ମୋହନା: ଗଜପତି ଜ଼ିଲ୍ଲା ମୋହନା ମୁଖ୍ୟ ବଜାରସ୍ଥିତ ଶ୍ରୀହରି ଜୁଏଲର୍ସରୁ ଗତ ମାସ ୨୬ ରାତି ପ୍ରାୟ ସାଢେ ୯ଟାରେ କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ଲୁଟି ଦୁର୍ବୁତ୍ତମାନେ ଫେରାର ହୋଇ ଯାଇଥିଲେ। ତେବେ, ମୋହନା ଓ ରା.ଉଦୟଗିରି ପୁଲିସର ମିଳିତ କାର୍ଯ୍ୟାନୁଷ୍ଠାନର ପ୍ରାୟ ମାସକ ପରେ ଚୋରି ଯାଇଥିବା ଅଳଙ୍କାର ମଧ୍ୟରୁ ଅଧା ଉଦ୍ଧାର କରାଯାଇଛି। ୪ଟି ହାର, ୪ଟି ଚୁଡ଼ି, ୫୮ଟି କାନଫୁଲ, ୫୩ଟି ଲକେଟ୍, ୬୦ଟି ଆମ୍ବକଷି, ୬ଟି ମୁଦି, ୩ଟି ଝିକା, ୧୧୪ଟି ବଲ୍ ଆଦି ୪୭୫ ଗ୍ରାମର ସୁନା ଅଳଙ୍କାର ଏବଂ ୩ କିଲୋ ରୁପା ଅଳଙ୍କାର ଓ ନଗଦ ୪୦ ହଜାର ଟଙ୍କା ଉଦ୍ଧାର କରାଯାଇଛି। ଏ ନେଇ ଗଜପତି ଏସ୍ପି ଜ୍ୟୋତିନ୍ଦ୍ର କୁମାର ପଣ୍ଡା ମୋହନା ଥାନାରେ ଏକ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି।
ଲୁଟ୍ରେ ସମ୍ପୃକ୍ତ ଥିବା ଅଭିଯୋଗର ଗଞ୍ଜାମ ଜିଲ୍ଲା ଆସ୍କା ଥାନା ପାକଳାପଲ୍ଲୀ ଗ୍ରାମର ଏ. ଅଂଜନ ରାଓ (୩୩) ଓ ସୋନପୁର ଟାଉନ ଥାନା ସ୍ପିନିଂ ମିଲ୍ ଶାନ୍ତିପଡ଼ାର ଦୟାସାଗର ଛତ୍ରିୟl (୩୨)ଙ୍କୁ ଗିରଫ କରାଯାଇଛି। ଅବଶିଷ୍ଟ ଅଳଙ୍କାର ଅନ୍ୟ ଅଭିଯୁକ୍ତଙ୍କ ପାଖରେ ରହିଥିବା ଯୋଗୁ ପୁଲିସ ତଦନ୍ତ ଜାରି ରହିଛି ଏବଂ ତୁରନ୍ତ ସେସବୁ ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି। ମୋହନା ଶ୍ରୀହରି ଜୁଏଲର୍ସର ମାଲିକ ବି. ମୋହନ ରାଓ ଆଚାରୀ ପ୍ରତିଦିନ ଭଳି ସେପ୍ଟେମ୍ବର ୨୬ ତାରିଖ ବୁଧବାର ରାତି ପ୍ରାୟ ସାଢେ ୯ଟା ବେଳେ ଦୋକାନ ବନ୍ଦ କରି ସମସ୍ତ ସୁନା ଓ ରୁପା ଅଳଙ୍କାର ସହ ଟଙ୍କା ବ୍ୟାଗ ଧରି ଘରକୁ ଯିବା ପାଇଁ ବାହାରିଥିଲେ। ଦୋକାନ ସମ୍ମୁଖରେ ବ୍ୟାଗ ୨ଟି ରଖିଥିବା ବେଳେ ଦୁଇଜଣ ଲୁଟେରା ଏକ କଳା ରଙ୍ଗର ବଜାଜ୍ ପଲସର୍ ବାଇକରେ ଆସି ଅଳଙ୍କାର ଓ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ। ଏ ନେଇ ମୋହନା ଥାନା କେସ ନମ୍ବର ୧୮୮/୨୦୨୪ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିଲା ବୋଲି ଏସ୍ପି ଶ୍ରୀ ପଣ୍ଡା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରା. ଉଦୟଗିରି ଏସ୍ଡିପିଓ ଏକେ ସ୍ୱାଇଁ, ମୋହନା ଆଇଆଇସି ବସନ୍ତ କୁମାର ସେଠି, ରା. ଉଦୟଗିରି ଆଇଆଇସି ବାବୁଲି ନାୟକଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/29/xhhDShdp3tpXhxxuEbXu.jpg)