ଆସିକା : ଆଇପିଏଲ୍ କ୍ରିକେଟ୍ ଟୁର୍ନାମେଣ୍ଟ୍ର ରବିବାର ଫାଇନାଲ୍ ମ୍ୟାଚ୍ ଠିକ୍ କିଛିସମୟ ପୂର୍ବରୁ ବେଟିଂ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ଲକ୍ଷାଧିକ ଟଙ୍କା ବାଜିରେ ଲାଗି ସାରିଥିଲା। ଏହି ରାକେଟ୍ରେ ବୁକିଙ୍କ ସମେତ ସୁଧଖୋର ମାଫିଆ ଓ ଟଙ୍କା ଆଣି ବେଟ୍ ଲଗାଉଥିବା ଜୁଆଡ଼ି ସଂପୃକ୍ତ ଥିଲେ। ନିଜର ଆଇଡି, ପାସ୍ୱାର୍ଡ଼ରେ ଲିଙ୍କ୍ ପଠାଇ ବୁକି ଟଙ୍କା ଆଦାୟ କରୁଥିଲେ। ହେଲେ, ଠିକଣା ସମୟରେ ଗଞ୍ଜାମ ଜିଲ୍ଲା ଆସିକା ପୁଲିସ ଏହି ରାକେଟ୍କୁ ଠାବ କରି ମାଡ଼ି ବସିଲା। ସହର ନିକଟ ସୁବର୍ଣ୍ଣେଶ୍ବର ମନ୍ଦିର ନିକଟରେ ଏହି ବେଟିଂ ଚାଲିଥିବାବେଳେ ପୁଲିସ ପାଟ୍ରୋଲିଂ ଟିମ୍ ଅତିର୍କିତ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ନଗଦ ୭ ଲକ୍ଷ ୬୦ ହଜାର ଟଙ୍କା, ଛଅଟି ମୋବାଇଲ୍ ଫୋନ୍ ଜବତ ହୋଇଛି।
୭.୬୦ ଲକ୍ଷ ଟଙ୍କା ଜବତ
ଗିରଫ ଅଭିଯୁକ୍ତମାନେ ହେଲେ; ଆସିକା ସୁନାମ୍ବ ସାହିର ବାଦଲ ଗୌଡ଼, ଶୁଭମ୍ ଆଚାରୀ, ଶମ୍ଭୁ ପାଢ଼ୀ ଓ ଗୁଣ୍ଠପଡ଼ାର ରତ୍ନାକର ସ୍ବାଇଁ। ତେବେ; ଚଢ଼ଉ ବେଳେ ପୁଲିସକୁ ଚକ୍ମା ଦେଇ ସୁନାମ୍ବ ସାହିର ଜିତୁ ଦାସ, ତୋଫାନ ପ୍ରଧାନ, ମିଟୁ ପଣ୍ଡା, ଏମଜି ରୋଡ଼ର ନନ୍ଦୁ ମୁନି, ପାକେଲାପଲ୍ଲୀର କୃଷ୍ଣ ପାତ୍ର, ଧରାକୋଟ ଥାନା ଆରଦାମୋଦରପଲ୍ଲୀର ରାଜୀବ ରେଡ୍ଡୀ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ପ୍ରୋବେସନାରି ଆଇପିଏସ୍ ନଚିକେତା ସେଲ୍କେ ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତମାନେ ‘ସ୍କାଇ ଏକ୍ସଚେଞ୍ଜ ଡଟ୍ କମ୍’ ଓ ‘ସ୍କାଇ ଇନ୍ ପ୍ଲେ ଡଟ୍ କମ୍’ ନାମକ ଦୁଇଟି ଆଇଡ଼ି ଏବଂ ଏହାର ପାସ୍ୱାର୍ଡ଼ କିଣି ସେଥିରେ ଟଙ୍କା ଲଗାଉଥିଲେ। ଅନଲାଇନ୍ ୱେବ୍ସାଇଟ୍ ଲିଙ୍କ୍କୁ ସୁନାମ୍ବ ସାହିର ଜିତୁଠୁ ବାଦଲ ଡିଷ୍ଟ୍ରିବ୍ୟୁଟ୍ସିପ୍ ଆକାରରେ ନେଇଥିଲା। ଦୁଇବର୍ଷ ହେଲା ବାଦଲ ବେଟିଂ ନେଟ୍ୱର୍କ ଚଳାଇ ଆସୁଥିଲା। ଫଳରେ ଏହି ନେଟ୍ୱର୍କର ଚେର ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଲମ୍ବିଥିବା ଅନୁମାନ କରାଯାଉଛି। ମାଷ୍ଟରମାଇଣ୍ଡ୍ ନିକଟରେ ପହଞ୍ଚିବାକୁ ଆସିକା ପୁଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ବେଟିଂରେ ଉଚ୍ଚ ସୁଧରେ ଟଙ୍କା ଯୋଗାଇଥିବା ସୁଧଖୋରଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଇଛି। ଆସିକା ଥାନାରେ କେସ୍ ନମ୍ବର ୨୬୬/୨୨ ଆଇପିସି ୨୯୪ (କ)/୪୨୦/ ୧୨୦ (ଖ)/୩୪, ଧାରା ୫/୬ ପ୍ରାଇଜ଼୍ ଚିଟ୍ ଆଣ୍ଡ ମନି ସର୍କୁଲେସନ୍ (ବେନିଂ) ଆକ୍ଟ୍ ଅନୁସାରେ ମାମଲା ରୁଜୁ ସହ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଫେରାରଙ୍କୁ ଗିରଫ କରିବା ଦିଗରେ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି।
ବରଗଡ଼ରେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ୫ ଗିରଫ
ବରଗଡ଼ : ବରଗଡ଼ ସହରରେ ଚାଲିଥିବା ଆଇପିଏଲ୍ ବେଟିଂର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ; ବରଗଡ଼ର ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ େସନାପତି, ବିମଳକାନ୍ତ ନାଗ ଓ ଦିଲିପ ଦାଶ। ଏମାନଙ୍କ ପାଖରୁ ନଗଦ ୬.୧୪ଲକ୍ଷ ଟଙ୍କା, ୨୦ଟି ମୋବାଇଲ, ୨ଟି ଲାପ୍ଟପ୍, ଗୋଟିଏ ଅଟୋକଲ୍ ରିସିଭର୍, ସେଟ୍ଅପ୍ ବକ୍ସ, ଗୋଟିଏ ରୋଟର୍, ଏଲ୍ସିଡି ଟିଭି ଏବଂ ବିଭିନ୍ନ ଯନ୍ତ୍ରପାତି ଜବତ ହୋଇଛି।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ବିକି ମିତ୍ତଲ ହେଲା ଏହାର ମାଷ୍ଟରମାଇଣ୍ଡ। ବିକି ପୂର୍ବରୁ ମୁମ୍ବାଇରେ ଏଭଳି ବେଟିଂ କରୁଥିଲା। ରାୟପୁରକୁ ଆସି ସେଠାରେ କିଭଳି ବେଟିଂ କରାଯାଏ, ସେନେଇ ତଥ୍ୟ ଯୋଗାଡ଼ କରିଥିଲା। ତା’ରି ନେତୃତ୍ବରେ ବରଗଡ଼ ସହରରେ ଏହି ବେଟିଂ ଚାଲୁଥିଲା। ଧରାପଡ଼ିବା ଭୟରେ ଏହି ଗ୍ୟାଙ୍ଗ୍ ବିଭିନ୍ନ ଗୋପନୀୟ ସ୍ଥାନରେ ବେଟିଂ ଚଳାଉଥିଲେ। ମୁଖ୍ୟତଃ ଓଡ଼ିଶା ଏବଂ ଛତିଶଗଡ଼ର ଲୋକେ ବେଟିଂରେ ଟଙ୍କା ଲଗାଉଥିଲେ। ଗତ ୨୭ ତାରିଖ ଅମ୍ବାପାଲି ଗାଁ ପାଖ ଏକ ନିର୍ମାଣାଧିନ ଘରେ ବେଟିଂ ଚାଲୁଥିଲା। ଉକ୍ତ ଦିନ ରୟାଲ ଚାଲେଞ୍ଜର ବାଂଗାଲୋର ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ମୁକାବିଲା ଚାଲୁଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ୍ ସେହି ଆଡ୍ଡାରେ ଚଢ଼ଉ କରିଥିଲା। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଯନ୍ତ୍ରପାତି ବିଭିନ୍ନ କୋଡ୍ ଦ୍ବାରା ପରିଚାଳିତ। ଏହି କୋଡ୍ଗୁଡ଼ିକ ଭାଙ୍ଗିବା ପାଇଁ ବରଗଡ଼ ପୁଲିସ୍ ଭୁବନେଶ୍ବର ଏବଂ ରାଉରକେଲାର ସାଇବର୍ ଲାବ୍ର ସହାୟତା ନେବ। ଏହାପରେ ଏହି ମାମଲାର ଚେର ଆଉ କେତେ ଲମ୍ବିଛି, ତାହା ସ୍ପଷ୍ଟ ହେବ ବୋଲି ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ପରମାର ସ୍ମିତ ପୁରୁଷୋତ୍ତମ ଦାଶ ସୂଚନା ଦେଇଛନ୍ତି।