କୋଇଡ଼ା: ସଶକ୍ତ ଓଡ଼ିଶା ନାମରେ ସାରା ରାଜ୍ୟରେ ଚାଲିଥିବା ଏହି ବଡ଼ ଦୁର୍ନୀତିର ପର୍ଦ୍ଦାଫାସ କରିଛି କୋଇଡ଼ା ପୁଲିସ୍। ଏହି ଠକେଇର ମୁଖ୍ୟ ସୂତ୍ରଧର ବିଜୟ କୁମାର ପ୍ରଧାନକୁ ଭୁବନେଶ୍ବରରୁ ଉଠାଇ ଆଣିଛି। ବିଜୟର ଭୁବନେଶ୍ବର କାର୍ଯ୍ୟାଳୟକୁ ସିଲ୍ କରିବା ସହ କାଗଜପତ୍ର ଜବତ କରିଛି। ସୂଚନା ଅନୁଯାୟୀ ବିଜୟ ‘ସଶକ୍ତ ଓଡ଼ିଶା’ ନାଁରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଥିଲା ଓ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରୁଥିଲା। ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବାକୁ କହି ସେ ଠକେଇ ଜାଲ ବିଛାଇବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୭ ହଜାର ଟଙ୍କା ଦରମାରେ ମହିଳାମାନଙ୍କୁ ନିଯୁକ୍ତ କରିଥିଲା। ଏହି ମହିଳାମାନେ ଗାଁକୁ ଗାଁ ବୁଲି ଚାଷୀ, ଗୋପାଳକମାନଙ୍କୁ ଭେଟି ସରକାରଙ୍କ ‘କାମଧେନୁ’ ଯୋଜନାରେ ୫ ଲକ୍ଷ ଟଙ୍କା ଋଣ ଓ ୨ ଲକ୍ଷ ଟଙ୍କା ସରକାରୀ ସବ୍ସିଡି ମିଳିବ ବୋଲି ବୁଝାଉଥିଲେ। ସେମାନଙ୍କଠାରୁ ଏକ ଫର୍ମ ପୂରଣ କରାଇବା ସହ ପରିଚୟପତ୍ର, ବ୍ୟାଙ୍କଖାତା ନକଲ ଆଦି ଦସ୍ତାବିଜ୍ ସହିତ ଜଣପିଛା ୭୦୦ ଟଙ୍କା ସଂଗ୍ରହ କରୁଥିଲେ। ଏହି ଟଙ୍କାକୁ ସେମାନେ ସଂସ୍ଥାର ଆକାଉଣ୍ଟରେ ଜମା କରୁଥିଲେ। ଉକ୍ତ ମହିଳାମାନେ ବି ଏହା ଠକ ସଂସ୍ଥା ବୋଲି ଜାଣି ନଥିଲେ ଓ ସରକାରୀ ଯୋଜନା ବୋଲି ନିଶ୍ଚିତ ଥିଲେ। କାରଣ ନିଯୁକ୍ତି ପୂର୍ବରୁ ବିଜୟ ସେମାନଙ୍କୁ ଭୁବନେଶ୍ବରରେ ତାଲିମ ଦେବା ସହ ଆଇଡି କାର୍ଡ ଓ ତାଲିମ ନେଇଥିବା ପ୍ରମାଣପତ୍ର ପ୍ରଦାନ କରୁଥିଲା।
ସରକାରୀ ଯୋଜନା ନାଁରେ ଗରିବ ଚାଷୀଙ୍କୁ ଲୁଟୁଥିଲା
ଭୁବନେଶ୍ବରରୁ ମୁଖ୍ୟ ସୂତ୍ରଧରକୁ ଧରିଲା କୋଇଡ଼ା ପୁଲିସ୍
ଚାଷୀ ସାଜି ଠକେଇର ପର୍ଦ୍ଦାଫାସ୍ କଲେ ବିଭିଓ
କିଛିଦିନ ତଳେ କୋଇଡ଼ାର ୨ଜଣ ମହିଳା କର୍ମଚାରୀ ଚାଷୀମାନଙ୍କଠାରୁ ଏଭଳି ଟଙ୍କା ସଂଗ୍ରହ କରୁଥିଲେ। ଟଙ୍କା ଦେଇ ଫର୍ମପୂରଣ କରିଥିବା ରାମପ୍ରସାଦ ଶର୍ମା ନାମକ ଜଣେ ଚାଷୀ ତା’ପରଦିନ ସଂଯୋଗକୁ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ (ବିଭିଓ) ଡା. ସୁଜିତ ବେହେରାଙ୍କୁ ଏ ସଂପର୍କରେ ପଚାରିବାରୁ ସରକାରଙ୍କ ଏଭଳି କୌଣସି ଯୋଜନା ନଥିବା ସେ କହିଥିଲେ। ଏହା ଏକ ଠକେଇ ବୋଲି ଆଭାସ ହେବାରୁ ସେ ଆଉ ୪ ଜଣ ଚାଷୀ ଯୋଜନାରେ ସାମିଲ ହେବାକୁ ଚାହୁଥିବା କହି ଶ୍ରୀ ଶର୍ମାଙ୍କ ଜରିଆରେ ଉକ୍ତ ମହିଳା ଏଜେଣ୍ଟମାନଙ୍କୁ ଫୋନ୍ କରି ଡକାଇଥିଲେ। ଡା. ବେହେରା ନିଜେ ଚାଷୀ ବେଶରେ ସେମାନଙ୍କଠାରୁ ସ୍କିମ୍ ବାବଦରେ ବୁଝିଥିଲେ। ଏହା ଏକ ଠକ ଯୋଜନା ବୋଲି ନିଶ୍ଚିତ ହେବାପରେ ସେ କୋଇଡ଼ା ପୁଲିସକୁ ସୂଚନା ଦେଇଥିଲେ। ଠକେଇର ଶିକାର ହୋଇଥିବା ଚାଷୀଙ୍କ ଏତଲା ଆଧାରରେ କୋଇଡ଼ା ପୁଲିସ ଭୁବନେଶ୍ବରରୁ ସଂସ୍ଥାର ମୁଖ୍ୟ ବିଜୟ ପ୍ରଧାନକୁ ଉଠାଇ ଆଣିଛି। କେବଳ କୋଇଡ଼ା ବ୍ଲକ୍ରେ ୩୫୦ ଜଣ ଚାଷୀଙ୍କଠାରୁ ୭୦୦ ଟଙ୍କା ଲେଖାଏଁ ସଂଗ୍ରହ କରାଯାଇଥିବା ପୁଲିସ୍ ଜାଣିବାକୁ ପାଇଛି। ସାରା ରାଜ୍ୟରେ ଏହି ଠକେଇର ପରିମାଣ କୋଟିକୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଯାଞ୍ଚ ପରେ ଠକେଇର ଚିତ୍ର ସ୍ପଷ୍ଟ ହେବ ବୋଲି କୋଇଡା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର କହିଛନ୍ତି।