ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ପୁଲିସକୁ ମାଓ ଦମନରେ ମିଳିଛି ବଡ଼ ସଫଳତା। ବୁଧବାର ୨୦ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୧୬ ନକ୍ସଲଙ୍କୁ ଗିରଫ କରିଛି ପୁଲିସ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁରେ ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଛତିଶଗଡ଼ ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସ୍ପି କିରଣ ଚୌହାନ, ସିଆର୍ପିଏଫ୍ କମାଣ୍ଡାଣ୍ଟ ରାଜେଶ କୁମାର ପାଣ୍ଡେଙ୍କ ନିକଟରେ ୨୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ଜଣେ ଦୁର୍ଦ୍ଦାନ୍ତ ମହିଳା ନକ୍ସଲ ସହିତ ୯ ଜଣ ମହିଳା ରହିଛନ୍ତି। ବହୁ ବଡ଼ ମାଓ ହିଂସାରେ ଏମାନେ ଜଡ଼ିତ ଥିବା ପୁଲିସ କହିଛି।
ଦୁଇ ନକ୍ସଲଙ୍କ ନାଁରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଥିବା ବେଳେ ଜଣେ ନକ୍ସଲ ନାଁରେ ୫ ଲକ୍ଷ ଏବଂ ୩ ଜଣ ନକ୍ସଲଙ୍କ ନାଁରେ ୪ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଛି। ଅନ୍ୟ ନକ୍ସଲମାନେ ପାର୍ଟି ସଦସ୍ୟ ଥିଲେ। ପୁଲିସ ପକ୍ଷରୁ ଆତ୍ମସର୍ମପଣକାରୀ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ନକ୍ସଲ ସଂଗଠନରେ ହେଉଥିବା ଭେଦଭାବ, ନିର୍ଯାତନା ଏବଂ ପୁଲିସର ଘନ ଘନ ଅପରେସନ୍ ଯୋଗୁଁ ମୁଖ୍ୟସ୍ରୋତରେ ସାମିଲ ହେଲୁ ବୋଲି ନକ୍ସଲମାନେ କହିଛନ୍ତି। ସେହିପରି ବିଜାପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୩ ମହିଳା ନକ୍ସଲଙ୍କ ସମେତ ୧୬ ନକ୍ସଲଙ୍କୁ ଗିରଫ କରିଛି ପୁଲିସ। ବାସାଗୁଡ଼ା ଥାନା ଅଞ୍ଚଳରୁ ୨, ଗାଙ୍ଗଲୁର ଅଞ୍ଚଳରୁ ୬ ଏବଂ ଜଙ୍ଗଲା ଅଞ୍ଚଳରୁ ୮ ନକ୍ସଲଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ମାଓ ପୋଷ୍ଟର, ବ୍ୟାନର୍ ସମେତ ବିସ୍ଫୋରକ ଜବତ ହୋଇଛି। ଚଢ଼ଉରେ ସିଆର୍ପିଏଫ୍, କୋବ୍ରା ଏବଂ ଜିଲ୍ଲା ପୁଲିସ ସାମିଲ୍ ହୋଇଥିଲେ। ଗିରଫ ସମସ୍ତ ନକ୍ସଲ ମିଲିସିଆ ଓ ଡିକେଏମ୍ଏସ୍ର ସଦସ୍ୟ। ଯବାନଙ୍କୁ ଟାର୍ଗେଟ୍ କରି ଲ୍ୟାଣ୍ଡମାଇନ୍ ଖଞ୍ଜିବା, ଗ୍ରାମବାସୀଙ୍କୁ ଅପହରଣ, ମାରପିଟ୍ କରିବା ଭଳି କାର୍ଯ୍ୟ କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/04/sfhfshfh-2025-09-04-02-34-10.jpg)