ଭୁବନେଶ୍ବର : ରାଜ୍ୟ ସରକାର ଏକ ଚିରାଚରିତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଭତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହେବା ଭଳି କିଛି ନାହିଁ। ଏମିତି ଦୋଷ ତ୍ରୁଟି କାଢ଼ି ସୋମବାର ଦିନ ବିଧାନସଭାରେ ବିରୋଧୀ ଦଳ ଗର୍ଜନ ତର୍ଜନ କରିଛନ୍ତି। ଏହାର ଦୃଢ ଜବାବ ରଖିଛି ବିଜେଡି। ଏଥିସହିତ ବଜେଟ୍ ଉପରେ ସୋମବାର ଦିନ ବିଧାନସଭାରେ ସରଗରମ ଆଲୋଚନା ହୋଇଛି।
ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, ବଜେଟ୍ରେ ରାଜ୍ୟ ସରକାରଙ୍କର ଆୟ ୧ଲକ୍ଷ ୫ହଜାର କୋଟି, କିନ୍ତୁ ବ୍ୟୟ ରଖାଯାଇଛି ୨ଲକ୍ଷ ୩୦ହଜାର କୋଟି। ଅନ୍ୟ ଉପରେ ନିର୍ଭର ନକରି ନିଜସ୍ବ ରାଜସ୍ବ ବଢ଼ାନ୍ତୁ। ରାଜ୍ୟର ଋଣ ଭାର ୧ଲକ୍ଷ ୧୩ହଜାର ୮୫୬କୋଟି। ମୁଣ୍ଡ ପିଛା ଋଣ ୨୫ହଜାର ଟଙ୍କାରେ ପହଞ୍ଚିଲାଣି। ଏହାକୁ ସୁଝିବାକୁ ବଜେଟ୍ରେ ବିଶେଷ ବ୍ୟବସ୍ଥା ନାହିଁ। ବଜେଟ୍ରେ ଯେତିକି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ତାହା ଯଦି ଖର୍ଚ୍ଚ ହୋଇନପାରିବ ଏତେ ବଡ଼ ବଜେଟ୍ କରି ଲାଭ କ’ଣ?
ଶ୍ରୀ ମିଶ୍ର କହିଥିଲେ, ୨୦୨୨-୨୩ରେ ଜଳଯୋଗାଣ ପାଇଁ ଯେତିକି ଅର୍ଥ ବରାଦ ହୋଇଥିଲା, ସେଥିରୁ ୩୫% ଖର୍ଚ୍ଚ ହୋଇନି। ସେହିପରି ପରିବହନ ବିଭାଗ ୨୩%, ଜଳସମ୍ପଦ ବିଭାଗ ୪୦%, ଏସ୍ସି, ଏସ୍ଟି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ୧୪% ଅର୍ଥ ଖର୍ଚ୍ଚ କରିପାରିନି। ଅପରପକ୍ଷେ ବଜେଟ୍ରେ ଯେଉଁ ଯୋଜନା ହୋଇଛି ସେଥିରେ ତୃଣମୂଳସ୍ତରର ଲୋକଙ୍କୁ ଧ୍ୟାନ ଦିଆଯାଉନି। କୃଷି ବଜେଟ୍ ଅଧିକ ହୋଇଛି ବୋଲି କୁହାଯାଉଛି। ହେଲେ ରାଜ୍ୟ ସରକାର କୃଷକର ଆୟ କିପରି ବଢ଼ିବ ସେ ବ୍ୟବସ୍ଥା କରିନାହାନ୍ତି। ଦେଶର କୃଷକର ହାରାହାରି ଆୟ ୧୦୨୧୮ଟଙ୍କା ଥିବାବେଳେ ଓଡ଼ିଶାରେ ଚାଷୀର ମୁଣ୍ଡ ପିଛା ଆୟ ୫୧୧୨ଟଙ୍କା। ଚାଷୀ ଯେତେବେଳେ ଅଭାବୀ ବିକ୍ରି ଯୋଗୁ ବିଲରେ ଟମାଟୋ ନତୋଳି ଛାଡ଼ି ଦେଉଛି ସେତେବେଳେ ଭୁବନେଶ୍ବରରେ ଟମାଟୋ କେଜି କାହିଁକି ୪୦ଟଙ୍କାରେ ବିକ୍ରି ହେଉଛି। ରାଜ୍ୟରେ ଏବେ ସୁଦ୍ଧା ମାତ୍ର ୨୨% ଜମିକୁ ଜଳସେଚିତ କରାଯାଇଛି। ନଦୀ, ନାଳରେ ଜଳ ଆବଣ୍ଟନ ଠିକ୍ ଭାବେ ହେଉନଥିବାରୁ ବହୁ ଜମି ପଡ଼ିଆ ପଡ଼ୁଛି। ରାଜ୍ୟରେ ଆଳୁ, ପିଆଜ ମିସନ୍ ଫେଲ୍ ମାରିଲା। ଏବେ ଛତୁ ମିସନ୍ କରୁଛନ୍ତି। ଏହା ଫେଲ୍ ମାରିବନି ତ! ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ମାର୍କେଟିଂ ବ୍ୟବସ୍ଥାକୁ ସୁଦୃଢ ନକରିବେ ସେତେଦିନ ପର୍ଯ୍ୟନ୍ତ ସବୁ ମିସନ୍ ଫେଲ୍ ମାରୁଥିବ। ସେହିପରି ରସିଆନ୍ ଘୁଷୁରି ଓ ଓଡ଼ିଶାର ଦେଶୀ ଘୁଷୁରି ବ୍ରିଡିଂ, ଛେଳି ବ୍ରିଡିଂ କରି ରାଜ୍ୟରେ ମାଂସ ଉତ୍ପାଦନ ବଢ଼ାଇବାକୁ ସେ ପରାମର୍ଶ ଦେଇଥିଲେ।
ବିରୋଧୀ ଦଳ ନେତା କହିଥିଲେ, ଆମେ ଶିକ୍ଷାକୁ ଗୁରୁତ୍ବ ଦେଉଛୁ ବୋଲି କହୁଛେ। କିନ୍ତୁ ଆମର ଶିକ୍ଷା ବଜେଟ୍ ୧୦% ଟପୁନି। ମଧ୍ୟାହ୍ନ ଭୋଜନ ଦେବା ସତ୍ତ୍ବେ ବି ଆମର ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୭.୩%; ଯେତେବେଳେ କି ସାରା ଦେଶରେ ଏହା ୧୨.୬%। ଶିଶୁ ମୃତ୍ୟୁ ହାରରେ ବି ଆମେ ଜାତୀୟ ହାରଠାରୁ ଅଧିକ। ବଜେଟ୍ରେ ଏହି ସବୁ ଦିଗକୁ ଧ୍ୟାନ ଦିଆଯାଇନଥିବାରୁ ମୁଁ ଏହାକୁ ସମର୍ଥନ କରୁନି ବୋଲି ସେ କହିଥିଲେ। ବିରୋଧୀ ଦଳ ନେତାଙ୍କ ସହ ବିଧାୟକ ଗଣେଶରାମ ସିଂହ ଖୁଣ୍ଟିଆ, ସନାତନ ବିଜୁଳି, ଭବାନୀ ଶଙ୍କର ଭୋଇ ପ୍ରମୁଖ ଏହାକୁ ବିରୋଧ କରି ମତ ରଖିଥିଲେ।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବଜେଟ୍କୁ ବିରୋଧ କରି କହିଥିଲେ ଯେ, ସମସ୍ତେ କହୁଛନ୍ତି କଂଗ୍ରେସ ଅମଳରେ ଦରମା ଦେବାକୁ ଟଙ୍କା ନଥିଲା। ଆମେ ମାନୁଛୁ ନଥିଲା। ହେଲେ ଆମେ ଦରମା ଦେଉଥିଲୁ। ତୁମେ ତ ନିଯୁକ୍ତି ଦେଉନ? ଏବେ ୧ଲକ୍ଷ ୩୮ହଜାର ପଦବି ଖାଲି ପଡ଼ିଛି। ୪୫ହଜାର ପଦବି ଉଚ୍ଛେଦ କରାଯାଇଛି। ଓଡ଼ିଶାରୁ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟ ସରକାର ଖଣିଖାଦାନ ବିକି, ଗାଁ ଗାଁରେ ମଦ ଦୋକାନ ଖୋଲି ରାଜସ୍ବ ବଢ଼ାଉଛନ୍ତି। ହେଲେ ତାହା କୋଉ କାମରେ ଲାଗୁଛି? ବିଜେଡି ସରକାରରେ ଅଧ୍ୟାପକ, ଡାକ୍ତର ଅଭାବ। କିନ୍ତୁ ଅଭିନେତା ପ୍ରବଳ। ଆମ ପରିବାକୁ ଆନ୍ଧ୍ର ବ୍ୟବସାୟୀ ନେଇ ଆମକୁ ବିକୁଛନ୍ତି। ଲାଭ କାହାର ହେଉଛି? ବିଧାୟକ ସୁର ରାଉତରାୟ କହିଥିଲେ, ଗରିବ ଲୋକ ବିଦ୍ୟୁତ ବିଲ୍, ଜଳ କର ନଦେଲେ ତା’ର ଲାଇନ୍, ପାଣି କାଟି ଦିଆଯାଉଛି। ହେଲେ ଶିଳ୍ପାନୁଷ୍ଠାନ ଉପରେ କୋଟି କୋଟି ଟଙ୍କା କର ବକେୟା ଥିବାବେଳେ ସେମାନଙ୍କର ଲାଇନ୍, ପାଣି କାହିଁକି କଟାଯାଉନି।
ବଜେଟ୍କୁ ସମର୍ଥନ କରି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ, ପୂର୍ବରୁ ରାଜ୍ୟ ଦେବାଳିଆ ଥିଲା। ବିଜେଡି ସରକାର ଆସିବା ପରେ ସେ ସ୍ଥିତି ଆଉ ନାହିଁ। ରାଜସ୍ବ ସମ୍ବଳରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ହୋଇଛି। ବିତ୍ତୀୟ ପରିଚାଳନ ଠିକ୍ ଭାବେ ହେଉଛି। ପ୍ରଶାସନିକ ଖର୍ଚ୍ଚ ବଢ଼ୁନି। କାର୍ଯ୍ୟକ୍ରମ ବ୍ୟୟ ବଢ଼ୁଛି। କେନ୍ଦ୍ର ସରକାର ବହୁ ଯୋଜନାରେ ବିଳମ୍ବରେ ଅର୍ଥ ଦେଉଥିବାରୁ ଏହା ଠିକ୍ ସମୟରେ ଖର୍ଚ୍ଚ ହୋଇପାରୁନି। ଅପରପକ୍ଷେ ଓଡ଼ିଶାରେ ଖଣି, ପାଣି ଥିଲା। କିନ୍ତୁ ଯୋଜନା ନଥିଲା। ଯାହାର ଏବେ ସଦୁପଯୋଗ କରାଯାଉଛି। ଏହି ବଜେଟ୍ରେ ସବୁ ବର୍ଗ ଏବଂ ସବୁ କ୍ଷେତ୍ରକୁ ଧ୍ୟାନ ଦିଆଯାଇଛି।
ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ, ପ୍ରଫୁଲ୍ଲ ସାମଲ, କିଶୋର ଚନ୍ଦ୍ର ନାୟକ, ରଘୁରାମ ପାଡାଲ, ଲତିକା ପ୍ରଧାନ ଓ ମୁକେଶ କୁମାର ପାଲ୍ ପ୍ରମୁଖ ସମର୍ଥନ କରିଥିଲେ।