ଭୁବନେଶ୍ବର: ପୁରୀ ପୌରପାଳିକାକୁ ‘ପୁରୀ ମହାନଗର ନିଗମ’ରେ ପରିଣତ କରାଯିବ। ପୁରୀ ସହର ଓ ଆଖପାଖରେ ଅବସ୍ଥିତ ଗ୍ରାମପଞ୍ଚାଯତକୁ ସାମିଲ କରି ମହାନଗର ନିଗମ ଗଠିତ ହେବ। ଏହା ଦ୍ୱାରା ପୁରୀ ସଦର ଓ ବ୍ରହ୍ମଗିରି ବ୍ଲକର ପ୍ରାୟ ସାତରୁ ଆଠଟି ଗ୍ରାମପଞ୍ଚାୟତକୁ ସାମିଲ କରାଯିବ। ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ଘୋଷଣା କରିଛନ୍ତି। ଆସନ୍ତାକାଲିଠାରୁ ଏହି ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ। ଏହା ବାଦ୍ ପୁରୀରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରି ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ପୁରୀ ଜଗନ୍ନାଥଧାମ ସାରା ଭାରତର ସବୁ ଧର୍ମସ୍ଥଳୀଠାରୁ ଅନନ୍ୟ। ନବଦିନ ବ୍ୟାପ୍ତ ଏହି ପବିତ୍ର ଯାତ୍ରା ସମୟରେ ବଡ଼ଦାଣ୍ଡରେ ଚାଲୁଥିବା ସବୁ ଭକ୍ତ ଜଣେ ଜଣେ ଦାସିଆ। ମୁଁ ବି ଏହି ଅସଂଖ୍ୟ ଜଗନ୍ନାଥ ଭକ୍ତଙ୍କ ମଧ୍ୟରୁ ଜଣେ ସାଧାରଣ ଭକ୍ତ। ରାଜ୍ୟର ମୁଖ୍ୟ ସେବକ ଭାବେ ରାଜ୍ୟବାସୀ ଯେଉଁ ଗୁରୁ ଦାୟିତ୍ୱ ମୋତେ ଅର୍ପଣ କରିଛନ୍ତି, ସେଥିମଧ୍ୟରୁ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ପୁରୀବାସୀଙ୍କୁ ଗୁଣାତ୍ମକ ମୌଳିକ ସୁବିଧା ପ୍ରଦାନ କରିବା ଅନ୍ୟତମ। ମୁଁ ବ୍ୟକ୍ତିଗତ ଭାବେ ପୂର୍ବରୁ ଅନୁଭବ କରିଛି ଯେ କୌଣସି ନା କୌଣସି କାରଣରୁ ବର୍ତ୍ତମାନର ପୁରୀ ପୌରପାଳିକା ଉଭୟ ଭକ୍ତ ଓ ସହରବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହୋଇନାହିଁ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ଥାନୀୟ ସ୍ୱାୟତ୍ତ ଶାସନ ପଦ୍ଧତିରେ ସଂସ୍କାର ଆଣିବାକୁ ପଡ଼ିବ। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ଆମ ସରକାର ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପୁରୀ ସହର ସମେତ ପୁରୀ ସଦର ଓ ବ୍ରହ୍ମଗିରି ବ୍ଲକର ପ୍ରାୟ ୭/୮ଟି ଗ୍ରାମପଞ୍ଚାୟତକୁ ସାମିଲ କରାଯିବ। ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇପାରିବେ। ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଜଗନ୍ନାଥଧାମର ସ୍ୱର୍ଣ୍ଣିମ ଇତିହାସ ଓ ପରମ୍ପରାକୁ ଅଗଣିତ ଲୋକକଥା, ଅନେକ କାହାଣୀ ଏବଂ ଐତିହାସିକ ଘଟଣାବଳୀ ସମୃଦ୍ଧ କରିଛି। କିନ୍ତୁ ପରିତାପର ବିଷୟ ଯେ ଆଜିର ଯୁବ ସମାଜ ତଥା ପୁରୀକୁ ଆସୁଥିବା ଭକ୍ତଗଣ ଜଗନ୍ନାଥ ସଂସ୍କୃତିର ଇତିହାସ ବିଷୟରେ ଅଧିକ ଜାଣନ୍ତି ନାହିଁ। ତା’ଠୁ ଦୁଃଖର ବିଷୟ ଯେ ଏହି ସଂସ୍କୃତି ଓ ଇତିହାସକୁ ଜଣାଇବା ପାଇଁ ପୁରୀରେ କିଛି ବ୍ୟବସ୍ଥା ଗତ ସାଢ଼େ ସାତ ଦଶନ୍ଧିରେ କରାଯାଇ ପାରିଲା ନାହିଁ। ପୁରୀକୁ ଏକ ଉତ୍ତମ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ। ଆଜି ଜଣେ ପର୍ଯ୍ୟଟକ ପୁରୀ ଆସିଲେ ତା’ ପାଇଁ ମୁଖ୍ୟତଃ ଦୁଇଟି ଠିକଣା। ଜଗନ୍ନାଥ ମନ୍ଦିର ଓ ବେଳାଭୂମି। ଏହାକୁ ଛାଡ଼ିଦେଲେ ଅନ୍ୟ କୌଣସି ମନୋରଞ୍ଜନ କିମ୍ବା ପର୍ଯ୍ୟଟନ ଭିତ୍ତିଭୂମି ନାହିଁ, ଯେଉଁଠାରେ ସେ କିଛି ସମୟ ଅତିବାହିତ କରିପାରିବ। ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଆମ ସରକାର ପୁରୀଠାରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରି ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ପରିସରରେ ଏହା ନିର୍ମିତ ହେବ।
ଶ୍ରୀ ଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଓ ଇତିହାସ ପ୍ରଦର୍ଶିତ ହେବ। ଏହାକୁ ବିଭିନ୍ନ ଚିତ୍ରକଳା, ମିନିଏଚର୍ ପ୍ରତିମୂର୍ତ୍ତି, ପଟ୍ଟଚିତ୍ର ଇତ୍ୟାଦି ମଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ। ସେହିପରି ଏହା ପରିସରରେ ଏକ ପୁସ୍ତକାଗାର ଏବଂ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ସ୍ଥାପିତ କରାଯିବ। ଏହି ପୁସ୍ତକାଗାରରେ ଜଗନ୍ନାଥ ସଂସ୍କୃତି ସହିତ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ପୁସ୍ତକ ବି ରହିବ। ଏଠାରେ ଇ-ଲାଇବ୍ରେରିର ସୁବିଧା ପ୍ରଦାନ କରାଯିବ ଏବଂ ପାଠକମାନେ ଇ-ଲାଇବ୍ରେରି ମାଧ୍ୟମରେ ସବୁପ୍ରକାର ପଠନ ସାମଗ୍ରୀ ପାଇପାରିବେ। ଜଗନ୍ନାଥ ସଂସ୍କୃତି ଓ ସାହିତ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ଏହା ନିଶ୍ଚିତ ଭାବେ ସାହାଯ୍ୟ କରିବ।
ଏଥି ସହିତ ପରିସରରେ ପ୍ରାୟ ୩୦୦ ଆସନ ବିଶିଷ୍ଟ ଏକ ପ୍ରେକ୍ଷାଳୟ ନିର୍ମାଣ କରାଯିବ। ଏଠାରେ ପ୍ରତିଦିନ ଲାଇଟ୍ ଓ ସାଉଣ୍ଡ୍ ସୋ’ ପ୍ରସ୍ତୁତ କରାଯିବ। ଜଗନ୍ନାଥ ମନ୍ଦିର ଓ ଠାକୁରଙ୍କୁ ନେଇ ଅନେକ କାହାଣୀ, କିଂବଦନ୍ତି ରହିଛି। ଏହି ସବୁ ପ୍ରସଙ୍ଗକୁ ବିଭିନ୍ନ ଅଧ୍ୟାୟରେ ବିଭାଜନ କରି ଗୋଟିଏ ଗୋଟିଏ ଅଧ୍ୟାୟ ପ୍ରସ୍ତୁତ କରି ବିଭିନ୍ନ ଭାଷା ଯେପରିକି ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ବଙ୍ଗାଳୀ ଭାଷାରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ କରାଯିବ। ତା’ ଛଡା ଏହି ପରିସର ମଧ୍ୟରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ବି ନିର୍ମିତ ହେବ, ଯେଉଁଠି ରାଜ୍ୟର କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ। ଏହା ପୁରୀକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାରେ ସହାୟକ ହେବ। ସାମ୍ବାଦିକ ସମ୍ମିଳନୀରେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର ଉପସ୍ଥିତ ଥିଲେ।