‘ଫିନଲାଣ୍ଡରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସୁଯୋଗ ରହିଛି’

ଏଆଇପିଏଚ୍ ବିଶ୍ଵବିଦ୍ୟାଳୟରେ ଫିନଲାଣ୍ଡ ଦୂତାବାସ ପକ୍ଷରୁ ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟରେ ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ଫିନଲାଣ୍ଡ ଦୂତାବାସ ପକ୍ଷରୁ ଏକ ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫିନଲାଣ୍ଡରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା, ଗବେଷଣା ଏବଂ ନିଯୁକ୍ତି କ୍ଷେତ୍ରରେ ଥିବା ସୁବିଧା, ସୁଯୋଗ ଆଦି ବାବଦରେ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ ଫିନଲାଣ୍ଡ ଦୂତାବାସର ପ୍ରତିନିଧି ଦଳ।

‘ଜନସ୍ଵାସ୍ଥ୍ୟ, ହେଲ୍ଥ ମ୍ୟାନେଜମେଣ୍ଟ, ବାୟୋଲୋଜିକାଲ ସାଇନ୍ସ ଆଦି କ୍ଷେତ୍ରରେ ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ ଲାଗି ବ୍ୟାପକ ସୁଯୋଗ ଦେବାରେ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟ ସ୍ଵତନ୍ତ୍ର। ଆଜି ଫିନଲାଣ୍ଡ ଦୂତାବାସର ପ୍ରତିନିଧି ଦଳ ସହ ଆଲୋଚନା ବେଶ୍ ଉତ୍ସାହଜନକ ଥିଲା। ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚାହିଁଲେ ଫିନଲାଣ୍ଡରେ ଉଚ୍ଚତର ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସୁଯୋଗ ନେବାର ଉଦ୍ୟମ କରିପାରିବେ’, ଫିନଲାଣ୍ଡ ପ୍ରତିନିଧି ଦଳକୁ ସ୍ଵାଗତ କରିବା ଅବସରରେ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତି ପ୍ରଫେସର ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ ଏହା କହିଛନ୍ତି।

ଫିନଲାଣ୍ଡ ସରକାରଙ୍କ ଅର୍ଥନୈତିକ ବ୍ୟାପାର ଓ ନିଯୁକ୍ତି ମନ୍ତ୍ରାଳୟ ଏବଂ ଶିକ୍ଷା ଓ ସଂସ୍କୃତି ମନ୍ତ୍ରାଳୟର ମିଳିତ ସହଯୋଗରେ ଏହି ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ନୂଆଦିଲ୍ଲୀସ୍ଥିତ ଫିନଲାଣ୍ଡ ଦୂତାବାସର ଶିକ୍ଷା ଏବଂ ବିଜ୍ଞାନ କାଉନସେଲର ଡକ୍ଟର ମିକା ତିରୋନେନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, “ପୂର୍ବ ଭାରତରେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ହେଉଛି ଏଆଇପିଚ୍ ବିଶ୍ଵବିଦ୍ୟାଳୟ। ତେଣୁ ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ପାଇଁ ଆମେ ଏହି ବିଶ୍ଵବିଦ୍ୟାଳୟକୁ ବାଛିଲୁ। ଏଠିକାର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଆଲୋଚନା କରିବା ମୋ ପାଇଁ ଏକ ସୁନ୍ଦର ଅନୁଭୂତି। ଫିନଲାଣ୍ଡରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସୁଯୋଗ ରହିଛି। ସେମାନେ ନିଜ ଉଚ୍ଚଶିକ୍ଷା, ଚାକିରି ଓ ବ୍ୟବସାୟ ପାଇଁ ଏଠାରେ ଏକ ଭଲ ପରିବେଶ ପାଇପାରିବେ।“

ସେହିପରି ଫିନଲାଣ୍ଡରେ ବିଜିନେସ୍ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ଭାରତୀୟ ଛାତ୍ରଛାତ୍ରୀ, ପ୍ରଫେସନାଲ୍ସ ତଥା ଉଦ୍ୟୋଗୀମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ବିଷୟରେ ଫିନଲାଣ୍ଡ ଟ୍ୟାଲେଣ୍ଟ ବୁଷ୍ଟ ଇଣ୍ଟରନ୍ୟାସନାଲର ଗ୍ଲୋବାଲ ହେଡ୍ ସନ୍ତେରି ଓଜାଲା ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ୟାଲେଣ୍ଟ ବୁଷ୍ଟର ଇଣ୍ଡିଆ ନଲେଜ ପାର୍ଟନର ଦେବପ୍ରିୟ ଦେ ଏବଂ କରନ ମେନନ ସାମିଲ ହୋଇଥିଲେ। ସେହିପରି ଏଆଇପିଏଚ୍ ବିଶ୍ଵବିଦ୍ୟାଳୟର ଏଚ୍ଆର୍ ଓ ଷ୍ଟୁଡେଣ୍ଟ ଓ୍ଵେଲଫେୟାରର ନିର୍ଦ୍ଦେଶକ ପି.ଆର୍. ମିଶ୍ର, ରେଜିଷ୍ଟ୍ରାର ଏସ୍. ମିଶ୍ର, ସ୍କୁଲ ଅଫ୍ ବାୟୋଲୋଜିକାଲ ସାଇନ୍ସର ଡିନ୍ ପ୍ରଫେସର ଏନ୍. ବେହେରା, ସ୍କୁଲ ଅଫ୍ ପବ୍ଲିକ ହେଲ୍ଥର ଡିନ୍ ପ୍ରଫେସର ପି. ପଣ୍ଡା, ସ୍କୁଲ ଅଫ୍ ଆଲାଏଡ୍ ହେଲ୍ଥ ସାଇନ୍ସର ଡିନ୍ ପ୍ରଫେସର ଅରଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର