ଭୁବନେଶ୍ବର, (କେଶବ ପାଣି): ନନ୍ଦନକାନନ ପ୍ରାଣୀ ଉଦ୍ୟାନର କଳେବର ବଢ଼ିବ। ୧୦୮୦ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ଏହି ପ୍ରାଣୀ ଉଦ୍ୟାନ ସହ ଚୂଡ଼ଙ୍ଗଗଡ଼ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲର ୧୫୦୭ ଏକର ଜମି ମିଶିବା ପରେ ଏହାର କ୍ଷେତ୍ରଫଳ ୨୫୮୭ ହେବ। କ୍ଷେତ୍ରଫଳ ବଢ଼ିବା ସହ ଏହାକୁ ବିଶ୍ବସ୍ତରୀୟ କରିବା ଲାଗି ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି। ନୂଆ କରି ଯୋଡ଼ି ହୋଇଥିବା ୧୫୦୭ ଏକର ଜମିର ପାଚେରି ବୁଲାଯିବା ସହ ସେଠାକୁ ଜୀବଜନ୍ତୁଙ୍କୁ ସ୍ଥାନାନ୍ତର କରିବା ଦିଗରେ ପ୍ରାରମ୍ଭିକ ଆଲୋଚନା ଚାଲିଛି। ନନ୍ଦନକାନନ ପରିସରରେ ଥିବା ସିଂହ ସଫାରିକୁ ପ୍ରଥମେ ଚୂଡ଼ଙ୍ଗଗଡ଼ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ। ବାଘ ସଫାରିକୁ ବି ସେଠାକୁ ନିଆଯିବ। ଏଥିସହ ବାଘ ବଂଶ ବୃଦ୍ଧି ଲାଗି ସେଠାରେ ପ୍ରଜନନ କେନ୍ଦ୍ର ହେବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘଙ୍କୁ ଚିଡ଼ିଆଖାନା ଭିତରେ ନ ରଖି ଜଙ୍ଗଲୀ କରିବା ଦିଗରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

Advertisment

publive-image

ଯୋଜନା ଅନୁଯାୟୀ, ନନ୍ଦନକାନନ ପଛ ପାର୍ଶ୍ବରେ ଥିବା ଉକ୍ତ ଦୁଇ ସଂରକ୍ଷିତ ଜଙ୍ଗଲ ଏବେ ସାମିଲ ହୋଇଥିବାରୁ ସେଠାରେ ମଧ୍ୟ ଜୀବଜନ୍ତୁଙ୍କୁ ରଖାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଜମି ଚିହ୍ନଟ ପରେ ପାଚେରି ବୁଲାଯିବା କାର୍ଯ୍ୟ ଚାଲିଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ଖୁଆଡ଼ ନିର୍ମାଣ କରାଯିବ। ଚିହ୍ନଟ ହୋଇଥିବା ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ହରିଣ ରହିଛନ୍ତି। ତେଣୁ ହରିଣଙ୍କ ପାଇଁ ବିଶାଳ ପାର୍କ କରିବାକୁ ନିଷ୍ପତ୍ତି ହୋଇଛି। କଟକସ୍ଥିତ ହରିଣ ପାର୍କକୁ ଏଠାକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି। ନନ୍ଦନକାନନ ଓ ରାଜଭବନରେ ଥିବା ହରିଣ ପାର୍କରେ ସଂଖ୍ୟା ବୃଦ୍ଧି ପାଇଲେ ସେମାନଙ୍କୁ ଏଠାକୁ ଆଣି ଛାଡ଼ିବା ପାଇଁ ବ୍ୟବସ୍ଥା କରାଯିବ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବହୁ ପରିମାଣରେ ମୟୂର ରହିଥିବାରୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ସଫାରି ଖୋଲିବା, ସେମାନଙ୍କୁ ଖୁଆଡ଼ରେ ନ ରଖି ଜଙ୍ଗଲରେ ଛଡ଼ାଯିବ। ନନ୍ଦନକାନନରେ ଘଡ଼ିଆଳ ଓ ମଗର ପ୍ରଜାତିର କୁମ୍ଭୀର ଅଧିକ ଥିବାରୁ ସେମାନଙ୍କୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ରଖିବା ପାଇଁ ଉକ୍ତ ଜଙ୍ଗଲରେ ନୂତନ ହ୍ରଦ ନିର୍ମାଣ ସହ କୁମ୍ଭୀର ପ୍ରଜନନକୁ ଗୁରୁତ୍ୱ ଦିଆଯିବ। ଏଥିସହ ପର୍ଯ୍ୟଟକ ଯେପରି ଅତି ନିକଟରୁ କୁମ୍ଭୀରଙ୍କୁ ଦେଖିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବି ଯୋଜନା ହୋଇଛି।

୨୫୮୭ ଏକର ଜମିରେ ହେବ ବିକାଶ କାର୍ଯ୍ୟ
ଓଡ଼ିଶାରେ ମିଳିବ ଆଫ୍ରିକୀୟ ଜଙ୍ଗଲ ସଫାରି ମଜା
ପାଖରୁ ବାଘ, ଭାଲୁ, ସିଂହକୁ ଦେଖିପାରିବେ ପର୍ଯ୍ୟଟକ

publive-image Nandankanan Zoological Park

ଆଫ୍ରିକୀୟ ସଫାରି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବାକୁ ବ୍ଲୁପ୍ରିଣ୍ଟ କରାଯାଇଛି। ଫଳରେ ପର୍ଯ୍ୟଟକମାନେ ଅଫ୍ରିକାର ଜଙ୍ଗଲ ସଫାରି ମଜା ଓଡ଼ିଶାରେ ପାଇପାରିବେ। ଜୀବଜନ୍ତଙ୍କୁ ଜଙ୍ଗଲୀ ପରିବେଶରେ ଛଡ଼ାଯିବ। ସେମାନେ ନିଜ ଇଚ୍ଛା ମୁତାବକ ବୁଲି ପାରିବେ। ଶିକାର ମଧ୍ୟ କରିପାରିବେ। ପର୍ଯ୍ୟଟକମାନେ ସ୍ବତନ୍ତ୍ର ଭ୍ୟାନ୍‌ରେ ବିଭିନ୍ନ ସଫାରିରେ ବୁଲି ଅତି ନିକଟରୁ ବାଘ, ସିଂହ, ଭାଲୁଙ୍କ ହିଂସ୍ର ଜନ୍ତୁଙ୍କ ବ୍ୟବହାର ଓ ପ୍ରକୃତି ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ। ଜଙ୍ଗଲର ବିଭିନ୍ନ ସ୍ଥାନରେ ପୋଖରୀ ଖୋଳାଯାଇ ସେଠାରେ ପର୍ଯ୍ୟାପ୍ତ ପାଣି ରଖାଯିବ। ଏକାସଙ୍ଗରେ ଜୀବଜନ୍ତୁଙ୍କୁ ଗୋଟିଏ ଗାଡ଼ିରେ ମାଂସ ନିଆଯାଇ ପ୍ରଦାନ କରାଯିବ। ବର୍ତ୍ତମାନର ପ୍ରାଣୀ ଉଦ୍ୟାନ ସହ ମିଶିଥିବା ଜଙ୍ଗଲକୁ ସଂଯୋଗ ଲାଗି ସ୍ବତନ୍ତ୍ର ରାସ୍ତା ନିର୍ମାଣ ହେବ। ଫଳରେ ପର୍ଯ୍ୟଟକମାନେ ନନ୍ଦନକାନନ ସହ ସଫାରି ବୁଲିପାରିବେ ବୋଲି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

publive-image

ସୂଚନା ଅନୁଯାୟୀ, ୧୯୬୦ରେ ଯେତେବେଳେ ନନ୍ଦନଦକାନନ ପ୍ରତିଷ୍ଠା ହୋଇଥିଲା, ସେତେବେଳେ ବହୁତ ଛୋଟ ଥିଲା। ମାତ୍ର ୩.୬୨ବର୍ଗ କିଲୋମିଟର ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଣୀ ଉଦ୍ୟାନର ପରିସର ଏବେ ୨୫୮୭ ଏକରକୁ ବୃଦ୍ଧି ପାଇଛି। ୨୦୧୯ରେ ଚନ୍ଦକା ଅଭୟାରଣ୍ୟ ପରିସୀମାର ୧୫୦୭ ଏକର ଜମି ନନ୍ଦନକାନନ ସହ ଯୋଡ଼ି ହେବା ପରେ କଳେବର ବହୁ ପରିମାଣରେ ବଢ଼ିଛି। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ସମସ୍ତ ନିୟମାବଳୀ ଦ୍ବାରା ପରିଚାଳିତ ହୋଇ ଏହା ବିଶ୍ବସ୍ତରୀୟ ଚିଡ଼ିଆଖାନା ଭାବେ ବିକଶିତ କରାଯାଉଛି। ଦେଶର ୭୨ ଚିଡ଼ିଆଖାନା ମଧ୍ୟରୁ ୧୫ଟି ମଧ୍ୟରେ ନନ୍ଦନକାନନ ସ୍ଥାନ ପାଇଛି। ବନ୍ୟପ୍ରାଣୀ, ଉଦ୍ଭିଦ ସଂରକ୍ଷଣ, ବିଜ୍ଞାନଭିତ୍ତିକ ଶିକ୍ଷା ସୁଯୋଗ ସୃଷ୍ଟି, ଲୋକଙ୍କ ମନୋରଞ୍ଜନ, ସୁନ୍ଦର ସବୁଜମୟ ପରିବେଶ ସୃଷ୍ଟି ହୋଇଛି। ୧୧ଟି ବନ୍ୟପ୍ରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରାଣୀ ଉଦ୍ୟାନରେ ଆଜି ୪ ହଜାରରୁ ଅଧିକ ବନ୍ୟପ୍ରାଣୀ ୨୨୦ରୁ ଅଧିକ ଖୁଆଡ଼ ମଧ୍ୟରେ ଅଛନ୍ତି। ବିଭିନ୍ନ ପ୍ରକାର ପଶୁ, ପକ୍ଷୀ ଓ ସରୀସୃପଙ୍କ ଆବାସସ୍ଥଳରେ ମଧ୍ୟ ପରିଣତ ହୋଇଛି। ଏହା ପରିସରରେ ୧୩ ପ୍ରଜାତିର ସ୍ତନ୍ୟପାୟୀ, ୧୫ ପ୍ରଜାତିର ସରୀସୃପ, ୭୧ ପ୍ରଜାତିର ପକ୍ଷୀ, ୨୦ ପ୍ରଜାତିର ଉଭୟଚର, ୮୫ ପ୍ରକାର ପ୍ରଜାପତି ଓ ୨୧ ପ୍ରକାର ବୁଢ଼ିଆଣୀ ଚିହ୍ନଟ ହୋଇଛନ୍ତି। ଦେଶର ଅନ୍ୟ ଚିଡ଼ିଆଖାନା ତୁଳନାରେ ଏଠାରେ ମୃତ୍ୟୁହାର କମ୍‌ ରହିଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।