କରାଯାଇଥିଲା। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜୟକୃଷ୍ଣ ବେହେରା, ଡିଏସପି ଚନ୍ଦ୍ର ଶେଖର ହୋତା, ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ଓ କୋଷାଗୁମୁଡ଼ା ଥାନା ଅଧିକାରୀ ନଟବର ନନ୍ଦଙ୍କୁ ନେଇ ଗଠିତ ଟିମ୍ ୩ ଭାଇଙ୍କ ଆର୍ଥିକ କାରବାରର ତଦନ୍ତ ଆରମ୍ଭ କରିଥିଲେ। ସ୍ଥାବର ଏବଂ ଅସ୍ଥାବର ସଂପତ୍ତିର ସଂପୂର୍ଣ୍ଣ ତଥ୍ୟ ମିଳିବା ପରେ ଏହାର ଆକଳନ ପାଇଁ କୋଲକତା ସ୍ଥିତ ଅଫିସ୍ ଅଫ୍ ଦ କମ୍ପିଟେଣ୍ଟ ଅଥୋରିଟି କାର୍ଯ୍ୟାଳୟକୁ କାଗଜପତ୍ର ପଠାଯାଇଥିଲା। ଏହାପରେ ପୁଲିସକୁ ସଂପୂର୍ଣ୍ଣ ଆକଳନ ପାଇଁ ଆହୁରି ମାସ ଲାଗି ଯାଇଥିଲା। ପୁଲିସ ପଠାଇଥିବା କାଗଜପତ୍ରକୁ ଯାଞ୍ଚ ପରେ କୋଲକତା ସ୍ଥିତ କାର୍ଯ୍ୟାଳୟ ୪କୋଟି ୫୯ଲକ୍ଷ ଟଙ୍କାର ସଂପତ୍ତି ଜବତ କରିବାକୁ ଅନୁମତି ଦେଇଥିଲେ। ତେଣୁ ଆଜି ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ ଆକଳନ କରିଥିବା ଉକ୍ତ ସମ୍ପତ୍ତିକୁ ଜବତ କରାଯାଇଛି। ଜବତ ସଂପତ୍ତି ମଧ୍ୟରେ ରମେଶ ମାଳି ନାମରେ ରହିଥିବା ନିର୍ମାଣାଧୀନ ୨ ମହଲା କୋଠା, ପ୍ରଭାକର ମାଳିଙ୍କ ୨ ମହଲା କୋଠା, ଅନିରୁଦ୍ଧ ମାଳିଙ୍କ ୨ ମହଲା କୋଠା, ପ୍ରଭାକର ଓ ରମେଶ ମାଳିଙ୍କ ନାମରେ ନିର୍ମାଣାଧୀନ ଥିବା ୩ ମହଲା କୋଠା ରହିଛି। ସମସ୍ତ କୋଠା ଗତ ୩ବର୍ଷ ମଧ୍ୟରେ ନିର୍ମାଣ ହୋଇଛି। ଏହାବ୍ୟତୀତ ୩ ଭାଇ ଓ ତାଙ୍କ ପରିବାର ନାମରେ ଥିବା ୪.୮୨ ଏକର ଜମି ବି ଜବତ କରାଯାଇଛି। ୧୪ଟି ବ୍ୟାଙ୍କ ଆକାଉଣ୍ଟ ଜରିଆରିରେ ୪କୋଟି ଟଙ୍କାର ଊର୍ଦ୍ଧ୍ବ ଟଙ୍କା କାରବାର ହୋଇଥିବା ବେଳେ ୯ଲକ୍ଷ ୭୬ହଜାର ଟଙ୍କା ଜମି ରହିଛି। ତେଣୁ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଛି। ଆୟର ସ୍ରୋତ ଜଣାଇବାକୁ କିଛି ଦିନର ମହଲତ ଦିଆଯାଇଛି। ଏପରିକି ନିର୍ଦ୍ଧାରିତ ପ୍ରାଧିକରଣ ନିକଟରେ ଅପିଲ ମଧ୍ୟ କରିବାକୁ ସୁଯୋଗ ଦିଆଯାଇଛି। ପ୍ରାଧିକରଣ ରାୟ ନ ଦେବା ପର୍ଯ୍ୟନ୍ତ ସଂପତ୍ତିକୁ ବିକ୍ରି କରିପାରିବେ ନାହିଁ। ଯଦି ପ୍ରାଧିକାରଣ ସେମାନଙ୍କ ବିରୋଧରେ ରାୟ ଶୁଣାଇବେ ତେବେ ସମସ୍ତ ସଂପତ୍ତିକୁ ବ୍ୟାଜାପ୍ତି କରାଯିବ ବୋଲି ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/fhsfh465sf4h65sf4f65fhfhfhs.jpg)