ମାଲକାନଗିରି: ମାଓ ଦମନ ଅଭିଯାନରେ ମହାରାଷ୍ଟ୍ର ପୁଲିସକୁ ମିଳିଛି ବଡ଼ଧରଣର ସଫଳତା। ଛତିଶଗଡ଼ରେ ମାଓ ଦମନ ଅଭିଯାନ ଜୋର୍‌ଦାର ହେବା ପରେ ମହାରାଷ୍ଟ୍ର, ‌ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାନ୍ତରେ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍‌କୁ ତ୍ବରାନ୍ବିତ କରିଛି ପୁଲିସ। ଟାର୍ଗେଟ୍‌ରେ ଟପ୍‌ କ୍ୟାଡର୍‌ ନକ୍ସଲ ଥିବାରୁ ଏନ୍‌କାଉଣ୍ଟର୍‌ ଭୟରେ ମୁଖ୍ୟସ୍ରୋତକୁ ଜଣେ ପରେ ଜଣେ କ୍ୟାଡର୍‌ ଫେରୁଛନ୍ତି। ମଙ୍ଗଳବାର କେନ୍ଦ୍ରୀୟ କମିଟି ସଦସ୍ୟ ସୋନୁ ଓରଫ୍‌ ବେଣୁଗୋପାଲ ନିଜର ୬୦ ସହକର୍ମୀଙ୍କ ସହ ଗଡ଼ଚିରୋଲି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୫୦ ବନ୍ଧୁକ ଧରି ମାଓବାଦୀ ଆତ୍ମସମର୍ପଣ କରିବା ପୁଲିସ୍‌ ପାଇଁ ବଡ଼ ସଫଳତା ହୋଇଥିବା ବେଳେ ମାଓ ସଙ୍ଗଠନକୁ ଲାଗିଛି ବଡ଼ ଝଟକା।

Advertisment

ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରୀୟ କମିଟି ସଦସ୍ୟ ସୋନୁ

ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ କମିଟି ସଦସ୍ୟ ସୋନୁ ସରକାର ଓ ପୁଲିସ ନିକଟକୁ ଚିଠି ଲେଖି ଅସ୍ତ୍ର ବିରତି ପାଇଁ ଅନୁରୋଧ କରିଥିଲେ। ଆସନ୍ତା ୬ ମାସ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ଅପରେସନ୍‌ ବନ୍ଦ କରାଗଲେ ଆମେ କୌଣସି ଅଘଟଣ ଘଟାଇବୁ ନାହିଁ। ଆଗାମୀ ଦିନରେ କିପରି ଶାନ୍ତିରେ ସଂଗଠନ କାମ କରିବ ସେ ନେଇ ଚିନ୍ତା କରିବୁ। ଆବଶ୍ୟକ ପଡ଼ିଲେ ସଂଗଠନ ଆଗାମୀ ଦିନରେ ନିର୍ବାଚନ ଲଢ଼ି ଲୋକଙ୍କ ସେବାରେ ନିୟୋଜିତ ହେବ ବୋଲି ସୋନୁ ଚିଠିରେ ଉଲ୍ଲେଖ କରିଥିଲେ। ତେବେ ସୋନୁଙ୍କ ଏହି ପ୍ରସ୍ତାବକୁ ତେଲେଙ୍ଗାନା ଏରିଆ କମିଟି ବିରୋଧ କରିଥିଲା। ସୋନୁଙ୍କର ଏହା ନିଜ ନିଷ୍ପତ୍ତି ବୋଲି କହିଥିଲା। ସଂଗଠନ କେବେ ମଧ୍ୟ ଅସ୍ତ୍ର ବିରତି ସଂକ୍ରାନ୍ତରେ ନିଷ୍ପତ୍ତି ନେଇନଥିବା ତେଲେଙ୍ଗାନା ଏରିଆ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଥିଲା। 

ଏହା ପରେ ‘ମାଡ୍‌ ଡିଭିଜନ’ର ସଚିବ ରାଣୀ ଚିଠି ଲେଖି ସୋନୁଙ୍କ ଅସ୍ତ୍ର ବିରତି ପ୍ରସ୍ତାବକୁ ସମର୍ଥନ କରୁଥିବା କହିଥିଲେ। ଅସ୍ତ୍ର ବିରତି ପ୍ରସ୍ତାବ ପରେ ସୋନୁଙ୍କୁ ମାଓ ସଂଗଠନ ପକ୍ଷରୁ ଆକ୍ରମଣ ଭୟ ରହିଥିଲା। କୌଣସି ମୁହୂର୍ତ୍ତରେ କିଛି ବି ଘଟିବାର ଆଶଙ୍କା ଥିଲା। ଏହା ପୂର୍ବରୁ ସୋନୁ ସରକାରଙ୍କ ସହ ଆଲୋଚନା କରି ଗଡ଼ଚିରୋଲି ପୁଲିସ ନିକଟରେ ୫୦ ବନ୍ଧୁକ ଧରି ୬୦ ସହକର୍ମୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ଏହା ପୂର୍ବରୁ କେବେ ଏତେ ସଂଖ୍ୟାରେ କ୍ୟାଡର୍‌ ନକ୍ସଲ ଆତ୍ମସମର୍ପଣ କରିନଥିଲେ। ୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡ଼ ସମେତ ଦେଶକୁ ମାଓ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ମାଓପ୍ରବଣ ରାଜ୍ୟରେ ବ୍ୟାପକ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥିବା ବେଳେ ମାଓ ଦମନ ଅଭିଯାନ ଗତିଶୀଳ ହୋଇଛି। ଫଳସ୍ବରୂପ ଏନ୍‌କାଉଣ୍ଟର୍‌ରେ କେନ୍ଦ୍ରୀୟ କମିଟି ମୁଖ୍ୟ ବାସବରାଜୁ, ଟପ୍‌ ମାଓ ନେତା ଭାସ୍କର ରାଓ, ଉଦୟଙ୍କ ଭଳି ବହୁ ଆଗଧାଡ଼ିର ମାଓ ନେତାଙ୍କ ମୃତ୍ୟୁ ହୋଇଛି।