ଭୀମଟିକିରା-ସଂସାମୁରା ମୁଖ୍ୟ କେନାଲl‌ରେ ବିରାଟ ଘାଇ

ବ୍ୟାପକ ଫସଲ ନଷ୍ଟ, ଜମି ବାଲିଚର ହେବା ଆଶଙ୍କା

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ରାମପୁର କେନାଲ ଡିଭିଜନ ଅଧୀନସ୍ଥ ବରଗଡ଼ କେନାଲ-ଭୀମଟିକିରା ଡିଷ୍ଟ୍ରିବ୍ୟୁଟାରି ଭୀମଟିକିରା-ସଂସାମୁରା ମୁଖ୍ୟ କେନାଲର ବିନିକା ବ୍ଳକ  ମେଘେଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଏକ ବିରାଟ ଘାଇ ସୃଷ୍ଟି ହୋଇଛି। ଫଳରେ ଶହ ଶହ ହେକ୍ଟର ଚାଷ ଜମି ଉପରେ ସନ୍ଧ୍ୟା ପଯ୍ୟନ୍ତ ପାଣି ଚାଲୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପାଣି ମାଡ଼ିଯିବା ଫଳରେ ବିନିକା ବ୍ଲକ୍ ପଧାନପାଲି ଗ୍ରାମର ପଟାରି ପ୍ରଧାନ, ନାଥ ପଧାନ, ଚତୁର୍ଭୁଜ ପଧାନ, କାର୍ତ୍ତିକ ମହାକୁର, କେଶବ ବାଘ, ହାଡୁ ସାହୁ, ରତନା ବାରିକ, କୁବେର ପ୍ରଧାନ, କନ୍ଦର୍ପ ପଧାନ, ଶ୍ରୀଧର ପଧାନ, ପଞ୍ଚାନନ ଭୋଇ, ରାଜେନ୍ଦ୍ର ବାରିକ, ପ୍ରହଲ୍ଲାଦ ସାହୁ, ଘନ ବାଘ, ପଞ୍ଚୁ ମହାକୁର, ଭକ୍ତ ପଧାନ, ମନବୋଧ ମହାକୁରଙ୍କ ସମେତ ଅନେକ ଚାଷୀଙ୍କ ବ୍ୟାପକ ଧାନ ଫସଲ  ନଷ୍ଟ ହୋଇଛି। ଏହା ସହ ବିଲରେ ବାଲି ମାଡ଼ିଯିବା ଆଶଙ୍କା ରହିଥିବା କୁହିବାହାଲ ସରପଞ୍ଚ ସୁଦାମ ପ୍ରଧାନ ପ୍ରକାଶ କରିଛନ୍ତି।

ସୂଚନାନୁସାରେ ଗତ ଜୁନ ୨୦ ତାରିଖରୁ ହୀରାକୁଦରୁ ବରଗଡ଼ କେନାଲରେ ପାଣି ଛଡ଼ା ଯାଇଥିଲା। କିନ୍ତୁ ଗୋଟିଏ ମାସ ବିତି ଯାଇଥିଲେ ବି ଭୀମଟିକିରା- ସଂସାମୁରା ମୁଖ୍ୟ କେନାଲ ଟେଲ୍ ଅଞ୍ଚଳକୁ ପାଣି ପହଞ୍ଚି ପାରୁନଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁ ନଥିବା ଚାଷୀ ଅଭିଯୋଗ କରୁଥିଲେ। ଗୋଟିଏ ପଟେ ବର୍ଷା କମ୍ ଥିବା ବେଳେ କେନାଲରେ ପାଣି ଅଭାବ ଯୋଗୁଁ ଚାଷୀ ହତାଶ ହୋଇ ପଡ଼ିଥିଲି। ଏଥି ପାଇଁ ଜିଲ୍ଲା ପ୍ରଶାସନ ସହ କେନାଲ ବିଭାଗ  ନିକଟରେ ବାରମ୍ବାର ପାଣି ଯୋଗାଣ ପାଇଁ ଅଭିଯୋଗ କରି ଆସୁଥିଲେ। ଏହାକୁ ବିଚାର କରି ସାଂସାମୁରା ଟେଲ ତଥା ଅନ୍ୟାନ୍ୟ ଶାଖା କେନାଲକୁ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଉକ୍ତ ପ୍ରତିଶ୍ରୁତି ମୁତାବକ ଆଜି ଟେଲ୍ ଏରିଆ ପାଇଁ ପାଣି ଛଡ଼ାଗଲା। କିନ୍ତୁ ସାହାଜବାହାଲଠାରେ ଭୋରରୁ କେନାଲରେ ଘାଇ ସୃଷ୍ଟି ହେବା ଦ୍ବାରା ଟେଲ୍ ଏରିଆ ଚାଷୀଙ୍କ ପାଣି ପାଇବା ଆଶା ଆଶାରେ ରହିଗଲା। କେନାଲ ବିଭାଗ ଉପ ମୁଖ୍ୟ ଯନ୍ତ୍ରୀ ସରୋଜ ପାଣିଗ୍ରାହୀ, ବରପାଲି କେନାଲ ନିର୍ବାହୀ ଯନ୍ତ୍ରୀ ପ୍ରଭାସ ରଥ, ରାମପୁର କେନାଲ ଏସ୍ଡିଓ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଯୁଦ୍ଧକାଳୀନ ଭିତ୍ତିରେ ଘାଇରେ ବାଲି ବସ୍ତା ଓ ମାଟି ପକାଇ ମରାମତି କରୁଛନ୍ତି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପୁଣି କେନାଲରେ ପାଣି ଯୋଗାଣ ସ୍ଵାଭାବିକ ହେବ ବୋଲି ବରପାଲି କେନାଲ ନିର୍ବହୀ ଯନ୍ତ୍ରୀ ଶ୍ରୀ ରଥ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର