ମାଣ୍ତୋସିଲରେ ବିଜେଡିର ବିଶାଳ ସମାବେଶ
କେନ୍ଦ୍ର ବିରୋଧରେ ବିଷୋଦ୍ଗାର କଲା ବିଜେଡି, ଭୋଟ ଆସିଲେ କେନ୍ଦ୍ର ରାଜ୍ୟକୁ ଦୋଷଦିଏ
ପାଇକମାଳ : ଉପନିର୍ବାଚନ ଲଢ଼େଇରେ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଗୋଟିଏପଟେ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରଚାର ଜୋରଦାର କରିଥିବା ବେଳେ ବିଜେଡି ମଧ୍ୟ ଭୋଟ ବ୍ୟାଙ୍କ ସୁରକ୍ଷିତ ଲାଗି ରଣନୀତି ଚଳାଇଛି ଓ ଶକ୍ତି ପ୍ରଦର୍ଶନ ଜାରି ରଖିଛି। ଏହିକ୍ରମରେ ବୁଧବାର ଦିନ ପାଇକମାଳ ଜୋନ୍-୧ ମାଣ୍ତୋସିଲଠାରେ ବିଜେଡିର ଏକ ବିଶାଳ ସମାବେଶ ବୁଧବାର ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳସଂପଦ ମନ୍ତ୍ରୀ ଟୁକୁନୀ ସାହୁ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଧାୟକ ପ୍ରଶାନ୍ତ ବେହେରା ଓ ବ୍ରଜକିଶୋର ପ୍ରଧାନ ପ୍ରମୁଖ ଯୋଗଦେଇ କେନ୍ଦ୍ରର ବିଜେପି ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି।
ବିଜେଡି ନେତାମାନେ କହିଛନ୍ତି ଯେ କେନ୍ଦ୍ର ସରକାର କେବଳ ନିର୍ବାଚନ ଆସିଲେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦୋଷାରୋପ କରିଥାଏ। ବାସ୍ତବରେ ଓଡ଼ିଶାର ଚାଷୀ କିମ୍ବା ଜନସାଧାରଣ ପ୍ରତି କେନ୍ଦ୍ର ସରକାରର କିଛି ବି ଦରଦ ନାହିଁ। ବରଗଡ଼-ନୂଆପଡ଼ା ରେଳ ଲାଇନ ହେଉ କିମ୍ବା ପ୍ରଧାନମନ୍ତ୍ରୀ ଫସଲବୀମା ହେଉ କେନ୍ଦ୍ର ସରକାର ନିଜ ଦାୟିତ୍ବରୁ ଓହରି କେବଳ ରାଜ୍ୟ ସରକାରକୁ ସମାଲୋଚନା କରିବାରେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ବ୍ୟସ୍ତ। ଏକଥା ପଦ୍ମପୁରବାସୀ ଭଲଭାବେ ବୁଝିଗଲେଣି।
ଏଥିସହିତ ଓଡ଼ିଶାର ବିକାଶଧାରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ଲାଗି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଭୋଟ ଦେବାକୁ ବିଜେଡି ନେତାମାନେ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାମଡ଼ା ଅଧ୍ୟକ୍ଷ ଅବନୀକାନ୍ତ ସାହୁ, ଉଠା ଜଳସେଚନ ବିଭାଗ ଅଧ୍ୟକ୍ଷ ରମେଶ ପତ୍ରୀ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବାରିକ, ବ୍ଲକ୍ ବିଜେଡି ଯୁବ ସଭାପତି ଗୌତମ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ସମାବେଶରେ ଜାମସେଠ, ଛିନ୍ଦେଇକେଲା, ଝାରବନ୍ଧ, ମାଣ୍ଡୋସିଲ, ବରତୁଣ୍ଡା, ଝିଟିକ ଓ କାଂସଡ଼ା ପଞ୍ଚାୟତରୁ ପ୍ରାୟ ୫ ହଜାର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଏହି ଅବସରରେ ମାଣ୍ତୋସିଲ ଇନ୍ଦିରାନଗରର ୨୯ ଜଣ ବିଜେଡିରେ ଯୋଗଦାନ କରିଥିଲେ। ଶେଷରେ ବିଧାୟକା ଲତିକା ପ୍ରଧାନ ଧନ୍ୟବାଦ ଦେଇଥିଲେ।