କୋରାପୁଟ: କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ବିରାଟ ବିଭ୍ରାଟ। ଇଞ୍ଜେକ୍ସନ ନେବାପରେ ମଙ୍ଗଳବାର ରାତିରୁ ବୁଧବାର ସକାଳ ସୁଦ୍ଧା ୬ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏତେ ବଡ଼ ଘଟଣା ଘଟିବା ସତ୍ତ୍ବେ କେହି ମୁହଁ ଖୋଲୁନାହାନ୍ତି। ଚିକିତ୍ସା ତଥା ଇଞ୍ଜେକ୍ସନ ବିଷୟରେ ଆଦୌ କିଛି କହୁନାହାନ୍ତି। ଅନ୍ୟପଟେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ତଦନ୍ତ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ୫ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଥିବା ସୂଚନା ମିଳିଛି।
କଳାହାଣ୍ଡି ଜିଲ୍ଲାର ଫୁଲମତି ମାଝୀ କର୍କଟ, ସେମିଳିଗୁଡ଼ାର ସୁପ୍ରା ମାଝୀ ଏବଂ ଋକ୍ମିଣୀ ପେଣ୍ଠିଆ ଛୁରାମାଡ଼ ପରେ ଚିକିତ୍ସା ପାଇଁ ମେଡିକାଲ କଲେଜକୁ ଆସିଥିଲେ। ସେହିପରି କୋଟପାଡ଼ର ଜଗନ୍ନାଥ ପୂଜାରୀ ସଡ଼କ ଦୁର୍ଘଟଣାରେ ଆହତ ହୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ପରେ ସମସ୍ତଙ୍କୁ ସର୍ଜରି ବିଭାଗର ଆଇସିୟୁରେ ରଖାଯାଇଥିଲା। ସାଧାରଣ ସର୍ଜରି ୱାର୍ଡରେ ଭଗବାନ ପରିଜା ଏବଂ ବଟି ଖରାଙ୍କ ଚିକିତ୍ସା ଚାଲିଥିଲା। ରାତି ୯ଟାରୁ ୧୦ଟା ମଧ୍ୟରେ ସମସ୍ତ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା। ଇଞ୍ଜେକ୍ସନ ନେବାର ପ୍ରାୟ ଦୁଇ ଘଣ୍ଟା ପରେ ସୁପ୍ରା, ଋକ୍ମିଣୀ, ଫୁଲମତୀଙ୍କ ସହ ଭଗବାନ ଓ ବଟିଙ୍କ ମୃତ୍ୟୁ ହୋଇଥିଲା। ଆଜି ଭୋର ସମୟରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇଞ୍ଜେକ୍ସନ ନେବାର କିଛି ଘଣ୍ଟା ପରେ ସମସ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ସଂପର୍କୀୟ ପ୍ରବଳ ପାଟିତୁଣ୍ଡ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ତଥା ଭୁଲ୍ ଇଞ୍ଜେକ୍ସନ୍ ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ଉତ୍ତେଜନା ବଢ଼ିବାରୁ ପୁଲିସ ପହଞ୍ଚି ୪ ରୋଗୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟ ଦୁଇ ରୋଗୀଙ୍କ ମୃତଦେହ ପରିବାର ଲୋକ ନେଇଯାଇଥିବା ସୂଚନା ମିଳିଛି।
୫ ଜଣିଆ ବିଶେଷଜ୍ଞ କମିଟି କରିବ ତଦନ୍ତ
ଆଜି ରିପୋର୍ଟ
ମେଡିକାଲ ଅଧୀକ୍ଷକ ତଥା ଡିନ୍ ଡାକ୍ତର ସୁଶାନ୍ତ କୁମାର ସାହୁ ପ୍ରାଥମିକ ତଦନ୍ତ ପରେ ଡାକ୍ତର କିମ୍ବା ନର୍ସଙ୍କ ଦ୍ବାରା କୌଣସି ଅବହେଳା ହୋଇନଥିବା କହିଛନ୍ତି। ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରୋଟକଲ୍ ଅନୁସାରେ ହିଁ ଇଞ୍ଜେକ୍ସନ ଦିଆଯାଇଥିଲା। ରୋଗୀଙ୍କୁ ଦିଆଯାଇଥିବା ଇଞ୍ଜେକ୍ସନକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଡିଏମ୍ଇଟି ତଦନ୍ତ ଲାଗି ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି। କଟକ ଏସ୍ସିବି ମେଡିକାଲ କଲେଜର ୨ଜଣ ସର୍ଜରି ପ୍ରଫେସର, ବ୍ରହ୍ମପୁର ମେଡିକାଲ କଲେଜର ଜଣେ ସର୍ଜରି, ଜଣେ ଭେଷଜ ଓ ଜଣେ ନିଶ୍ଚେତକ ବିଶେଷଜ୍ଞ ଏହି ଟିମ୍ରେ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ତଦନ୍ତ ଟିମ୍ ରିପୋର୍ଟ ଦାଖଲ କରିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ କରାଯିବ। ଡାକ୍ତର ଲେଖିଥିବା ଇଞ୍ଜେକ୍ସନ ହିଁ ରୋଗୀଙ୍କୁ ନର୍ସ ଦେଇଛନ୍ତି। ସମସ୍ତ ରୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି।
ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମଧ୍ୟ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଡିଓ ଦେବାଶିଷ ଗୌଡ଼, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ପିଡି ଡୁଡା ତପନ କୁମାର ନାୟକ ଓ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ପ୍ରମୁଖ ପହଞ୍ଚି ରେଡ୍କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ପୂର୍ବତନ ବିଧାୟକ ନିମାଇ ସରକାର ଓ କଂଗ୍ରେସ ସମ୍ପାଦକ ରୁପକ ତୁରୁକ ଡାକ୍ତରଖାନା ମୁଖ୍ୟ ଫାଟକ ନିକଟରେ କିଛି ସମୟ ଧାରଣାରେ ବସିଥିଲେ। ଅଧୀକ୍ଷକ ପହଞ୍ଚି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଂଜନ ସେଠୀ ଓ କାଉନ୍ସିଲର ଡିନ୍ଙ୍କ ସହ ଆଲୋଚନା କରିବା ପରେ ମୃତକଙ୍କ ପରିବାରକୁ ସାକ୍ଷାତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/05/f8YcWapcNC327hQKtGkP.jpg)