ପ୍ରଥମ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି: ଦେଇଥିବା କଥା ରଖିଲେ

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ହେଲେ ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲାଯିବ। ମହାପ୍ରଭୁଙ୍କ ଶ୍ରଦ୍ଧାଳୁମାନେ ଚାରି ଦ୍ବାର ଦେଇ ପ୍ରବେଶ କରି‌ବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ବିଜେପି ସରକାରର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆସନ୍ତାକାଲି (ଗୁରୁବାର) ସକାଳେ ମହାପ୍ରଭୁଙ୍କ ମଙ୍ଗଳଆରତୀ ସମୟରେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଉପସ୍ଥିତିରେ ଚାରି ଦ୍ବାର ଖୋଲାଯିବ। ଏଥିପାଇଁ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଆଜି ପୁରୀ ଗସ୍ତରେ ଯାଇ ସେଠାରେ ରାତ୍ରିଯାପନ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ କିଛି ବର୍ଷ ହେବ ତିନି ଦ୍ବାର ବନ୍ଦ ଥିବା ହେତୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାଦ୍ବାରା ଭକ୍ତ ଓ ଭଗବାନଙ୍କ ଭିତରେ ଏକ ବ୍ୟବଧାନ ସୃଷ୍ଟି ହେଉଥିଲା। ଚାରି ଦ୍ବାର ଖୋଲାଯିବା ଦ୍ବାରା ଏହି ବ୍ୟବଧାନ ଦୂର ହେବ।

ଆଜି ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ଉପରୋକ୍ତ ନିଷ୍ପତ୍ତି ସମେତ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି। କ୍ୟାବିନେଟ୍‌ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆମର ଦ୍ବିତୀୟ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରର ଉନ୍ନତୀକରଣ, ସଂରକ୍ଷଣ, ବିକାଶ, ତୀର୍ଥଯାତ୍ରୀଙ୍କ ପାଇଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡ୍‌ର ବ୍ୟବସ୍ଥା କରିବେ।

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର
ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବ୍ୟବଧାନ ଦୂର ହେବ: ମୁଖ୍ୟମନ୍ତ୍ରୀ
ଶ୍ରୀମନ୍ଦିର ବିକାଶ ପାଇଁ ୫୦୦ କୋଟିର କର୍ପସ ପାଣ୍ଠି
ଆସିବ କୃଷକ ସମୃଦ୍ଧ ନୀତି, ଧାନ କ୍ବିଣ୍ଟାଲ୍‌ ୩୧୦୦ ଟଙ୍କା
ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ୫୦ହଜାର ଟଙ୍କାର ଭାଉଚର୍
୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ ସଂକଳ୍ପ

ତୃତୀୟ ନିଷ୍ପତ୍ତି ହେଉଛି ରାଜ୍ୟର କୃଷକ ଭାଇଭଉଣୀ ମାନଙ୍କ ସଶକ୍ତୀକରଣ ପାଇଁ ଏକ ‘ସମୃଦ୍ଧ କୃଷକ ନୀତି’ ଆସିବ। ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ୧୦୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ। ଚତୁର୍ଥ ନିଷ୍ପତ୍ତି ଅନୁଯାୟୀ, ମହିଳାମାନଙ୍କୁ ଅଧିକ ସଶକ୍ତ କରାଯିବ। ପୂର୍ବ ସରକାର ମହିଳାଙ୍କ ପାଇଁ ମିସନ ଶକ୍ତି ସମେତ ବିଭିନ୍ନ ଯୋଜନା କରିଥିଲେ ବି ସେମାନଙ୍କ ଆର୍ଥିକ ଉନ୍ନତି ହୋଇନି। ତେଣୁ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ନଗଦ ଭାଉଚର ଦିଆଯିବ। ଆସନ୍ତାକାଲିଠାରୁ ଆଗାମୀ ୧୦୦ ଦିନ ମଧ୍ୟରେ ଏହାର ରୂପରେଖ ପ୍ରସ୍ତୁତ କରି ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିବା ପରେ ଲୋକସେବା ଭବନ ଆସି ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପରେ ମନ୍ତ୍ରୀ ପରିଷଦ ବୈଠକ ଓ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକ ପ୍ରାୟ ଦେଢ଼ ଘଣ୍ଟା ଚାଲିଥିବାବେଳେ ଏଥିରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଥିଲା।

 

ସମ୍ବନ୍ଧିତ ଖବର