ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ଖୋଲିବନି ନୂଆ କଲେଜ

ଭୁବନେଶ୍ବର : ଆବଶ୍ୟକ ଭିତ୍ତିଭୂମି ନ ଥାଇ ଘରୋଇ କଲେଜ ଖୋଲୁ ଥିବାରୁ ୨୦୨୫-୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ନୂତନ ଡିଗ୍ରି ଓ ପ୍ରଫେସନାଲ କଲେଜ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ଦିଆଯିବ ନାହିଁ। ସାମ୍‌ସ ତଥ୍ୟ ଅନୁଯାୟୀ, ଗତ ୫ବର୍ଷ ହେଲା କଲେଜଗୁଡ଼ିକୁ ଅନୁମୋଦିତ ହୋଇଥିବା ସିଟ୍‌ ପୂରଣ ହେଉନାହିଁ। ୨୦୧୬-୧୭ ଶିକ୍ଷାବର୍ଷରେ ୯୧.୨୪% ସିଟ୍‌ ପୂରଣ ହୋଇଥିବା ବେଳେ ୨୦୨୦-୨୧ ଶିକ୍ଷାବର୍ଷରେ ତାହା ୬୭.୭୮%କୁ ହ୍ରାସ ପାଇଛି। ତେଣୁ ବ୍ୟବସାୟୀକରଣକୁ ପ୍ରାଧାନ୍ୟ ନ ଦେଇ ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଉଚ୍ଚଶିକ୍ଷା ବିଭାଗ ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, କୋଭିଡ୍‌-୧୯ ପାଇଁ ୨୦୨୦ରେ କମିଟିର ବୈଠକ ହୋଇପାରି ନ ଥିଲା। ତେବେ ଏହି ସମୟ ମଧ୍ୟରେ ୮ଟି ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ମାନ୍ୟତା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ତେଣୁ ସେଗୁଡ଼ିକ ଏହି କମିଟିରେ ଉପସ୍ଥାପିତ ହୋଇଥିଲା। ସେଥିରୁ ୭ଟିକୁ ଅନୁମୋଦନ କରାଯାଇଛି। ୨୦୨୧-୨୨ରେ ନୂଆ ଡିଗ୍ରି କଲେଜ ଖୋଲିବାକୁ ଅନୁମତି ମିଳିବ ନାହିଁ। ଚଳିତ ଶିକ୍ଷାବର୍ଷରେ ନୂଆ ପାଠ୍ୟକ୍ରମ ଖୋଲିବା ନେଇ ମଧ୍ୟ ଆଲୋଚନା ହୋଇଛି। ନାକ୍‌ ୨.୦୧ ଗ୍ରେଡ୍‌/ଏନ୍‌ଆଇଆରଏଫ୍‌ର ଶ୍ରେଷ୍ଠ ୨୦୦ ମଧ୍ୟରେ ସ୍ଥାନ ପାଇଥିବା/ଶିକ୍ଷାନୁଷ୍ଠାନର ଏକ-ତୃତୀୟାଂଶ ପାଠ୍ୟକ୍ରମ ଏନ୍‌ବିଏ ଅନୁବନ୍ଧିତ ଥିବା କିମ୍ବା ସ୍ବୟଂଶାସିତ ମାନ୍ୟତା ଥିବା ଶିକ୍ଷାନୁଷ୍ଠାନକୁ ନୂଆ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିବ। ବିଶ୍ବବିଦ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ମିଳିତ ଯାଞ୍ଚ ପରେ ଯାଇ ଅନୁମତି ଦିଆଯିବ। ସିଟ୍‌ ବୃଦ୍ଧି କ୍ଷେତ୍ରରେ ବି ଏହି ନିୟମ ଲାଗୁ ହେବ। ୨୦୨୦ ଅକ୍ଟୋବର ୧ରୁ ନଭେମ୍ବର ୩୦ ମଧ୍ୟରେ ସ୍ଥାୟୀ ମାନ୍ୟତା ପାଇଁ ୨୨୪ଟି ବେସରକାରୀ କଲେଜ ପାଖରୁ ଉଚ୍ଚଶିକ୍ଷା ବିଭାଗକୁ ଆବେଦନପତ୍ର ଆସିଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ବାରା ଯାଞ୍ଚ ପରେ ଏ ଦିଗରେ ପଦକ୍ଷେପ ନିଆଯିବ। ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ୮୩ଟି ପ୍ରସ୍ତାବ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର