ମୈଦାନରେ ଦିଅର-ଭାଉଜ ଓ ନେତାପୁଅ

ବଲାଙ୍ଗୀର : ବଲାଙ୍ଗୀର ଲୋକସଭା ଆସନରେ ନିର୍ବାଚନୀ ବିଗୁଲ ବାଜିସାରିଛି। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଦିଅର-ଭାଉଜ ପୁଣି ଥରେ ମୈଦାନକୁ ଓହ୍ଲାଇଥିବା ବେଳେ ଜଣେ ନେତାପୁଅଙ୍କ ଆବିର୍ଭାବ ବି ଘଟିଛି। ତେଣୁ ଏଥର ହାଇ ଭୋଲଟେଜ ଲଢ଼େଇ ହେବ ବୋଲି ଏବେଠୁ ଚର୍ଚ୍ଚା ଚାଲିଲାଣି।

ସାଂସଦ କଳିକେଶ ନାରାୟଣ ସିଂହଦେଓ ଏଠାରୁ ପୁଣିଥରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ଟକ୍କର ଦେବା ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ଭାଉଜ ତଥା ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ପତ୍ନୀ ସଂଗୀତା ସିଂହଦେଓ। ସେପଟେ ସବୁବର୍ଷ ଭଳି ଦିଅର-ଭାଉଜ ଲଢ଼େଇକୁ ତ୍ରିମୁଖୀ ସମରରେ ପରିଣତ କରିବାକୁ ଏଥର କଂଗ୍ରେସ ନୂଆ ରଣନୀତି ଆପଣେଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଗୋଟିଏ ପଟେ ରାଜପରିବାର ଓ ଅନ୍ୟ ପଟେ ନରସିଂହଙ୍କ ପ୍ରଭାବ ଏହି ତ୍ରିମୁଖୀ ଲଢ଼େଇକୁ ଜୋରଦାର କରିବ ବୋଲି ଆଶା କରାଯାଉଛି।

ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ। ମେଣ୍ଟ ରାଜନୀତିରେ ଏଠାରୁ ମହିଳା ସାଂସଦ ଭାବେ ସଂଗୀତା ପ୍ରତିନିଧିତ୍ୱ କରୁଥିଲେ। ୧୯୯୮, ୧୯୯୯ ଓ ୨୦୦୪ ନିର୍ବାଚନରେ ସଂଗୀତା ନିର୍ବାଚନ ଜିଣି ସାଂସଦ ରହିଥିଲେ। ତେବେ ୨୦୦୯ରେ ବିଜେଡି- ବିଜେପି ମେଣ୍ଟ ଭାଙ୍ଗିବା ପରେ ରାଜ ପରିବାରରୁ ଦିଅର ଭାଉଜଙ୍କ ଲଢ଼େଇ ଆରମ୍ଭ ହୋଇଥିଲା। ୨୦୦୯ ନିର୍ବାଚନରେ ବିଜେଡିର କଳିକେଶ ନାରାୟଣ ସିଂହଦେଓ ୯୦, ୮୩୫ ଭୋଟରେ ବିଜୟୀ ହୋଇଥିଲେ। କଳିକେଶ ୪, ୩୦, ୧୫୦ ଭୋଟ, କଂଗ୍ରେସ ଦଳର ନରସିଂହ ମିଶ୍ର ୩,୩୯,୩୧୫ ଭୋଟ, ବିଜେପିର ସଂଗୀତା ସିଂହଦେଓ ୧,୯୧,୭୩୯ ଭୋଟ ପାଇଥିଲେ। ୨୦୧୪ ନିର୍ବାଚନରେ ମୋଦୀ ହାୱା ସତ୍ୱେ କଳିକେଶ ୪,୫୩,୫୧୯ ଭୋଟ ପାଇଥିବା ବେଳେ ସଂଗୀତା ୩,୪୯,୨୨୦ ଭୋଟ ପାଇଥିଲେ। କଂଗ୍ରେସରୁ ଶରତ ପଟ୍ଟନାୟକ ୨,୭୭,୬୧୬ ଭୋଟ ପାଇଥିଲେ। କଳିକେଶ ନିଜ ଭାଉଜଙ୍କୁ ୧, ୦୪, ୨୯୯ ଭୋଟରେ ପରାସ୍ତ କରିଥିଲେ।

ଚଳିତ ୨୦୧୯ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ ୧୨ ଲକ୍ଷ ୬୩ ହଜାର ୨୦୧ ଭୋଟର ଓ ସୋନପୁର ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନମଣ୍ଡଳୀର ୪ ଲକ୍ଷ ୫୦ ହଜାର ୭୯୫ ଭୋଟର ମତଦାନ କରିବେ। ବିଜେଡିରୁ ପ୍ରାର୍ଥୀ ହୋଇଥିବା କଳିକେଶ ହେଉଛନ୍ତି ବିଜେଡିରେ ଦବଦବା ରଖି ଆସିଥିବା ତଥା ରାଜ୍ୟ ଉପସଭାପତି ଅନଙ୍ଗଉଦୟ ସିଂହଦେଓଙ୍କ ପୁଅ। ୨୦୦୪ ମସିହାରେ ବିଜେଡି ପ୍ରାର୍ଥୀ ଭାବେ ସଇଁନ୍ତଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ଏକ ନୂଆ କ୍ଷେତ୍ର ହୋଇଥିଲେ ବି ଭୋଟରଙ୍କୁ ଆକର୍ଷିତ କରିଥିଲେ। ୨୦୦୯ରେ ବିଜେଡି ଓ ବିଜେପି ମେଣ୍ଟ ଭାଙ୍ଗିବା ପରେ ବଲାଙ୍ଗୀର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। କଂଗ୍ରେସର ଅଭିଜ୍ଞ ରାଜନେତା ନରସିଂହ ମିଶ୍ରଙ୍କୁ ୯୦ ହଜାରରୁ ଅଧିକ ଭୋଟରେ ପରାଜିତ କରି ସାଂସଦ ହୋଇଥିଲେ।

କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସମରେନ୍ଦ୍ର ମିଶ୍ର ୨୦୧୪ରୁ ରାଜନୀତିକୁ ପ୍ରତ୍ୟକ୍ଷ ଭାବରେ ଓହ୍ଲାଇଥିଲେ। ପ୍ରଥମେ ସେ ଏଆଇସିସି ସଦସ୍ୟ ମନୋନୀତ ହୋଇଥିଲେ। ପରେ ସେ ପିସିସିର ବରିଷ୍ଠ ମୁଖପାତ୍ର ଭାବରେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ନିର୍ବାଚନ ଇସ୍ତାହାର କମିଟିର ସଂଯୋଜକ ମଧ୍ୟ ରହିଛନ୍ତି। ନରସିଂହ ମିଶ୍ର ବିରୋଧୀ ଦଳ ନେତା ହେବା ପରେ ପୁଅ ସମରେନ୍ଦ୍ରଙ୍କୁ ପ୍ରୋଜେକ୍ଟ କରି ଆସୁଥିଲେ। ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସର ବିଗତ ଦିନରେ ହୋଇଥିବା ସମାବେଶମାନଙ୍କରେ ସମରେନ୍ଦ୍ର ହିଁ ନେତୃତ୍ୱ ନେଉଥିଲେ। ଏଣୁ ଏଥର ସମରେନ୍ଦ୍ରଙ୍କୁ କଂଗ୍ରେସ ଭରସା ରଖିଛି। ଏଣୁ ଚଳିତ ନିର୍ବାଚନରେ ବଲାଙ୍ଗୀର ଲୋକସଭାରେ ତ୍ରିମୁଖୀ ଲଢେଇ ହେବ ବୋଲି ରାଜନୈତିକ ବିଶାରଦମାନେ ମତବ୍ୟକ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର