ଭୁବନେଶ୍ବର: ୨୦୧୯ରେ ୪୨ ବିଧାନସଭା ଆସନରୁ ୩୩ରେ ବିଜେଡି ଜିତିଥିଲା। ୬ ଲୋକସଭା ଆସନରୁ ବିଜେଡିର ଥିଲା ୪। ଉପକୂଳ-ଉତ୍ତର ଓଡ଼ିଶାରେ ୫ଟି ସଂସଦୀୟ କ୍ଷେତ୍ର ବିଜେଡିର ଗଡ଼। ଆଉ ମୟୂରଭଞ୍ଜ ବିଜେପିର ଗଡ଼। ଏଥର ନିର୍ବାଚନର ଶେଷ ପର୍ଯ୍ୟାୟରେ ଅର୍ଥାତ ୧ ତାରିଖରେ ଏହି ଆସନଗୁଡ଼ିକରେ ମତଦାନ ହେବ। ବିଜେଡି ତା’ର ଗଡ଼କୁ ସୁରକ୍ଷିତ ରଖିବାକୁ ଜୋର୍‌ଦାର ଉଦ୍ୟମ କରୁଛି। ସାରା ଓଡ଼ିଶାରେ ସାଂଗଠନିକ ଦକ୍ଷତା ରଖିଥିବା ବଛା ବଛା ନେତା ଓ ବିଧାୟକଙ୍କୁ ଏବେ ଦାୟିତ୍ବ ବାଣ୍ଟିଦେଇଛି।ସେପଟେ ମୟୂରଭଞ୍ଜକୁ ସୁରକ୍ଷିତ ରଖି ବିଜେଡି ଗଡ଼ରେ ଧସେଇ ପଶିବାକୁ ବିଜେପି ପ୍ରସ୍ତୁତ। ପୂରା ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରି ନେତାମାନେ ଲାଗି ପଡ଼ିଛନ୍ତି। କଂଗ୍ରେସ ଗତ ଥର ଖାତା ଖୋଲି ନଥିଲା ସତ। ଏଥର କିନ୍ତୁ କିଛି ନିର୍ଦ୍ଦିଷ୍ଟ ଆସନରେ ଦଳ କଡ଼ା ମୁକାବିଲା ଦେଉଛି ବିଜେଡି ଓ ବିଜେପିକୁ।

Advertisment

ଏମିତି ଚିତ୍ର ଏବେ ୬ ସଂସଦୀୟ କ୍ଷେତ୍ରରେ ଦେଖିବାକୁ ମିଳିଛି। ପୂରା ଘମାଘୋଟ ଲଢ଼େଇ ଚାଲିଛି ଏହି ଆସନଗୁଡ଼ିକରେ। ଓଡ଼ିଶାର ଫୋକସ୍ ଏବେ ଏଠାରେ। ଶେଷ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେଉଛି। ପ୍ରଥମ ତିନି ପର୍ଯ୍ୟାୟରେ ଟ୍ରେଣ୍ଡ୍ କିପରି ରହିଥିଲା, ତାହାକୁ ଗୁରୁତ୍ବ ନଦେଇ ତୃଣମୂଳ ସ୍ତରରେ ଭୋଟ୍ ମ୍ୟାନେଜ୍‌ମେଣ୍ଟ୍‌ରେ ସମସ୍ତେ ବ୍ୟସ୍ତ। ତିନି ଦଳର ନେତାମାନଙ୍କର ଏତେ ଭିଡ଼ ରହୁଛି ଯେ ଏହିସବୁ ଅଞ୍ଚଳରେ ଥିବା ହୋଟେଲ୍‌, ଅତିଥି ଭବନରେ ଖଚାଖଚ୍‌ ଭିଡ଼ ହୋଇଯାଇଛି।

୨୦୧୯ରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଲୋକସଭା ଆସନ ସହ ୭ଟି ଯାକ ବିଧାନସଭା ଆସନରେ ବିଜେଡି ଜିତିଥିଲା। ଭଦ୍ରକରେ ଲୋକସଭା ଆସନ ସହ ୬ଟି ବିଧାନସଭା ଆସନରେ ବିଜେଡି ଜିତିଥିଲା। କେବଳ ଧାମନଗରରେ ବିଜେପି ବିଜୟ ଲାଭ କରିଥିଲା। ବାଲେଶ୍ବରରେ ୪ଟି ବିଧାନସଭା ଆସନରେ ବିଜେଡି ଜିତିଥିଲା। ତେବେ ଏଠାରେ ଲୋକସଭା ଆସନ ସହ ତିନିଟି ବିଧାନସଭା ଆସନ ବାଲେଶ୍ବର, ନୀଳଗିରି ଓ ବଡ଼ସାହିରେ ବିଜେପି ଜିତିଥିଲା। ଅବଶ୍ୟ ପରେ ହୋଇଥିବା ଉପନିର୍ବାଚନରେ ବିଜେପି ହାତରୁ ବାଲେଶ୍ବର ଆସନଟି ଛଡ଼ାଇ ଆଣିଥିଲା ବିଜେଡି। ମୟୂରଭଞ୍ଜରେ ଲୋକସଭା ଆସନ ସହ ୫ଟି ବିଧାନସଭା ଆସନରେ ବିଜେପି ଜିତିଥିଲା। କେବଳ ବାଙ୍ଗିରିପୋଷି ଓ ମୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଖାତାକୁ ଯାଇଥିଲା।

୪୨ ଆସନରେ ରାଜନୀତି ସରଗରମ
ଗଡ଼ ସୁରକ୍ଷିତ ରଖିବାକୁ ବିଜେଡିର ସମରସଜ୍ଜା
ଗଡ଼ ଦଖଲ ଲାଗି ଜୋର୍‌ ଲଗାଇଛି ବିଜେପି
କିଛି ଆସନରେ କଂଗ୍ରେସର ଭିନ୍ନ ରଣନୀତି

ଏହି ପର୍ଯ୍ୟାୟରେ ତିନି ଦଳର ବହୁ ମହାରଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ବିଜେଡିର ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ତୁଷାରକାନ୍ତି ବେହେରା, ଅଶ୍ବିନୀ ପାତ୍ର ଓ ସୁଦାମ ମାର୍ଣ୍ଡି, ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଭାଗ୍ୟ ପରୀକ୍ଷା ହେଉଛି। ସେମିତି ବିଜେପିର ବଡ଼ ଚେହେରା ମଧ୍ୟରେ ଅଛନ୍ତି ବୈଜୟନ୍ତ ପଣ୍ଡା, ମନମୋହନ ସାମଲ ଓ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ। କଂଗ୍ରେସର ହେଭିୱେଟ୍ ନେତା ନିରଞ୍ଜନ ପଟ୍ଟନାୟକ ଓ ଶ୍ରୀକାନ୍ତ ଜେନା ମଧ୍ୟ ଏହି ପର୍ଯ୍ୟାୟରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ଲଢ଼େଇ ଏହି ପର୍ଯ୍ୟାୟରେ ହେଉଛି। କାରଣ ପ୍ରଥମ ତିନି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାରୁ ସମସ୍ତଙ୍କ ଫୋକସ୍‌ରେ ଏବେ ଏହି ଆସନଗୁଡ଼ିକ ରହିଛି। ବିଜେଡି ପକ୍ଷରୁ ଏବେ ବହୁ ନେତାଙ୍କୁ ଏହି ଆସନଗୁଡ଼ିକରେ ଦାୟିତ୍ବ ବାଣ୍ଟି ଦିଆଯାଇଛି। ନିର୍ବାଚନ ସରିଯାଇଥିବା ସ୍ଥାନଗୁଡ଼ିକର ବିଧାୟକ ଓ ଟାଣୁଆ ସଂଗଠକମାନଙ୍କୁ ଏଠାରେ ନିୟୋଜିତ କରି ପଞ୍ଚାୟତ ଜଗିବାକୁ କୁହାଯାଇଛି। କୌଣସି ପ୍ରକାର ଯେମିତି ବିଜେଡି ଗଡ଼ ହଲ୍‌ଚଲ୍ ନହୁଏ, ସେଥି ପାଇଁ ସବୁ ପ୍ରକାର କୌଶଳ ଲଗାଇ ଦିଆଯାଇଛି।

ପାଖାପାଖି ୪୦ ଜଣ ବିଧାୟକଙ୍କୁ ଏହିସବୁ ଆସନଗୁଡ଼ିକରେ ନିୟୋଜିତ କରାଯାଇଛି। ତାଙ୍କ ସହ ଦଳର ବହୁ କର୍ମକର୍ତ୍ତା ବି ସାମିଲ୍‌ ହୋଇଛନ୍ତି। ଗାଁ ଓ ପଞ୍ଚାୟତ ସ୍ତରରେ ସକ୍ରିୟ ରହି ଦଳୀୟ ପ୍ରାର୍ଥୀଙ୍କୁ ସବୁପ୍ରକାର ସହଯୋଗ ଯୋଗାଇଦେବାକୁ କୁହାଯାଉଛି। ମୁଖ୍ୟମନ୍ତ୍ରୀ ପୂର୍ବରୁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ପ୍ରଚାର କରିସାରିଛନ୍ତି। ଆଜି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନରେ ପ୍ରଚାର କରିଛନ୍ତି। ଆସନ୍ତା ୩ ଦିନ ଭିତରେ ପୁନର୍ବାର କିଛି ଜାଗାକୁ ପ୍ରଚାରକୁ ଯିବା ପାଇଁ ଯୋଜନା ଚାଲିଛି। ବିଜେପି ବି ଜୋର୍ ଲଗାଇଦେଇଛି। ପରିବର୍ତ୍ତନର ନାରା ଦେଇ ବିଜେପି ପ୍ରାର୍ଥୀମାନେ ଏବେ ଦିନରାତି ଏକ୍ କରିଦେଇଛନ୍ତି। ପୂରା ଜୋସ୍‌ରେ ବିଜେଡିକୁ ମୁକାବିଲା କରୁଥିବା ଦେଖିବାକୁ ମିଳୁଛି। ଦଳୀୟ କର୍ମକର୍ତ୍ତାଙ୍କୁ ଶେଷ ମୂହୁର୍ତ୍ତରେ ଆହୁରି ବଳ ଦେବାକୁ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୁଛନ୍ତି। ଏକାଥରେ ତିନିଟି ସଂସଦୀୟ କ୍ଷେତ୍ରେ ସମାବେଶ କରିବେ। ବାରିପଦା, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ସେ ଉଦ୍‌ବୋଧନ ଦେବେ। ଆସନ୍ତାକାଲି ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ତିନିଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ପ୍ରଚାର ଅଭିଯାନକୁ ତ୍ବରାନ୍ବିତ କରିସାରିଛନ୍ତି। ଏହା ବାଦ୍ ବିଜେପି ସଂଗଠନର କିଛି ଜଣାଶୁଣା କର୍ମକର୍ତ୍ତାଙ୍କୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦାୟିତ୍ବ ଦିଆଯାଇଛି। ସେମାନେ ସେଠାରେ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କୁ ରଣନୀତିରେ ସହଯୋଗ କରୁଛନ୍ତି। ବିଜେଡି ଓ ବିଜେପିର କଡ଼ା ମୁକାବିଲା ମଧ୍ୟରେ କଂଗ୍ରେସ ବି ଏହି ପର୍ଯ୍ୟାୟରେ ସଫଳତା ସାଉଁଟିବାକୁ ଲକ୍ଷ୍ୟ ରଖିଛି। ୨୯ ତାରିଖରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍‌‌ଗେ ଆସିବେ। ପ୍ରଚାରର ଶେଷ ଦିନରେ ଅର୍ଥାତ ୩୦ ତାରିଖରେ ରାହୁଲ ଗାନ୍ଧୀ ମଧ୍ୟ କଂଗ୍ରେସ ପାଇଁ ପ୍ରଚାରରେ ଆସିବେ।