ଶ୍ରୀମନ୍ଦିର ଭିତର କାଠରେ ବାନ୍ତି, ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ: ଶ୍ରୀମନ୍ଦିର ଭିତର କାଠରେ ଜଣେ ଶିଶୁ ବାନ୍ତି କରି ଦେବାରୁ ଆଜି ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। ଏଥି ପାଇଁ ଆଜି ମହାପ୍ରଭୁଙ୍କ ବେଶ ମଧ୍ୟ ବିଳମ୍ବିତ ହୋଇଛି। ଅବକାଶ ନୀତି ପରେ ଏହି ଘଟଣା ଘଟିଥିବାରୁ ପ୍ରାୟ ‌ଦୁଇ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ବଡ଼ ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଛି। ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ପ୍ରାୟ ସାଢ଼େ ୮ଟାରେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ବେଶ ହେଉଥିଲା। ଏହି ସମୟରେ ଭକ୍ତମାନେ ଭିତରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ହଠାତ୍ ଗହଳି ଭିତରେ ଜଣେ ଶିଶୁ ବାନ୍ତି କରି ଦେଇଥିଲା। ମାରା ହେବାରୁ ଦର୍ଶନ ବନ୍ଦ କରି ଭକ୍ତଙ୍କୁ ଖାଲି କରାଯିବା ପରେ ଭିତର କାଠ ଓ ଗର୍ଭଗୃହ ଶୋଧ କରାଯାଇଥିଲା। ବଡ଼ସ୍ନାନ ପାଇଁ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପାଦନ ହୋଇଥିବା ବେଳେ ସକାଳ ସାଢ଼େ ୮ରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା। ପୂର୍ବାହ୍ଣ ସାଢ଼େ ୧୦ଟା ପରେ ଦର୍ଶନ ସ୍ବାଭାବିକ ହୋଇଥିଲା।

ଆଜି ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ: ଗତକାଲି ମହାପ୍ରଭୁଙ୍କ ପଇତା ଲାଗି ପରେ ଆଜି ବନକଲାଗି ନୀତି ଅନୁଷ୍ଠିତ ହେବାର ଥିଲା। ତେବେ ଏହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛି। କାରଣ ସ୍ପଷ୍ଟ କରିନଥିଲେ ବି ବୁଧବାର ସଂଧ୍ୟା ୫ରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥି ପାଇଁ ବୁଧବାର ସଂଧ୍ୟା ୫ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଶେଷ ପରେ ରାତି ୯ଟା ପରେ ଦର୍ଶନ ସ୍ବାଭାବିକ ହେବ।

ସମ୍ବନ୍ଧିତ ଖବର