କଟକ: ଭୁବନେଶ୍ବରର ଏକ କୋ-ଅପରେଟିଭ୍ ସୋସାଇଟି ଆସାମ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଜମାକାରୀଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଠକି ନେଇଛି। ବାର୍ଷିକ ୧୨ରୁ ୧୩ ପ୍ରତିଶତ ସୁଧ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକିନେଇଥିବା ସଂପର୍କରେ ଜମାକାରୀମାନେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି। ଆସାମର ତିନି ଜଣ ଜମାକାରୀ ସେମାନଙ୍କ ୧୧ ଲକ୍ଷ ୩୨ ହଜାର ଟଙ୍କା ଠକେଇ ହୋଇଥିବା ସଂପର୍କରେ ଏତଲାରେ ଦର୍ଶାଇଛନ୍ତି। ତାଙ୍କ ଭଳି ଏକାଧିକ ଜମାକାରୀ ଠକେଇର ଶିକାର ହୋଇଥିବା ସେମାନେ ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଆସାମ କରିମଗଞ୍ଜ ଜିଲ୍ଲାର ବଡ଼ରପୁର ଥାନା ଅନ୍ତର୍ଗତ ସିତଲ ବରି ଅଞ୍ଚଳର ଦୀପକ କୁମାର ଦେ’ ମଲ୍ଟିପରପଜ୍ କୋ-ଅପରେଟିଭ୍ ସୋସାଇଟି ଲିଃ’ର ବ୍ରହ୍ମପୁର ଶାଖାରେ ୨୦୧୫ ଜାନୁଆରି ୨୫ରେ ଏକ ଲକ୍ଷ ଟଙ୍କା ଜମା କରିଥିଲେ। ୨୦୧୮ ଜାନୁଆରି ୨୫ରେ ଏହା ମାଚ୍ୟୁରିଟି ହୋଇଥାନ୍ତା। ୨୦୧୫ ଜୁନ ୨୯ରେ ୩ ଲକ୍ଷ ଟଙ୍କା ଜମା କରିଥିଲେ। ଏହି ଦୁଇଟି ଜମା ବାବଦରେ ତାଙ୍କୁ ବାର୍ଷିକ ୧୨ ପ୍ରତିଶତ ସୁଧ ହିସାବରେ ଟଙ୍କା ମିଳିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ୨୦୧୭ ଜୁଲାଇ ୨୫ରେ ଏହି ଜମା ରାଶୀ ମାଚ୍ୟୁରିଟି ହୋଇ ୬ ଲକ୍ଷ ଟଙ୍କା ହୋଇଥାନ୍ତା। ଏହି ଦୁଇଟି ଜମା ରାଶି ମାଚ୍ୟୁରିଟି ସମୟ ହେବାରୁ ଦୀପକ ବ୍ରହ୍ମପୁରରେ ଥିବା ଏହି ସଂସ୍ଥାର ଶାଖା କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ଏହି କାର୍ଯ୍ୟାଳୟରେ ତାଲା ପଡ଼ିଥିଲା। ସଂସ୍ଥା ସହିତ ଯୋଗାଯୋଗ କରିବାକୁ ଯାଇ ନିରାଶ ହୋଇଥିଲେ। ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବର ଜୟଦେବ ବିହାରରେ ପହଞ୍ଚି ଯୋଗାଯୋଗ କରିବାକୁ ଯାଇ ନିରାଶ ହେବା ପରେ ଏ ସଂକ୍ରାନ୍ତରେ ଦୀପକ କ୍ରାଇମବ୍ରାଞ୍ଚରେ ଏତଲା ଦେଇଛନ୍ତି। ସେହିଭଳି ଆସାମ କାମରୁପ ମେଟ୍ରୋ ଜିଲ୍ଲା ଜନୁକବାର ଥାନା ଗୋଟାନଗର ଅଞ୍ଚଳର ସମ୍ପା ଘୋଷଙ୍କ ସ୍ବାମୀ କାର୍ତ୍ତିକ ଚନ୍ଦ୍ର ଘୋଷ ଆସାମ ସିଲଚର ଅଞ୍ଚଳରେ ଥିବା ଉପରୋକ୍ତ ସଂସ୍ଥାର ଶାଖା କାର୍ଯ୍ୟାଳୟରେ ୨ ଲକ୍ଷ ୧୬ ହଜାର ଟଙ୍କା ଜମା କରିଥିଲେ। ୨୦୧୪ ଜୁଲାଇ ୨୪ରେ କାର୍ତ୍ତିକ ଉକ୍ତ ସଂସ୍ଥାରେ ଆକାଉଣ୍ଟ ଖୋଲିଥିଲେ। ତାଙ୍କୁ ୧୨.୨୪ ପ୍ରତିଶତ ସୁଧର ଲୋଭ ଦେଖାଯାଇଥିଲା। ଯେତେବେଳେ ଏହି ଟଙ୍କା ମାଚ୍ୟୁରିଟି ହେଲା ସେତେବେଳେ କାର୍ତ୍ତିକ ଶାଖା କାର୍ଯ୍ୟାଳୟକୁ ଯିବା ପରେ ଉକ୍ତ କାର୍ଯ୍ୟାଳୟରେ ତାଲା ପଡ଼ିଥିଲା। ସେ ଭୁବନେଶ୍ବର ଜୟଦେବ ବିହାରରେ ଥିବା କାର୍ଯ୍ୟାଳୟରେ ପହଞ୍ଚି ଯୋଗାଯୋଗ କରିଥିଲେ ମଧ୍ୟ ନିରାଶ ହେବାରୁ ପତ୍ନୀ ସମ୍ପା କ୍ରାଇମବ୍ରାଞ୍ଚରେ ଫେରାଦ ହୋଇଛନ୍ତି।
ଆସାମ କରିମଗଞ୍ଜ ଜିଲ୍ଲା ବଡ଼ରପୁର ଥାନା ସିତଲ ବରି ଅଞ୍ଚଳର ସିବୁ ଲାଲ ଦେ ଆସାମ ସିଲଚର ଅଞ୍ଚଳରେ ଥିବା ଏହି କମ୍ପାନି କାର୍ଯ୍ୟାଳୟରେ ଏକ ଆକାଉଣ୍ଟ ଖୋଲିଥିଲେ। ୨୦୧୦ ଏପ୍ରିଲ ୧ରେ ସେ ୨ ଲକ୍ଷ ୧୬ ହଜାର ଟଙ୍କା ଜମା କରିଥିଲେ। ୨୦୧୬ ଜାନୁଆରି ୨୦ରେ ମାଚ୍ୟୁରିଟି ହେବା ନେଇ କହିଥିଲେ। ୨୦୧୪ ଫେବ୍ରୁଆରି ୨୮ରେ ସେ ଆଉ ଏକ ଆକାଉଣ୍ଟ ଖୋଲି ୩ ଲକ୍ଷ ଟଙ୍କା ଜମା କରିଥିଲେ। ତାଙ୍କୁ ବାର୍ଷିକ ୧୨.୨୪ ପ୍ରତିଶତ ସୁଧ ମିଳିବାର ପ୍ରତିଶ୍ରୁତି ଦିଆଯାଇଥିଲା। ୨୦୨୦ ଫେବ୍ରୁଆରି ୨୮ରେ ଏହା ମାଚ୍ୟୁରିଟି ହେବ ବୋଲି କୁହାଯାଇଥିଲା। କିନ୍ତୁ ଏହି ଜମା ଟଙ୍କା ମାଚ୍ୟୁରିଟି ହେବା ସମ୍ପର୍କରେ ଶାଖା କାର୍ଯ୍ୟାଳୟ କିମ୍ବା ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରୁ ନପାଇବା ଫଳରେ କ୍ରାଇମବ୍ରାଞ୍ଚରେ ଫେରାଦ ହୋଇ ଘଟଣାର ତଦନ୍ତ ଦାବି କରିଛନ୍ତି।