ନୂଆ ପରିଷଦ ଅପେକ୍ଷାରେ ବଡ଼ ପ୍ରକଳ୍ପ, ୟୁନିଟ୍‌-୯ରେ ବିଏମ୍‌ସିର ନୂଆ ମୁଖ୍ୟାଳୟ ପ୍ରସ୍ତୁତ

ଦୁଇଟି ବହୁତଳ ପାର୍କିଂ ବି ଉଦ୍‌ଘାଟନ ହେବ, ସେନ୍‌ସୋରି ପାର୍କ କାମ ଶେଷ

ଭୁବନେଶ୍ବର : ୨୦୧୪ ମସିହା ଜାନୁଆରି ମାସରେ ହୋଇଥିଲା ପୌର ନିର୍ବାଚନ। ଦୀର୍ଘ ୮ ବର୍ଷ ପରେ ଏବେ ପୁଣି ଥରେ ଭୁବନେଶ୍ବର ବାସିନ୍ଦା ମତଦାନ କରି ନେତା ବାଛିବାକୁ ପ୍ରସ୍ତୁତ ହେଉଛନ୍ତି। ଏଣେ ୨୦୧୯ରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ନେତା, ଆଶାୟୀ ଦୀର୍ଘ ତିନିବର୍ଷ ପରେ ସୁଯୋଗ ପାଇବାକୁ ଯାଉଛନ୍ତି। ନୂଆ ଲୋକପ୍ରତିନିଧିଙ୍କୁ ସ୍ବାଗତ କରିବା ପାଇଁ ଏବେ ଏକାଧିକ ବଡ଼ ପ୍ରକଳ୍ପ ଅପେକ୍ଷା କରିଛି। ଟେଣ୍ଡରରେ ବିଳମ୍ବ ହେଉ ବା ଆଦର୍ଶ ଆଚରଣ ବିଧି ହେଉ ଏକାଧିକ ଆଖିଦୃଶିଆ ପ୍ରକଳ୍ପ ଚୁକ୍ତି ଅବଧି ଭିତରେ ସରି ପାରି ନାହିଁ। ଯାହା ଏବେ ନିର୍ବାଚିତ ହେବାକୁ ଯାଉଥିବା ଲୋକ ପ୍ରତିନିଧିଙ୍କ ପାଇଁ ଉପହାର ସଦୃଶ ହୋଇଛି।

ସବୁଠାରୁ ଆକର୍ଷଣୀୟ ପ୍ରକଳ୍ପ ହେଉଛି ବିଏମ୍‌ସିର ନୂଆ ମୁଖ୍ୟାଳୟ। ୟୁନିଟ୍‌-୯ରେ ସତ୍ୟନଗର ମଶାଣି ସାମ୍ନାରେ ନିର୍ମାଣ ସରିଥିବା ଏହି ୧୧ ମହଲା କୋଠା ଉଦ୍‌ଘାଟନ ଅପେକ୍ଷାରେ ରହିଛି। ନବ ନିର୍ବାଚିତ ମେୟର ଓ କର୍ପୋରେଟର୍‌ମାନେ ଏହି କୋଠାରେ କାର୍ଯ୍ୟାରମ୍ଭ କରିବାର ସୁଯୋଗ ପାଇବେ। ୨ ଲକ୍ଷ ୧୯ ହଜାର ୨୪୦ ବର୍ଗଫୁଟ ପରିମିତ ଜାଗାରେ ୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ୧୧ ମହଲା କୋଠା ତିଆରି ହୋଇଛି। ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ଏହି କୋଠା ୨୦୨୧ ମସିହାରେ ସରିବାକୁ ଥିଲେ ମଧ୍ୟ ବିଭିନ୍ନ କାରଣରୁ ବିଳମ୍ବିତ ହୋଇଛି।

ଠିକ୍‌ ସେହିଭଳି ଆଉ ଦୁଇଟି ବଡ଼ ପ୍ରକଳ୍ପ ହେଉଛି ବହୁତଳ କାର୍‌ ପାର୍କିଂ। ଭୁବନେଶ୍ବରେ ପ୍ରଥମ ଥର ପାଇଁ ଏଭଳି କାର୍‌ ପାର୍କିଂ ବ୍ୟବସ୍ଥା ହେଉଛି। ପାଖାପାଖି ୭୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉଭୟ ପ୍ରକଳ୍ପରେ ଏକ ସମୟରେ ୭ଶହ କାର୍‌ ରହି ପାରିବ। ଯାହା ଭୁବନେଶ୍ବରର ବ୍ୟସ୍ତବହୁଳ ଟ୍ରାଫିକ୍‌କୁ ଅନେକ ପରିମାଣରେ ଉପସମ ଦେବା ସହ ଲୋକମାନେ ବଜାର ବାହାରିବା ପୂର୍ବରୁ ନିଜର ଗାଡ଼ି ପାଇଁ ପାର୍କିଂ ଜାଗା ବୁକିଂ କରିବା ସୁବିଧା ପାଇବେ। ୨୦୧୯ ମସିହାରେ ଏହା କାର୍ଯ୍ୟକ୍ଷମ ହେବାକୁ ଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ହୋଇ ପାରି ନାହିଁ। ଗତ ବର୍ଷ ଏଥିରୁ ଗୋଟିଏ (ସହିଦନଗର ପ୍ରକଳ୍ପ) ଶେଷ ପର୍ଯ୍ୟାୟକୁ ଆସି ଯାଇଥିବାରୁ ଉଦ୍‌ଘାଟନ ହେବା ନେଇ ଆଲେଚନା ହୋଇଥିଲା। ହେଲେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସରି ପାରିନଥିଲା। ଏବେ ଗୋଟିଏ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟଟି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଣୁ ଚଳିତବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ଉଭୟ ପ୍ରକଳ୍ପ ଉଦ୍‌ଘାଟନ ନୂଆ ପ୍ରତିନିଧିଙ୍କ ଦ୍ବାରା ହେବାକୁ ଯାଉଛି।

ସେହିଭଳି ଆଉ ଗୋଟିଏ ଆକଷଣୀୟ ପ୍ରକଳ୍ପ ହେଉଛି ସେନ୍‌ସୋରି ପାର୍କ। ଏହି ପାର୍କ ଦିବ୍ୟାଙ୍ଗଙ୍କ ପାଇଁ ସମର୍ପିତ ହୋଇଛି। ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଏଭଳି ଏକ ପାର୍କ ନିର୍ମାଣ କରାଯାଇଛି। ୯୩ ଲକ୍ଷ ଟଙ୍କା ବ୍ୟୟରେ ୧୬ହକାର ୧୧୭ ବର୍ଗଫୁଟ୍‌ ଅଞ୍ଚଳ ପରିମିତ ଜାଗାରେ ସହିଦ୍‌ନଗରରେ ଏହି ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଦ୍ବାରା ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି ପାର୍କ ୨୦୧୯ ସରିବାକୁ ଥିଲେ ମଧ୍ୟ ତିନିବର୍ଷ ବିଳମ୍ବ ହୋଇଛି। ଏବେ ଏହାର ନିର୍ମାଣ ଶେଷ ହୋଇଛି। କେବଳ ଉଦ୍‌ଘାଟନ ଅପେକ୍ଷାରେ ରହିଛି।

ଏହା ବ୍ୟତୀତ ଅସରାଏ ବର୍ଷା ହେଲେ ନଳାପାଣିରେ ଉବୁଟୁବୁ ହେଉଥିବା ଶବରସାହିର ଜାଲିଗଳିରେ ନଳା ନିର୍ମାଣ ହେଉଛି। ଏଥିରେ ପ୍ରାୟ ତିନିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଶବରସାହି ଅଞ୍ଚଳ ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। ଏହା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାର୍ଚ୍ଚ ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି। ଅର୍ଥାତ୍‌ ଆସନ୍ତା ବର୍ଷାଋତୁରେ ଆଉ ଶବରସାହି ଭାସିବନି ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେଇଛି। ସେହିଭଳି ଏକ ଅଣଓସାରିଆ କଲଭର୍ଟ ଯୋଗୁ ଅସରାଏ ବର୍ଷାରେ ଭାସୁଥିବା ବୈରାଗୀ ନଗରରେ ମଧ୍ୟ କଲଭର୍ଟ ନିର୍ମାଣ ଚାଲିଛି। ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ମେ’ ସୁଦ୍ଧା ସରିବାକୁ ଯାଉଛି। ଏହା ବାଦ୍ ୱାର୍ଡ ସ୍ତରରେ ବହୁ ଛୋଟ ଛୋଟ ପ୍ରକଳ୍ପ ମଧ୍ୟରୁ କିଛି ପ୍ରକଳ୍ପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଓ କିଛି ଶିଳାନ୍ୟାସ ପାଇଁ ପ୍ରସ୍ତୁତ ଅଛି। ନୂଆ ମେୟର ଓ କର୍ପୋରେଟର୍‌ଙ୍କ ଦ୍ବାରା ଏହି କାର୍ଯ୍ୟ ସମ୍ପନ୍ନ ହେବ।

ସମ୍ବନ୍ଧିତ ଖବର