ଭୁଲ ଇଞ୍ଜେକସନ୍‌ରେ ଜୀବନ ଗଲା, ନିଜ ତଣ୍ଟି କାଟିଲେ ଡାକ୍ତର

ବରଗଡ଼: ଭୁଲ ଇଞ୍ଜେକସନ୍‌ରେ ଜଣେ ମହିଳା ରୋଗୀଙ୍କ ଜୀବନ ଚାଲିଗଲା। ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ପହଂଚିଲା। ତେବେ ପୁଲିସ୍‌ ସମ୍ମୁଖରେ ଡାକ୍ତର ଜଣକ ବ୍ଲେଡରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିବା ଭଳି ସମ୍ବେଦନଶୀଳ ଘଟଣା ଘଟିଛି ବରଗଡ଼ ସହରରେ। ସୂଚନା ଅନୁସାରେ, ବରଗଡ଼ ବ୍ଲକ ଏସ୍‌ ଡୁମେରପାଲି ପଞ୍ଚାୟତ ବନବାସପାଲି ଗାଁର ଲବଂଗ ସାହୁ (୩୦)ଙ୍କ କିଛି ଦିନ ହେଲା ଦାନ୍ତ ଦରଜ ହେଉଥିଲା। ଚିକିତ୍ସା ପାଇଁ ସେ ବରଗଡ଼ ବାନ୍ଦୁଟିକ୍ରା ପାଖରେ ଥିବା ସୁବୋଧ ସାହୁଙ୍କ ପାଖକୁ ଯାଇଥିଲେ। ମଂଗଳବାର ସକାଳ ୧୦ଟା ବେଳେ ସୁବୋଧ ଦାନ୍ତ କାଢ଼ିବା ପାଇଁ ଲବଂଗଙ୍କୁ ଗୋଟିଏ ଇଞ୍ଜେକ୍‌ସନ୍‌ ଦେଇଥିଲେ। ଏହାପରେ ଲବଂଗ ସେଠାରେ ଟଳି ପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ହେଲେ ଏତିକି ବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ି ସାରିଥିଲା। ଘରଲୋକେ ଟାଉନ ଥାନାକୁ ଯାଇ ସୁବୋଧଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତାଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ର ଗୋଟିଏ ଟିମ୍‌ ସୁବୋଧଙ୍କ ଘରେ ପହଂଚିଥିଲା। ହେଲେ ପୁଲିସ୍‌ ସମ୍ମୁଖରେ ସୁବୋଧ ପାଖରେ ଥିବା ଗୋଟିଏ ବ୍ଲେଡ୍‌ରେ ନିଜ ଗଳା କାଟି ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ପଠାଯାଇଛି। ସୁବୋଧଙ୍କ ଚିକିତ୍ସାର ବୈଧତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସେ କୌଣସି ଦନ୍ତ ଚିକିତ୍ସକ କିମ୍ବା ଡାକ୍ତର ନୁହନ୍ତି ଏବଂ ଅବୈଧ ଭାବେ ରୋଗୀଙ୍କ ଚିକିତ୍ସା କରୁଥିଲେ ବୋଲି ଇଣ୍ଡିଆନ୍‌ ଡେଣ୍ଟାଲ ଆସୋସିଏସନ୍‌ (ମହାନଦୀ ଶାଖା) ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ପୁଲିସ୍‌ ଆଇପିସି ଦଫା ୩୦୪(ଏ)ରେ ମାମଲା ରୁଜୁ କରି ତନାଘନା ଚଳାଇଛି। ସୁବୋଧଙ୍କ ଘରୁ ପୁଲିସ୍‌ ତାଙ୍କ ସାର୍ଟିଫିକେଟ୍‌ ଏବଂ ଅନ୍ୟ ନଥିପତ୍ର ଜବତ କରିଛି।

ସମ୍ବନ୍ଧିତ ଖବର