୩ ବର୍ଷ ହେଲା ବ୍ୟବହାର ହୋଇପାରୁନି, ରକ୍ଷଣାବେକ୍ଷଣ ଅଭାବରୁ କାନ୍ଥ ଫାଟି ଆଁ

ଦୋକାନ ଗୃହ ଆବଣ୍ଟନରେ ବି ରାଜନୀତିର ଗନ୍ଧ

ବାରିପଦା: ବାରିପଦା ସହରରେ ଦିନକୁ ଦିନ ବଢି ଚାଲିଛି ଫୁଟପାଥ୍‌ ଉଠା ଦୋକାନ। ଜନଗହଳିପୂର୍ଣ୍ଣ ସ୍ଥାନ ହେଉ କି ମୁଖ୍ୟ ରାସ୍ତା; ସବୁଠି ଉଠାଦୋକାନୀଙ୍କ ଭିଡ଼ ଯୋଗୁ ସାଧାରଣ ଲୋକମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ତେବେ ଖରା ଓ ବର୍ଷାରୁ ସୁରକ୍ଷିତ ରହିବା ଓ ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ପାଇଁ ୨ କୋଟି ବ୍ୟୟରେ ପରିବା ମାର୍କେଟରେ ୩ଟି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲା। ତେବେ ନିର୍ମାଣ ଶେଷ ହେବାର ୩ ବର୍ଷ ବିତି ଯାଇଥିଲେ ବି ଏହା ଦୋକାନୀଙ୍କ ହିତରେ ଆସିପାରୁନି। ଦୋକାନ ଗୃହ ଆବଣ୍ଟନକୁ ନେଇ ବିଭିନ୍ନ କେଁ ରହିଥିବାରୁ ଏହା କାହାରିକୁ ଦିଆଯାଉନି। ଦୋକାନୀମାନେ ଆବେଦନ କରୁଛନ୍ତି, କିନ୍ତୁ ବିଭିନ୍ନ ଆଳ ଦେଖାଇ ନିଜ ଲୋକଙ୍କୁ ଦୋକାନ ଗୃହ ଦେବାକୁ ଷଡଯନ୍ତ୍ର ଚାଲିଥିବା ଆଲୋଚନା ହେଉଛି। ଅପରପକ୍ଷେ ୩ ବର୍ଷ ହେଲା ବ୍ୟବହାର ନ ହେବା ଓ ରକ୍ଷଣାବେକ୍ଷଣ ଅଭାବରୁ ମାର୍କେଟ୍ କମ୍ପ୍ଲେକ୍ସର ଅଧିକାଂଶ ଦୋକାନ ଗୃହର କାନ୍ଥ ଫାଟି ଆଁ କଲାଣି। ଏବେ ଏହି କମ୍ପ୍ଲେକ୍ସ ବୁଲା ଗୋରୁଗାଈ ବାସସ୍ଥଳୀ ଓ ଅସାମାଜିକଙ୍କ ଆଡ୍ଡା ପାଲଟିଛି।

ସୂଚନାଯୋଗ୍ୟ; ସହରାଞ୍ଚଳ ବିକାଶ ଯୋଜନାରେ ୬୬ ଲକ୍ଷ ୯୧ ହଜାର ଟଙ୍କା ଲେଖାଏଁ ବ୍ୟୟରେ ଦୁଇଟି ଏବଂ ୬୫ ଲକ୍ଷ ୩୮ ହଜାର ଟଙ୍କା ବ୍ୟୟରେ ଆଉ ଏକ ମାର୍କେଟ କମ୍ପ୍ଲେକ୍ସ ଗତ ୨୦୧୮ରୁ କାମ ଆରମ୍ଭ ହୋଇ ୨୦୧୯ରେ ଶେଷ ହୋଇଛି। ଏଥିରେ ୮୦ଟି ଦୋକାନ ରହିଛି। ଦୋକାନ ଘର ରଙ୍ଗ କାମରେ ପରବର୍ତ୍ତୀ ସମୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ମୋଟ୍‌ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ୩ ବର୍ଷ ହେଲା ଏହି କମ୍ପ୍ଲେକ୍ସ କାମରେ ଲାଗୁନି। ପୌର ପରିଷଦ ଭଙ୍ଗା ହୋଇଥିବା ବେ​ଳେ ଏହି କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲା। ସରକାରୀ ବାବୁମାନେ ମନଇଛା ନିମ୍ନମାନର କାମ କଲେ। ତେବେ ନୂତନ ପରିଷଦ ଗଠନ ପରେ ଦୋକାନ ଗୃହ ଆବଣ୍ଟନ ହେବ ବୋଲି ଆଶା ଥିଲେ ବି ଛୋଟ ଦୋକାନୀମାନଙ୍କ ପାଇଁ ବିଭିନ୍ନ କଟକଣା ଲାଗିଛି। ଆବେଦନକାରୀଙ୍କୁ ପ୍ରଥମେ ୩ ଲକ୍ଷ ଟଙ୍କା ଦାଖଲ କରିବାକୁ ପଡ଼ିବ। ସେ ବାରିପଦାର ସ୍ଥାୟୀ ବାସିନ୍ଦା ହୋଇଥିବେ। ଏଭଳି ନିୟମ ଫଳରେ କାଁଭାଁ କିଛି ଦୋକାନୀ ଘର ପାଇଁ ଆବେଦନ କରିଥିବା ବେଳେ ବର୍ଷ ବର୍ଷ ଧରି ଏଠାରେ ଦୋକାନ କରିଥିବା ଲୋକେ ଏଥିରୁ ବଞ୍ଚିତ ହେଉଛନ୍ତି। ସ୍ଥାନୀୟ ପରିବା ବଜାରର ବ୍ୟବସାୟୀ ଚନ୍ଦ୍ରଶେଖର ପଣ୍ଡା ଓ ନିମାଇଁ ଚରଣ ଘୋଷଙ୍କ କହିବା ଅନୁଯାୟୀ ସେମାନେ ଏଠାରେ ୨୦ ବର୍ଷ ହେଲାଣି ପରିବା ବିକୁଛନ୍ତି। ସକାଳ ହେଲେ ଦୋକାନ ମେଲାନ୍ତି ଆଉ ସନ୍ଧ୍ୟା ହେଲେ ଦୋକାନ ଉଠାଇ ନିଅନ୍ତି। ସ୍ଥାୟୀ ଦୋକାନ ଗୃହ ଆବେଦନ ପାଇଁ ଇଚ୍ଛା ଥିଲେ ମଧ୍ୟ ଲକ୍ଷାଧିକ ଟଙ୍କା ଦାବି କରାଯାଉଥିବାରୁ ଏହା ସମ୍ଭବ ହୋଇ ପାରୁନାହିଁ। ଏମାନଙ୍କ ଭଳି ଅନେକ ଦୋକାନୀ ଅଛନ୍ତି ଯେଉଁମାନେ ଦୀର୍ଘ ବର୍ଷ ହେଲାଣି ସ୍ଥାୟୀ ଦୋକାନ ଗୃହଟିଏ ପାଇବା ପାଇଁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି।

ତେବେ ନିଜ ଲୋକଙ୍କୁ ଦୋକାନ ଗୃହ ଦେବାକୁ ଭିତିରି ଷଡଯନ୍ତ୍ର ଚାଲିଥିବାରୁ ପୌର ପରିଷଦ କର୍ତ୍ତୃପକ୍ଷ ନିୟମକୁ ଆଳ କରି ଚାଲିଛନ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ଏଥିରେ ରାଜନୀତି ଫାଇଦା ନେବାକୁ ଜାଣିଶୁଣି ଗୃହ ଆବଣ୍ଟନରେ ବିଳମ୍ବ କରାଯାଉଛି। ଏନେଇ ନଗରପାଳଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ବି ଫୋନ୍‌ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର