ବରଗଡ଼ ଲୋକସଭାରେ ବଡ଼ ଲଢେଇ: ଏଥର କାହାକୁ ବାଛିବେ ଜନତା?

ଅସନ୍ତୋଷ ଜାହିର କରୁଛନ୍ତି ଆଶାୟୀ ନେତା

ବରଗଡ଼: ଏଥରକ ବରଗଡ଼ ଲୋକସଭା ଆସନରେ ବଡ଼ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଜେଡି, ବିଜେପି ଓ କଂଗ୍ରେସ ତିନିଦଳର ନେତା ପ୍ରଚାର ଆରମ୍ଭ କରି ସାରିଲେଣି। କିନ୍ତୁ କିଛି କ୍ଷେତ୍ରରେ ପ୍ରାର୍ଥିତ୍ବକୁ ନେଇ ଆଶାୟୀମାନେ ଅସନ୍ତୋଷ ଜାହିର କରୁଛନ୍ତି। ବିଗତ ଲୋକସଭା ନିର୍ବାଚନଗୁଡ଼ିକରେ ସବୁଥର ନେତା ବଦଳାଉଥିବା ଜନତା ଏଥର କାହାକୁ ବାଛିବେ ତାକୁ ନେଇ ଚର୍ଚ୍ଚା ହୋଇଯାଇଛି। କିଛିଦିନ ତଳେ ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ ଲୋକସଭା ପ୍ରାର୍ଥୀ ଘୋଷଣାକୁ ନେଇ ଅସନ୍ତୋଷ ଜାହିର କରିଥିଲେ। ନବୀନ ନିବାସକୁ ଯାଇ ସେ ତାଙ୍କ ସଭ୍ୟ ପଦରୁ ଇସ୍ତଫା ଦେବା ସହ ଜିଲ୍ଲା ସଭାପତି ପଦ ଛାଡ଼ି ଥିଲେ। ଦଳ ତାଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା କହିଥିଲେ। ସେହିପରି ବରିଷ୍ଠ କଂଗ୍ରେସ ନେତା ପାଣ୍ଡବ କର୍ଣ୍ଣ ମଧ୍ୟ ନିଜ ଅସନ୍ତୋଷ ଜାହିର କରି କଂଗ୍ରେସ ବିରୋଧରେ ଗର୍ଜିଥିଲେ। ଦଳର ତୁଙ୍ଗ ନେତାମାନେ ଟିକଟ ବିକ୍ରି କରୁଥିବା ଭଳି ସଂଗିନ ଅଭିଯୋଗ ଆଣିଥିଲେ। କ୍ରମାଗତ ଭାବରେ ୪୫ ବର୍ଷ କାମ କରିବା ପରେ ବି ଟିକଟରୁ ବଞ୍ଚିତ ଥିବାରୁ ଅସନ୍ତୋଷ ଜାହିର କରିଥିଲେ। ଅନ୍ୟ କେତେଜଣ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ପ୍ରାର୍ଥିତ୍ବକୁ ନେଇ ନାନା କଥା କହୁଛନ୍ତି। ଏସବୁ ଭିତରେ ଲୋକସଭା ପ୍ରାର୍ଥୀ ସଞ୍ଜୟ ଭୋଇଙ୍କ ନାମ ଗତ ଏପ୍ରିଲ ୨ ତାରିଖରୁ ଘୋଷଣା ହୋଇଥିଲେ ବି ବର୍ତ୍ତମାନ ଯାଏଁ ଅନେକ କର୍ମକର୍ତ୍ତା ଭେଟିନଥିବା କହିଛନ୍ତି। ଲୋକସଭା ପ୍ରାର୍ଥୀ ସଞ୍ଜୟଙ୍କୁ ଯୋଗାଯୋଗ କରିବାରୁ ସେ ଆଜି ନୃସିହନାଥରେ ପୂଜାର୍ଚ୍ଚନା ପରେ ଝାରବନ୍ଧରେ ପ୍ରଚାର ଆରମ୍ଭ କରିଛନ୍ତି ଏବଂ ଆସନ୍ତାକାଲି ବରଗଡ଼ ଆସିବେ ବୋଲି ସୂଚନା ଦେଇଛନ୍ତି।

ଏସବୁ ଭିତରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରଚାର ଅଭିଯାନ ଚଳାଇଛନ୍ତି। କିନ୍ତୁ ବିଜେପିରୁ ସଦ୍ୟ ବିଜେଡିକୁ ଯାଇଥିବା ସୁଶାନ୍ତ ମିଶ୍ରଙ୍କ ପତ୍ନୀ ପରିଣୀତା ମିଶ୍ର ଏଥର ଲୋକସଭାରୁ ବିଜେଡି ପ୍ରାର୍ଥୀ। ତେବେ ପୂର୍ବର ନିର୍ବାଚନ ଫଳାଫଳକୁ ଦେଖିଲେ, ଲୋକସଭାରେ ବରଗଡ଼ବାସୀ ନେତା ବଦଳାଇ ଆସିଛନ୍ତି। ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଭୋଇ ଜିଣିଥିବା ବେଳେ ୨୦୧୪ରେ ବିଜେଡି ପ୍ରାର୍ଥୀ ପ୍ରଭାସ ସିଂହ ଜିଣିଥିଲେ। ଆଉ ୨୦୧୯ରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଲୋକସଭାରୁ ଜିଣିଥିଲେ। ଏଣୁ ୨୦୨୪ ନିର୍ବାଚନରେ ଲୋକେ କାହାକୁ ଚୟନ କରିବେ ତାହା ସମୟ ହିଁ କହିବ।

ସମ୍ବନ୍ଧିତ ଖବର