ସୁନ୍ଦରଗଡ଼/ରାଜାମୁଣ୍ତା/ଲେଫ୍ରିପଡ଼ା/କୁତ୍ରା: ୨୫୦ ବର୍ଗଫୁଟ୍ ବିଶିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ପକ୍କାଘର ତିଆରି ହେଉଛି ୧ ଲକ୍ଷ ୩୦ ହଜାର ଟଙ୍କାରେ। କିନ୍ତୁ ୧୫୪ ବର୍ଗଫୁଟ୍ ବିଶିଷ୍ଟ ଯାତ୍ରୀ ପ୍ରତୀକ୍ଷାଳୟ ପାଇଁ ଖର୍ଚ୍ଚ ହେଉଛି ୫ ଲକ୍ଷ ୧୮ ହଜାର ଟଙ୍କା। ଲକ୍ଷ୍ମୀବସ୍ ପାଇଁ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ନାଁରେ ସରକାରୀ ଅର୍ଥ ହରିଲୁଟ୍ କରିବାର ଏକ ବଡ଼ଧରଣର ଯୋଜନା କାର୍ଯ୍ୟକାରୀ ହୋଇଥିବା ଅଭିଯୋଗ ଆସିଛି। ଏହି ଟଙ୍କା ହଡ଼ପ ପାଇଁ ନିର୍ମାଣକାରୀ ଠିକାଦାର ବା ଠିକାସଂସ୍ଥା କେବଳ ଦାୟୀ ନୁହନ୍ତି, ଏହି ଟଙ୍କା ହରିଲୁଟ୍‌ ପାଇଁ ସରକାରୀ ଭାବେ ବ୍ୟବସ୍ଥା କରାଯାଇଥିବା ଆଲୋଚନା ହେଉଛି। କାରଣ ଏଥିରେ ସମ୍ପୃକ୍ତ ନିର୍ଦ୍ଦିଷ୍ଟ ସରକାରୀ ବିଭାଗ ୨ଟି ଯୋଜନା ପାଇଁ ଅର୍ଥ ମଞ୍ଜୁର କରୁଥିବାବେଳେ ସେ ମଧ୍ୟରେ ରହିଛି ଆକାଶପାତାଳ ଫରକ।

Advertisment

ଜନସାଧାରଣଙ୍କ ସୁଗମ ଯାତାୟାତ ପାଇଁ ପୂର୍ବ ସରକାର କରିଥିଲେ ‘ଲକ୍ଷ୍ମୀବସ୍’ ଯୋଜନା। ଏହାଦ୍ବାରା ଜନସାଧାରଣ ପଞ୍ଚାୟତରୁ ବ୍ଲକ୍‌ ମୁଖ୍ୟାଳୟ ପର୍ଯ୍ୟନ୍ତ ସୁବିଧାରେ ଓ ଶସ୍ତାରେ ଯାତାୟାତ କରିପାରିବେ ବୋଲି ଲକ୍ଷ୍ୟ ରଖାଯାଇଥିଲା। ଏହି ଯୋଜନାରେ ବିଭିନ୍ନ ସ୍ଥାନରେ ଯାତ୍ରୀ ପ୍ରତୀକ୍ଷାଳୟ ତିଆରି କରିବାକୁ ଅର୍ଥ ମଞ୍ଜୁର ହୋଇଥିଲା। ଏହାର ନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ହୋଇଥିବାବେଳେ ଜିଲ୍ଲା ପରିଷଦ ପାଣ୍ଠି ଯୋଗାଇଛି। ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ୍‌ରେ ପୂର୍ବରୁ ଏହିପରି ୭୪ଟି ପ୍ରତୀକ୍ଷାଳୟ ଥିବାବେଳେ ଆଉ ୩୪୫ଟି ନୂଆ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ୩୨୨ଟି ନିର୍ମାଣାଧୀନ ପ୍ରକଳ୍ପ ମଧ୍ୟରୁ ୮୧ଟି ସମ୍ପୂର୍ଣ୍ଣ ହୋଇସାରିଛି। ଏହି ଯୋଜନାରେ ତିଆରି ହେଉଥିବା ଲକ୍ଷ୍ମୀ ବସ୍‌ ପ୍ରତୀକ୍ଷାଳୟ ଗୁଡ଼ିକ ୧୫୪ ବର୍ଗଫୁଟ୍‌ ବିଶିଷ୍ଟ। ଏଥିରେ ୪ଟି କଲମ, ଗୋଟିଏ କାନ୍ଥ, ଗୋଟିଏ ସିମେଣ୍ଟ ବେଞ୍ଚ ଓ ଛାତ ରହୁଛି। କିଛି ସ୍ଥାନରେ ଚଟାଣରେ ଟାଇଲ୍‌ ବିଛାଯାଇଥିବାବେଳେ ଅନ୍ୟସ୍ଥାନରେ କେବଳ ସିମେଣ୍ଟ ପଲସ୍ତରା କରାଯାଇଛି। ଏହାର ମୋଟ ଅଟକଳ ହେଉଛି ୫ ଲକ୍ଷ ୧୮ ହଜାର ଟଙ୍କା।
ଅନ୍ୟପକ୍ଷରେ, ଜନସାଧାରଣଙ୍କ ହିତରେ ଆଉ ଏକ ସରକାରୀ ଯୋଜନା ହେଉଛି ‘ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ’। ଏହି ଯୋଜନାରେ ପକ୍କାଘର ତିଆରି ପାଇଁ ଗ୍ରାମାଞ୍ଚଳର ଗରିବ ହିତାଧିକାରୀଙ୍କୁ ଅର୍ଥ ମଞ୍ଜୁର କରାଯାଉଛି। ୨୫୦ ବର୍ଗଫୁଟ୍‌ ବିଶିଷ୍ଟ ଛାତପକା ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ମଞ୍ଜୁର ହେଉଛି। ସେତିକି ଟଙ୍କାରେ ମଧ୍ୟ ହିତାଧିକାରୀ ଘର ନିର୍ମାଣ କରୁଛନ୍ତି। ଏହି ଘରେ ପୁଣି କବାଟ, ଝରକା ଆଦି ବିଭିନ୍ନ ଉପାଦାନ ରହୁଛି ଯାହା ପ୍ରତୀକ୍ଷାଳୟରେ ନାହିଁ।

ଦୁଇଟି ଯୋଜନାର କାର୍ଯ୍ୟାନ୍ବୟନ ଗୋଟିଏ ସଂସ୍ଥା କରୁଥିବାବେଳେ ଖର୍ଚ୍ଚ ଅଟକଳରେ ଆକାଶପାତାଳ ଫରକ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ପାଇଁ ବର୍ଗଫୁଟ୍ ପିଛା ୫୨୦ ଟଙ୍କା ବ୍ୟୟ ହେଉଥିବାବେଳେ ପ୍ରତୀକ୍ଷାଳୟ ପାଇଁ ବର୍ଗଫୁଟ୍ ପିଛା ସରକାର ଖର୍ଚ୍ଚ କରିଛନ୍ତି ୩୩୬୩ ଟଙ୍କା ଯାହା ବଜାର ଦରଠାରୁ ମଧ୍ୟ ଢେର୍‌ ଅଧିକ। ନିର୍ମାଣ କରାଯାଇଥିବା ଏହି ପ୍ରତୀକ୍ଷାଳୟଗୁଡ଼ିକୁ ଦେଖିଲେ ପ୍ରକୃତ ଖର୍ଚ୍ଚର ୫ ଗୁଣରୁ ଅଧିକ ବ୍ୟୟ ହୋଇଥିବା ନିର୍ମାଣ ବିଶେଷଜ୍ଞମାନେ କହୁଛନ୍ତି। ସେହିହିସାବରେ ଜିଲ୍ଲାରେ ନିର୍ମାଣାଧୀନ ୩୨୨ (୮୧ଟି ସମ୍ପୂର୍ଣ୍ଣ ହୋଇସାରିଛି)ଟି ପ୍ରକଳ୍ପ ପାଇଁ ଅଟକଳ ମୂଲ୍ୟ ହେଉଛି ୧୬ କୋଟି ୬୭ ଲକ୍ଷ ୯୬ ହଜାର। ଉପରୋକ୍ତ ହିସାବ ଅନୁଯାୟୀ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନାରେ ପ୍ରାୟ ୧୩ କୋଟି ଟଙ୍କା ଚଳୁ କରିବାକୁ ବ୍ୟବସ୍ଥା କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥିସହିତ, ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ସାମ୍‌ନାକୁ ଆସିଛି। ବିଜୁ ଏକ୍ସପ୍ରେସ୍ ୱେ’ରେ ପୂର୍ବରୁ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଗୁଡ଼ିକରେ କେବଳ ରଙ୍ଗ ମାରି ଦିଆଯାଇ ନିର୍ମାଣ ବାବଦ ଅର୍ଥକୁ ସମ୍ପୂର୍ଣ୍ଣ ହଡ଼ପ କରି ନିଆଯାଇଛି ବୋଲି ସାଂଘାତିକ ଅଭିଯୋଗ ବି ହେଉଛି।

ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଦୁଃଖବନ୍ଧୁ ନାଏକଙ୍କୁ ପଚାରିବାରୁ ‘ଉପରୁ ଯାହା ନିର୍ଦେଶ ରହିଛି, ସେହି ଅନୁସାରେ କାମ କରାଯାଇଛି। ତେବେ, ଜିଲ୍ଲା ପରିଷଦ କେବଳ ପାଣ୍ଠି ଯୋଗାଇଛି। ଏହାର କାର୍ଯ୍ୟାନ୍ବୟନ ବ୍ଲକ୍‌ ପକ୍ଷରୁ କରାଯାଇଛି’ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ‘ଏଷ୍ଟିମେଟ୍‌ ଅନୁସାରେ କାମ କରାଯାଉଛି’ ବୋଲି କହିଛନ୍ତି ସଦର ବିଡିଓ ମୋତିଲାଲ ସୁଲିଆ।