କାରଖାନା, ଠିକାଶ୍ରମିକଙ୍କ ପାଇଁ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି କାରଖାନା ଆଇନ, ୧୯୪୮ରେ ବଡ଼ ସଂଶୋଧନ ଆଣିଛନ୍ତି। କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି କ୍ରମରେ କାରଖାନା ଆଇନ ପରିସରଭୁକ୍ତ ହେବା ଲାଗି ସର୍ବନିମ୍ନ ଶ୍ରମିକ ନିୟୋଜନ ସୀମା ବୈଦ୍ୟୁତିକ ଶକ୍ତି ପ୍ରୋୟଗ ସହିତ ୧୦ରୁ ୨୦ ଓ ବୈଦ୍ୟୁତିକ ଶକ୍ତି ବିନା ୨୦ରୁ ୪୦କୁ ବୃଦ୍ଧି କରାଯାଇଛି। ତେଣୁ ଯେଉଁ କାରଖାନାଗୁଡିକରେ ବିଦ୍ୟୁତ ଶକ୍ତି ପ୍ରୟୋଗ ବିଶିଷ୍ଟ କାର୍ଯ୍ୟରେ ୨୦ରୁ କମ୍ ଓ ବିଦ୍ୟୁତ ବିହୀନ ଶିଳ୍ପ କାର୍ଯ୍ୟରେ ୪୦ରୁ କମ୍ ଶ୍ରମିକ ନିୟୋଜିତ ଥିବେ, ସେମାନେ ସରକାରୀ ଦେୟ, ନକ୍ସା ମଞ୍ଜୁରୀ, ସନନ୍ଦ ନବୀକରଣ ଓ ନିୟମିତ ନିରୀକ୍ଷଣରୁ ମୁକ୍ତ ହେବେ।

କେବଳ ସେତିକି ନୁହେଁ, ଜନସ୍ବାର୍ଥ ନିମନ୍ତେ ଆବଶ୍ୟକ ହେଲେ ଏହି ସେଂଶାଧନର ୧୦୦୦ ଦିନ ମଧ୍ୟରେ ଯେଉଁ ନୂତନ ସ୍ଥାପିତ କାରାଖାନାଗୁଡିକର ଉତ୍ପାଦନ ଆରମ୍ଭ ହେବ, ସେମାନଙ୍କୁ ୧୦୦୦ ଦିନ ଯାଏ କାରଖାନା ଆଇନର ଅନେକ ଗୁଡିକ ଧାରାର ପ୍ରୟୋଗରୁ ସରକାର ରିହାତି କରିପାରିବେ।

ମେ’ ୨୯ ତାରିଖ ଦିନ ମଞ୍ଜୁର ହୋଇଥିବା ଅନ୍ୟାନ୍ୟ ସଂଶୋଧନ ପ୍ରସ୍ତାବ ଯଥା ସହମତି ଭିତ୍ତିରେ ସନ୍ଧ୍ୟା ପରେ ଶ୍ରମିକମାନଙ୍କର ନିୟୋଜନ, ତୈମାସିକ ଅଧିକାଳିକ ସମୟର ଅବଧି ୭୫ ଘଣ୍ଟାରୁ ୧୧୫ ଘଣ୍ଟାକୁ ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହାବ୍ୟତୀତ ଅର୍ଜିତ ଛୁଟି ଉପଲବ୍ଧର ସୀମା ୨୪୦ ପାରିଶ୍ରମିକ ଦିବସରୁ ୧୮୦ ପାରିଶ୍ରମିକ ଦିବସକୁ ହ୍ରାସ ଓ ଆଇନ ଅଦାଲତରେ ଛନ୍ଦି ନ ହେବା ପାଇଁ ମୌଖିକ ଛୋଟମୋଟ ତ୍ରୁଟି ନିମନ୍ତେ ମକଦ୍ଦମା ରୁଜୁ କରାନଯାଇ ଜରିମାନା ବ୍ୟବସ୍ଥା ପ୍ରସ୍ତାବରେ ବି ମୋହର ଲାଗିଛି।

ଉଲ୍ଲେଖଯୋଗ୍ୟ, ଏକ ଅଧ୍ୟାଦେଶ ମାଧ୍ୟମରେ ସରକାର ମେ’ ୨୯ ତାରିଖରେ ଏହି ଆଇନ ଅଧୀନସ୍ଥ କେତେକ ଧାରାରେ ପରିବର୍ତ୍ତନ କରିଥିଲେ। ଏହି ଅଧ୍ୟାଦେଶ ପ୍ରଣୟନ ପରିପ୍ରେକ୍ଷୀରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଠାରୁ କିଛି ପରାମର୍ଶ ଲୋଡିଥିଲେ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଠାରୁ ମିଳିଥିବା ପରାମର୍ଶ ତଥା ଅତିରିକ୍ତ ପ୍ରସ୍ତାବକୁ ଧ୍ୟାନରେ ରଖି ଆଜି ପୁନଃ ନିରୀକ୍ଷିତ ପ୍ରସ୍ତାବ କ୍ୟାବିନେଟ୍ ସାମ୍ନାକୁ ଆସିଥିଲା।

ସେହିଭଳି ଏକ ଅଧ୍ୟାଦେଶ ମାଧ୍ୟମରେ ସରକାର ଠିକା ଶ୍ରମିକ (ନିୟନ୍ତ୍ରଣ ଓ ନିଷେଧ) ଆଇନ, ୧୯୭୦ର ଧାରା ୧(୪) ସଂଶୋଧନ କରିଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ଠିକା ଶ୍ରମିକ (ନିୟନ୍ତ୍ରଣ ଓ ନିଷେଧ) ଆଇନ ୨୦ ଜଣ କିମ୍ବା ତା ଠାରୁ ଅଧିକ ଠିକା ଶ୍ରମିକ କାର୍ଯ୍ୟ କରୁଥିବା ସଂସ୍ଥାରେ ଲାଗୁ ହେଉଥିଲା। ବର୍ତମାନ ଏହି ସେଂଶାଧନ ଫଳରେ ୫୦ ଜଣ କିମ୍ବା ତା ଠାରୁ ଅଧିକ ଶ୍ରମିକ ନିୟୋଜିତ ଥିବା ସଂସ୍ଥା ଏବଂ ଠିକାଦାରମାନଙ୍କ ପାଇଁ ଏହି ଆଇନ ଲାଗୁ ହେବ। ଏହାଫଳରେ ୫୦ରୁ କମ୍ ଠିକା ଶ୍ରମିକଙ୍କୁ ନେଇ କାର୍ଯ୍ୟ କରୁଥିବା ସଂସ୍ଥା କିମ୍ବା ଠିକାଦାରଙ୍କୁ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍ ଅଥବା ଲାଇସେନ୍ସ ନେବାକୁ ପଡିବ ନାହିଁ। ଏହାଦ୍ବାରା ବ୍ୟବସାୟକୁ ସୁହାଇବା ଭଳି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ ତଥା ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର