ଭୁବନେଶ୍ବର : ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ଅପରାଜିତା, ମହାଶ୍ବେତା ରାୟ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ବାବୁସାନ୍। ଓଡ଼ିଆ ସିନେମା ଦୁନିଆର ଆଗ ଧାଡ଼ିର ତାରକା। ଗତ କିଛି ବର୍ଷ ମଧ୍ୟରେ ଏମାନେ ସମସ୍ତେ ଘଟଣାକ୍ରମେ ରାଜନୀତିରେ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରୁ କିଏ ପ୍ରାର୍ଥୀ ହୋଇଥିଲେ ତ କିଏ ପ୍ରଚାର ମଙ୍ଗ ଧରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଏମାନଙ୍କ ମାରାଥନ୍ ପ୍ରଚାର ଦେଖିବାକୁ ମିଳୁଥିଲା। କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଏହି ବଡ଼ ତାରକାମାନଙ୍କୁ ଆଦୌ ଦେଖିବାକୁ ମିଳୁନି। ସେମାନେ ନିଜ ଆଡ଼ୁ ରାଜନୀତିରୁ ଦୂରେଇ ଗଲେ ନା ଘଟଣାଚକ୍ରରେ ଦଳ ପାଇଁ ସେମାନେ ଅଲୋଡ଼ା ହୋଇଗଲେ, ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ସେମାନଙ୍କ ସ୍ଥାନ ନେଇଛନ୍ତି ଦ୍ବିତୀୟ ଧାଡ଼ିର କଳାକାରମାନେ। ସେମାନେ ଏବେ ରାଜନୈତିକ ଦଳର ତାରକା ପ୍ରଚାରକ ସାଜିଛନ୍ତି।

Advertisment

ଦକ୍ଷିଣ ଭାରତ ପରି ଓଡ଼ିଶାରେ ଓଲିଉଡ୍ ତାରକାମାନେ ରାଜନୀତିରେ ପ୍ରଭାବୀ ସାବ୍ୟସ୍ତ ହୋଇପାରି ନାହାନ୍ତି। ୨୦୦୦ ମସିହା ପୂର୍ବରୁ ରାଜନୀତି ଠାରୁ ଓଲିଉଡ୍ ଯଥେଷ୍ଟ ଦୂରରେ ଥିଲା କହିଲେ ଭୁଲ୍ ହେବ ନାହିଁ। ୨୦୦୦ ମସିହାରେ ବିଶିଷ୍ଟ ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ନିର୍ବାଚନୀ ରାଜନୀତିରେ ସଫଳ ହେଲା ପରେ ରାଜ୍ୟ ରାଜନୀତିରେ ଅଭିନେତା, ଅଭିନେତ୍ରୀଙ୍କ ପ୍ରବେଶ ଆରମ୍ଭ ହେଲା। ୨୦୦୯ରେ ସୁପର ଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର ବିଜେଡିରୁ ବ୍ରହ୍ମପୁର ଲୋକସଭା ଆସନର ଟିକେଟ୍ ପାଇଁ ସାଂସଦ ଭାବେ ନିର୍ବାଚିତ ହେଲେ। ୨୦୧୪ରେ ସେ ଦ୍ବିତୀୟ ବାର ନିର୍ବାଚିତ ହେଲେ।

publive-image The New Indian Express

ସେହି ସମୟରେ ସିଦ୍ଧାନ୍ତ ବିଜେଡିରେ ବେଶ୍ ଗୁରୁତ୍ବ ପାଉଥିଲେ। ବିଜେଡିର ସବୁ ନିର୍ବାଚନ ପ୍ରଚାରରେ ସେ ଥିଲେ ବଡ଼ ଆକର୍ଷଣ। କିନ୍ତୁ ୨୦୧୯ରେ ତାଙ୍କୁ ଦଳ ଟିକେଟ୍ ଦେଲା ନାହିଁ। ସେବେ ଠାରୁ ସେ ରାଜନୀତିରୁ ବିଧିବଦ୍ଧ ସନ୍ନ୍ୟାସ ନେଇ ନ ଥିଲେ ମଧ୍ୟ ଆଦୌ ସକ୍ରିୟ ନାହାନ୍ତି। ବିଜେଡି ମଧ୍ୟ ତାଙ୍କୁ ଆଉ ଲୋଡ଼ୁ ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ସେ ପ୍ରଚାରରେ ସାମିଲ ନ ଥିଲେ କି ଏବେ ପଞ୍ଚାୟତ ନିର୍ବାଚନରେ ସାମିଲ ନାହାନ୍ତି। ସେହିପରି ପ୍ରଶାନ୍ତ ନନ୍ଦ ରାଜନୈତିକ ଘଟଣାକ୍ରମେ ବିଜେପିରୁ ଏନ୍‌ସିପି, ପରେ ବିଜେଡିରେ ସାମିଲ ହେଲେ। ୨୦୧୮ରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଲା। ସେ ଏବେ ସାଂସଦ ଥାଇ ମଧ୍ୟ ଦଳର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁ ନାହିଁ। ଏଥର ପଞ୍ଚାୟତ ନିର୍ବାଚନରେ ଦଳ ତାଙ୍କୁ ପ୍ରଚାର ଅଭିଯାନରେ ସାମିଲ କରି ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ପୁଅ ବେଗୁନିଆରୁ ବିଜେପି ପ୍ରାର୍ଥୀ ହେଲା ପରେ ଶ୍ରୀ ନନ୍ଦ ଦଳ ଭିତରେ ଏକପ୍ରକାର ଅଲୋଡ଼ା ହୋଇଯାଇଛନ୍ତି।

ଓଲିଉଡ୍‌ର ସର୍ବକାଳୀନ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ସେହି ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ଜୋରଦାର ପ୍ରଚାର କରିଥିଲେ। ତାଙ୍କ ସଭାଗୁଡ଼ିକରେ ବେଶ୍ ଜନସମାଗମ ହେଉଥିଲା। କିନ୍ତୁ ତାହା ପରେ ସେ ରାଜନୀତିରେ ଏକ ପ୍ରକାର ନିଷ୍କ୍ରିୟ ହୋଇଗଲେ। ୨୦୧୯ରେ ବିଜେଡି ତାଙ୍କୁ ପ୍ରାର୍ଥୀ କଲାନି କିମ୍ବା ରାଜନୀତି ପ୍ରତି ଉତ୍ତମଙ୍କ ସେତେଟା ଆଗ୍ରହ ଆଉ ଦେଖିବାକୁ ମିଳିଲା ନାହିଁ।

publive-image

୨୦୧୯ ନିର୍ବାଚନ ପୂର୍ବରୁ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି, ମହାଶ୍ବେତା ରାୟ ବିଜେପିରେ ସାମିଲ ହେଲେ। ୨୦୧୪ରେ କଂଗ୍ରେସ ଟିକେଟ୍‌ରେ କଟକ ଲୋକସଭା ଆସନରୁ ଲଢ଼ିଥିବା ଅପରାଜିତା ୨୦୧୯ରେ ଭୁବନେଶ୍ବର ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା କଲେ। ତାଙ୍କ ଅଭିନେତା ପୁତ୍ର ବାବୁସାନ୍ ମା’ଙ୍କ ପାଇଁ ମାରାଥନ୍ ପ୍ରଚାର କରୁଥିଲେ। କେବଳ ଭୁବନେଶ୍ବରରେ ନୁହେଁ, କେନ୍ଦ୍ରାପଡ଼ାରେ ମଧ୍ୟ ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ପାଇଁ ବାବୁସାନ୍ ପ୍ରଚାର କରିଥିଲେ। ବିଜେଡି ପ୍ରାର୍ଥୀ ଅନୁଭବଙ୍କ ବିରୋଧରେ ଟିପ୍ପଣୀ ବି ଦେଇଥିଲେ। ମହାଶ୍ବେତା ମଧ୍ୟ ବିଜେପି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ। ଅପରାଜିତା ନିର୍ବାଚନରେ ପରାଜୟ ବରଣ କଲେ। ୨୦୧୯ ପରେ ଅପରାଜିତା, ମହାଶ୍ବେତା ଓ ବାବୁସାନ୍‌ଙ୍କୁ ଆଉ ରାଜନୈତିକ ମଞ୍ଚରେ ଦେଖିବାକୁ ମିଳିଲା ନାହିଁ। ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ତିନି ଜଣ ବିଜେପିର ପ୍ରଚାରରେ ସାମିଲ ହୋଇ ନାହାନ୍ତି। ଏମାନେ ରାଜନୀତିକୁ ବାଏ ବାଏ କରିଦେଲେ ନା ଦଳ ଆଉ ସେମାନଙ୍କୁ ଲୋଡ଼ିଲା ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

publive-image Dailyhunt

ଓଲିଉଡ୍‌ର ଅନ୍ୟତମ ସୁପର୍‌ଷ୍ଟାର୍ ଅନୁଭବ ମହାନ୍ତି ଏବେ ବିଜେଡିରେ ଥାଇ ନ ଥିଲା ପରି। ଦଳର ସାଂସଦ ହୋଇଥିଲେ ବି ତାଙ୍କୁ ଦଳର ସମସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଛି। ପାରିବାରିକ ବିବାଦ ହିଁ ଏହା ପଛର ମୁଖ୍ୟ କାରଣ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି। ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ସାରା ରାଜ୍ୟ ବୁଲିବା ଦୂରର କଥା, ନିଜ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀଙ୍କ ପାଇଁ ଅନୁଭବଙ୍କ ଉପସ୍ଥିତି ଦେଖିବାକୁ ମିଳୁନାହିଁ।

ଓଡ଼ିଶାର ଏହି ଆଗ ଧାଡ଼ିର କଳାକାରମାନଙ୍କୁ ଏଥର ରାଜନୀତି ମଇଦାନରେ ଦେଖିବାକୁ ମିଳୁନି। ଏମାନଙ୍କ ସ୍ଥାନ ଏବେ ନେଇଛନ୍ତି ଦ୍ବିତୀୟ ଧାଡ଼ିର କଳାକାରମାନେ। ବଡ଼ ତାରକାଙ୍କ ପରି ଏମାନଙ୍କ କ୍ରେଜ୍ ନ ଥିଲେ ବି ଗ୍ରାମାଞ୍ଚଳରେ ଲୋକଙ୍କୁ ଏକଜୁଟ୍ କରିବାରେ ଏମାନେ ଉଣା ଅଧିକେ ସକ୍ଷମ ହେଉଛନ୍ତି। ବିଜେଡି ପାଇଁ ଏବେ ତାରକା ପ୍ରଚାରକ ସାଜିଛନ୍ତି ଆକାଶ ଦାସନାୟକ, ମୁନା ଖାନ୍, ଅରିନ୍ଦମ ରାୟ, କୁନା ତ୍ରିପାଠୀ, ବର୍ଷା ପ୍ରିୟଦର୍ଶିନୀ, ଏଲିନା ଦାସ, ସୋଫିଆ ଆଲାମ ପ୍ରମୁଖ। ବିଜେପି ପାଇଁ ଏବେ ତାରକା ପ୍ରଚାରକ ହୋଇଛନ୍ତି ଅଶ୍ରୁମୋଚନ, ଶ୍ରୀତମ ଦାସ, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଓ ହରିହର ପ୍ରମୁଖ। ଗୋଟିଏ ପଟେ ବିଭିନ୍ନ କାରଣ ପାଇଁ ଓଲିଉଡ୍ କ୍ରେଜ୍ କମିଯାଇଛି ଓ ଓଡ଼ିଆ ସିନେମା ଦୁର୍ଦ୍ଦିନ ଦେଇ ଗତି କରୁଛି। ଅନ୍ୟ ପଟେ ବଡ଼ ତାରକାମାନେ ରାଜନୀତିରୁ ଦୂରେଇ ଯାଇଛନ୍ତି। ତେଣୁ ରାଜନୀତିରେ ଓଲିଉଡ୍ ଏକ ପ୍ରକାର ଅପ୍ରାସଙ୍ଗିକ ହୋଇଛି କହିଲେ ଭୁଲ ହେବ ନାହିଁ। ରାଜନୀତିରେ ଅଭିନେତା, ଅଭିନେତ୍ରୀଙ୍କ ଉପସ୍ଥିତି ଆଉ ଚର୍ଚ୍ଚାର ଖୋରାକ ଯୋଗାଉ ନାହିଁ।