କଟକ: ବୁଧବାର କଟକ ରେଳ ଷ୍ଟେସନରେ ବଡ଼ଧରଣର ଅଘଟଣ ଘଟିଛି। ଏଥିରେ ଜଣେ ରେଳବାଇ କର୍ମଚାରୀ ଆହତ ହୋଇଛନ୍ତି। ୧ ନମ୍ବର ପ୍ଲାଟଫର୍ମ ନିକଟରେ ୨ ନମ୍ବର ଗେଟ୍ ଭଙ୍ଗାଯାଉଥିବା ବେଳେ ହଠାତ୍ ତାହା ଭୁଶୁଡ଼ି ପଡ଼ିଥିଲା। ପ୍ଲାଟଫର୍ମର ସେଡ୍ ଉପରେ ପଡ଼ିବାରୁ ଲୁହା ଫ୍ରେମ୍ ଉଭୟ ୧ ନମ୍ବର ଓ ୨ ନମ୍ବର ରେଳ ଧାରଣା ଉପରେ ପଡ଼ିଥିଲା। ଆହତ କର୍ମଚାରୀଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଡିଆର୍ଏମ୍ଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିରେ ରେଳବାଇର ୭ଟି ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ହାୱଡ଼ା ଅଭିମୁଖେ ବାହାରି ଅପରାହ୍ଣ ୩ଟା ୨୦ରେ କଟକ ଷ୍ଟେସନରେ ପହଞ୍ଚିଥିଲା ଏବଂ ଅପରାହ୍ଣ ୩ଟା ୨୫ରେ ଯାତ୍ରୀଙ୍କୁ ନେଇ କଟକ ଷ୍ଟେସନ୍ ଛାଡ଼ିଥିଲା। ଏହାର କିଛି ସମୟ ପରେ ଅପରାହ୍ଣ ପ୍ରାୟ ୩ଟା ୪୫ରେ ପ୍ଲାଟଫର୍ମ ନମ୍ବର ୧ର ୨ ନମ୍ବର ଗେଟ୍ରେ ଥିବା ପୁରୁଣା ଫାଟକ ଭଙ୍ଗାଯାଉଥିବା ବେଳେ ତାହା ପ୍ଲାଟଫର୍ମର ଆଜବେଷ୍ଟସ୍ ଉପରେ ଖସିପଡ଼ିଥିଲା। ଯାହାଫଳରେ ଆଜବେଷ୍ଟସ୍ ପ୍ଲାଟଫର୍ମ ୧ର ୧ ଓ ୨ ନମ୍ବର ରେଳ ଧାରଣା ଉପରେ ପଡ଼ିଥିଲା। ତୁରନ୍ତ ରେଳବାଇ ପକ୍ଷରୁ ରେଳ ଧାରଣା ଉପରେ ପଡ଼ିଥିବା ଲୁହା ସାମଗ୍ରୀଗୁଡ଼ିକ ହଟାଇବା ପାଇଁ ଅପରେସନ୍ ଆରମ୍ଭ ହୋଇଥିଲା।
୧ ନଂ ପ୍ଲାଟଫର୍ମର ଅଧା ସେଡ୍ ଚୂରମାର
ଜଣେ ରେଳବାଇ କର୍ମଚାରୀ ଆହତ
ଖୋର୍ଦ୍ଧା ଡିଆର୍ଏମ୍ଙ୍କ ତଦନ୍ତ ନିର୍ଦ୍ଦେଶ
ଏଥିରେ ଓଡ୍ରାଫ୍ ଟିମ୍ ବି ସାମିଲ ହୋଇଥିଲେ। ୧ ନମ୍ବର ଓ ୨ ନମ୍ବର ରେଳ ଧାରଣାରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହେବାରୁ ୯ଟି ଟ୍ରେନ୍ ୪ ଓ ୫ ନମ୍ବର ରେଳ ଧାରଣାରେ ଚଳାଚଳ ହୋଇଥିଲା। ୧ ନମ୍ବର ଓ ୨ ନମ୍ବର ରେଳ ଧାରଣାରୁ ଲୁହା ସେଡ୍ ହଟିବା ପରେ ରାତି ପ୍ରାୟ ୭ଟା ୨୦ରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ଭୁବନେଶ୍ବର-ବାଲେଶ୍ବର ମେମୁ ଟ୍ରେନ୍ (୬୮୪୦୮) ପ୍ରଥମେ ୭ଟା ୨୦ରେ ଚଳାଚଳ ଆରମ୍ଭ କରିଥିଲା। ତାମିଲନାଡୁ ଚେନ୍ନାଇର ୟୁଆର୍ସି କନ୍ଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍ ଷ୍ଟେସନ୍ର ଆଧୁନିକୀକରଣ କାର୍ଯ୍ୟ ହାତକୁ ନେଇଥିବା ବେଳେ ଗେଟ୍ ନମ୍ବର ୨ର ପୁରୁଣା ଫାଟକ ଗତକାଲି ଅଧା ଭଙ୍ଗାଯାଇଥିଲା। ଆର୍ପିଏଫ୍ ପଟକୁ ଥିବା ଆଉ ଅଧା ଗେଟ୍ ଆଜି ଭଙ୍ଗାଯିବା ସମୟରେ ଏଭଳି ଅଘଟଣ ଘଟିଥିଲା।
ରେଳବାଇ ଖୋର୍ଦ୍ଧା ଡିଭିଜନର ଅତିରିକ୍ତ ଡିଆର୍ଏମ୍ ପ୍ରଦୀପ କୁମାର ବେହେରା କହିଛନ୍ତି ଯେ ପୁରୁଣା ଗେଟ୍ ୨କୁ ଭାଙ୍ଗିବା ସମୟରେ ପୂରା ଷ୍ଟ୍ରକ୍ଚର୍ ପ୍ଲାଟଫର୍ମ ସେଡ୍ ଉପରେ ପଡ଼ିଯାଇଥିଲା। ଷ୍ଟ୍ରକ୍ଚର୍ ପୁରୁଣା ଥିବା ବେଳେ ବର୍ଷା ହେଉଥିବାରୁ ଦୁର୍ବଳ ହୋଇପଡ଼ିଥିଲା। ଫଳରେ ଅଧିକ କ୍ଷତି ହୋଇଗଲା। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ କହିଛନ୍ତି ଯେ ରେଳ ଷ୍ଟେସନରେ ବଡ଼ ଦୁର୍ଘଟଣା ଘଟିଛି। ଠିକ୍ ଢଙ୍ଗରେ ସୁରକ୍ଷାମୂଳକ ପଦକ୍ଷେପ ନିଆଯାଇନାହିଁ। ବ୍ୟାରିକେଡିଂ ଭଲ ଭାବେ ହୋଇନଥିଲା। ତୃତୀୟପକ୍ଷ ଦ୍ବାରା ଏହି ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଛି। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କଟକ ମେୟର ସୁବାସ ସିଂହ କହିଛନ୍ତି ଯେ ରେଳବାଇର ଏହା ଅତ୍ୟନ୍ତ ଖାମଖିଆଲ କାର୍ଯ୍ୟ। ରେଳବାଇ ପକ୍ଷରୁ ଠିକା ସଂସ୍ଥାର କାମ ମାନ ଦେଖିବା କଥା ଏବଂ ନିରାପତ୍ତାକୁ ଅନୁଧ୍ୟାନ କରିବା କଥା।