ବରଗଡ଼: ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ କେଳେଙ୍କାରୀ ଚାଲିଥିବା ଜଣାପଡ଼ୁଛି। ଏହି କେଳେଙ୍କାରୀକୁ ସହଜରେ ଘଣ୍ଟ ଘୋଡ଼ାଇବାକୁ ସବୁ କିସମରେ ପୂର୍ବ ପ୍ରସ୍ତୁତି ଚାଲିଛି। ଦୈନିକ କେତେ ପିଲା ମଧ୍ୟାହ୍ନ ଖାଇଲେ, ସେହି ବାବଦକୁ କେତେ ଟଙ୍କା ଖର୍ଚ୍ଚ ହେଲା। ଏସବୁ ତଥ୍ୟ ଆଉ ପୋର୍ଟାଲରେ ଉପଲବ୍ଧ ନାହିଁ। କିମ୍ବା କୌଣସି ସ୍କୁଲରୁ ଏସ୍ଏମ୍ଏସ୍ କରି ଆଉ ମଧ୍ୟାହ୍ନ ଭୋଜନ ତଦାରଖ କରୁଥିବା ଅଧିକାରୀଙ୍କ ପାଖକୁ ତଥ୍ୟ ପଠାଯାଉନାହିଁ। କେବଳ ଲୋକଦେଖାଣିଆ ପାଇଁ ଚିରକୁଟ୍ କରି ପିଲାଙ୍କ ଉପସ୍ଥାନ, କେତେ ପିଲା ମଧ୍ୟାହ୍ନ ଭୋଜନ ଖାଇଛନ୍ତି, ଏସବୁ ସ୍କୁଲୱାରି ପ୍ରସ୍ତୁତ କରାଯାଉଛି। କିନ୍ତୁ ତାହାକୁ ତଦାରଖ କରିବାକୁ କେହି ଇଚ୍ଛା ପ୍ରକାଶ କରୁନାହାନ୍ତି। ଗୋଟିଏ ହିସାବରେ କହିବାକୁ ଗଲେ କେଳେଙ୍କାରୀ ପାଇଁ ସବୁ ଭିତ୍ତିଭୂମି ତଳରୁ ଉପର ସ୍ତର ଯାଏ ପ୍ରସ୍ତୁତ କରାଯାଇଛି।
ପରିସଂଖ୍ୟାନ ଅନୁସାରେ ଜିଲ୍ଲାରେ ୧୫୦୮ଟି ସ୍କୁଲରେ ୭୬୫୩୪ ଜଣ ପିଲା ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ବରଗଡ଼ ବ୍ଲକ୍ରେ ୧୩୩, ବରଗଡ଼ ପୌରାଞ୍ଚଳରେ ୩୫, ବରପାଲିରେ ୧୦୮, ବରପାଲି ଏନ୍ଏସିରେ ୧୨, ଭଟଲିରେ ୯୮, ଭେଡ଼େନରେ ୧୩୪, ବିଜେପୁରରେ ୧୧୫, ଗାଇସିଲାଟ୍ରେ ୧୧୩, ଝାରବନ୍ଧରେ ୧୦୨, ପଦ୍ମପୁର ଏନ୍ଏସିରେ ୯, ପଦ୍ମପୁର ବ୍ଲକ୍ରେ ୧୩୪, ପାଇକମାଳରେ ୧୪୨, ସୋହେଲାରେ ୧୫୨ଟି ସ୍କୁଲରେ ମଧ୍ୟାହ୍ନ ଭୋଜନ ପିଲାଙ୍କୁ ଯୋଗାଇ ଦିଆଯିବା କଥା। କରୋନା ପୂର୍ବରୁ ମଧ୍ୟାହ୍ନ ଭୋଜନର ସବୁ ତଥ୍ୟ ପ୍ରକାଶିତ ହେଉଥିବା ବିଭାଗୀୟ ପୋର୍ଟାଲରେ। ପ୍ରତି ସ୍କୁଲରୁ ଏସ୍ଏମ୍ଏସ୍ ଜରିଆରେ ପ୍ରଧାନଶିକ୍ଷକ ନୋଡାଲ ଅଫିସର୍ଙ୍କୁ ପିଲାଙ୍କ ଉପସ୍ଥାନ ଏବଂ ମଧ୍ୟାହ୍ନ ଭୋଜନ ସଂଖ୍ୟା ଆଗତୁରା ସୂଚନା ଦେଉଥିଲେ। ଯାହା ପୋର୍ଟାଲରେ ପ୍ରକାଶ ପାଉଥିଲା। କରୋନା ପୂର୍ବରୁ ଏହି ଢାଞ୍ଚାରେ କାମ ଚାଲୁଥିଲା। ସ୍ବଚ୍ଛତା ବି ରହୁଥିଲା। କିନ୍ତୁ ଦୀର୍ଘ ଦୁଇ ବର୍ଷ ସ୍କୁଲ ବନ୍ଦ ରହିବା ପରେ ସବୁ ଗଡ଼ବଡ଼ରେ ଚାଲିଛି। ପୋର୍ଟାଲରେ କିଛି ବି ତଥ୍ୟ ଆଉ ଉପଲବ୍ଧ ରହୁନାହିଁ।
ଫଳରେ କେଉଁ ସ୍କୁଲରେ ଦୈନିକ କେତେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଲା ଏବଂ କେତେ ପିଲା ଖାଇଲେ, ତାହାର ଆଉ ହିସାବ ରହୁନାହିଁ। ଲକ୍ଡାଉନ୍ ସମୟରେ ହିଁ ଏହି କେଳେଙ୍କାରୀର ଭିତ୍ତିଭୁମି ପଡ଼ିଥିଲା। ଲକ୍ଡାଉନ୍ ଯୋଗୁଁ ପାଖାପାଖି ୨ବର୍ଷ ହେଲା ପ୍ରାଥମିକ ସ୍କୁଲ୍ ବନ୍ଦ ରହିଥିଲା। ଏହି ଅବଧିରେ ଏହି ଦୁର୍ନୀତିର ମାତ୍ରା ଚରମ ସୀମାରେ ପହଂଚିଥିଲା। ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ ଥିବାବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାଙ୍କୁ ଜଣ ପିଛା ଶହେ ଗ୍ରାମ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ଜଣପିଛା ୧୫୦ ଗ୍ରାମ ଚାଉଳ ବାଣ୍ଟିବାକୁ ସରକାର ନିୟମ କରିଥିଲେ। ଏହି ଅବଧି ମଧ୍ୟରେ ପ୍ରାଥମିକ ସ୍କୁଲ ପିଲାଙ୍କୁ ଜଣପିଛା ୧୧କିଲୋ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଜଣପିଛା ୧୬.୫୦୦ କିଲୋ ଚାଉଳ ମିଳିବା କଥା। ପିଲାସଂଖ୍ୟା ଅନୁସାରେ ସ୍କୁଲକୁ ଚାଉଳ ପହଂଚିଥିଲା। କିନ୍ତୁ ପ୍ରତି ବସ୍ତାରେ ୫/୬ କିଲୋ ଚାଉଳ କମ୍ କରି ତାକୁ ଅନୁମାନିକ ଭାବେ କିମ୍ବା ମାଣ ଜରିଆରେ ପିଲାଙ୍କୁ ବଣ୍ଟା ଯାଇଥିଲା। ଏହି ଅନିୟମିତତାର ତଦନ୍ତ ବର୍ତମାନ ଯାଏ ଚାପି ହୋଇଛି। ଏବେ ଅନିୟମିତତା ବ୍ୟାପକ ହୋଇଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଭୟରେ ସ୍କୁଲର ଶିକ୍ଷକମାନେ ମୁହଁ ଫିଟାଉ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/17-20.jpg)