ଭୁବନେଶ୍ବର: ରାଜ୍ୟ ସରକାର ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପକୁ ଆଗେଇବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ନଦୀକୁ ସଂଯୋଗ କରିବାକୁ କେନାଲ୍ ନିର୍ମାଣ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ୫ବର୍ଷରେ ଅର୍ଥାତ୍ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ୬ଟି ପ୍ରକଳ୍ପ ପାଇଁ ପ୍ରାୟ ୧୮୦୦କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଦ୍ବାରା ରାଜ୍ୟରେ ଜଳକ୍ଲିଷ୍ଟ ଦୂର କରିବା, ଭୂତଳ ପାଇପ୍ ଲାଇନ୍ ବିଛାଇ ବିଭିନ୍ନ ଅଞ୍ଚଳରେ ନଦୀ ଜଳ ପହଞ୍ଚାଇ ମରୁଡ଼ି ପ୍ରବଣତାକୁ କମାଇବା, ୧୫୦ଟି ଜଳାଶୟର ପୁନରୁଦ୍ଧାର କରିବା, ସବୁ ଜମିକୁ ଜଳସେଚନ ସୁବିଧା ଯୋଗାଇବା, ଅଣ ମୌସୁମୀ ଋତୁରେ ବି ପାନୀୟ ଜଳ ପ୍ରକଳ୍ପଗୁଡ଼ିକରେ କୌଣସି ସମସ୍ୟା ସୃଷ୍ଟି ନହେବା ଭଳି ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। 

Advertisment

୫ବର୍ଷରେ ୬ଟି ପ୍ରକଳ୍ପରେ ଖର୍ଚ୍ଚ ହେବ ୧୮୦୦କୋଟି
ବହୁ ଅଞ୍ଚଳରେ ପାନୀୟ ଜଳ, ମରୁଡ଼ି ପ୍ରବଣତା ସମସ୍ୟା ଦୂର ହେବ

ରାଜ୍ୟ ସରକାରଙ୍କ ପ୍ରକଳ୍ପ ମଧ୍ୟରେ ପ୍ରଥମରେ ରହିଛି କାତରା ସୁବର୍ଣ୍ଣରେଖା ମୁଖ୍ୟ କେନାଲ ସଂଯୋଗୀକରଣ ପ୍ରକଳ୍ପ। ଏହି ପ୍ରକଳ୍ପ  ଦ୍ୱାରା କାତରା ନଦୀରେ ପ୍ରସ୍ତାବିତ କାଂଶପାଳ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପରୁ  ଏକ ଫିଡର ଚାନେଲ ମାଧ୍ୟମରେ ଜଳ ପ୍ରବାହ ଦ୍ବାରା ସୁବର୍ଣରେଖା ମୁଖ୍ୟ କେନାଲର ଆୟକଟ ଅଞ୍ଚଳରେ ଜଳସେଚନ ସୁନିଶ୍ଚିତ କରାଯାଇପାରିବ। ଦ୍ବିତୀୟ ପ୍ରକଳ୍ପଟି ହେଉଛି ହିରାଧରବାଟି ବ୍ୟାରେଜ- ଚିଲିକା ହ୍ରଦ ସଂଯୋଗୀକରଣ ପ୍ରକଳ୍ପ। ଏଥିରେ ହିରାଧରବାଟି ବ୍ୟାରେଜଠାରୁ  ବନ୍ୟାଜଳ ପ୍ରବାହିକା ଚାନେଲ ମାଧ୍ୟମରେ ଅସଂରକ୍ଷିତ ବନ୍ୟାଜଳକୁ ପଥ ମଧ୍ୟସ୍ଥ ପ୍ରାୟ ୩୫ଟି ଜଳାଶୟ ପୁନଃଭରଣ କରି ଚିଲିକା ହ୍ରଦ ମଧ୍ୟକୁ ପୁନଃପ୍ରବାହିତ କରାଯିବ। ଏହାଦ୍ବାରା ଜଳବନ୍ଦୀ ସମସ୍ୟାର ସମାଧାନ ସହିତ ଜଳ ସଂରକ୍ଷଣ କରାଯାଇ ପାରିବ।

ତୃତୀୟରେ ବାହୁଦା- ଋଷିକୂଲ୍ୟା ଅବବାହିକା ସଂଯୋଗୀକରଣ ପ୍ରକଳ୍ପ। ଏଥିରେ  ବାହୁଦା ଠାରୁ  ଋଷିକୁଲ୍ୟା ନଦୀ ଅବବାହିକା ସଂଯୋଗକାରୀ ପ୍ରଣାଳୀ ଦ୍ବାରା କେଳୁଆପାଲି  ଜଳାଶୟକୁ ପୁନଃଭରଣ କରିବା ସହ ବ୍ରହ୍ମପୁର ସହରାଞ୍ଚଳ ଓ ଗୋପାଳପୁର ସ୍ଥିତ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌  ଅଞ୍ଚଳକୁ ଜଳ ଯୋଗାଣ କରାଯିବ। ଚତୁର୍ଥରେ ବଂଶଧାରା- ଋଷିକୁଲ୍ୟା ସଂଯୋଗୀକରଣ ପ୍ରକଳ୍ପ। ଏହି ଅନ୍ତଃ ନଦୀ ସଂଯୋଜକ ମାଧ୍ୟମରେ ନନ୍ଦିନୀ ନାଳର ଜଳକୁ  ପାର୍ଶ୍ବବର୍ତ୍ତୀ ବ୍ରହ୍ମପୁର ସହରର ଜଳକ୍ଲୀଷ୍ଟ ଅଞ୍ଚଳରେ  ଜଳ ଯୋଗାଣ ସୁନିଶ୍ଚିତ କରାଯିବ। ପଞ୍ଚମରେ ଅଙ୍ଗ- ସୁକତେଲ ଗାର୍ଲାଣ୍ଡ ପ୍ରକଳ୍ପ। ଏହି ସଂଯୋଗୀକରଣ ପ୍ରଣାଳୀ ମାଧ୍ୟମରେ ୧୦୮ଟି ଜଳାଶୟକୁ ପୁନର୍ଜ୍ଜୀବିତ କରାଯାଇ ପ୍ରାୟ ୧୦ହଜାର  ହେକ୍ଟର ଜମିରେ ଜଳସେଚନର ସୁବିଧା ଉପଲବ୍ଧ କରାଯିବ। ଷଷ୍ଠରେ ତେଲେଙ୍ଗିରି- ଅପରକୋଲାବ ସଂଯୋଗୀକରଣ ପ୍ରକଳ୍ପ ରହିଛି। ଏଥିରେ ଉଭୟ ଜଳ ଭଣ୍ଡାରର ସଂଯୋଗ କରାଯାଇ ଜଳଭଣ୍ଡାର ଦ୍ବୟର ଜଳ ପରିସୀମା ସଂପ୍ରସାରଣ କରିବା ସହ ଅଧିକ ସେଚ ସାମର୍ଥ୍ୟ ସୃଷ୍ଟି କରାଯିବ ଏବଂ ପମ୍ପ ଷ୍ଟୋରେଜ୍‌ ପ୍ରକଳ୍ପ ମାଧ୍ୟମରେ ଜଳ ବିଦ୍ୟୁତ ଉତ୍ପାଦନ କରାଯିବ। ଏହି ସମସ୍ତ କାର୍ଯ୍ୟ ପ୍ରଣାଳୀ ଓଡ଼ିଶା ରାଜ୍ୟ ଜଳନୀତି ଆଧାରରେ ପରିଚାଳିତ ହେବ ବୋଲି ନିଷ୍ପତ୍ତି ହୋଇଛି।