କୋରାପୁଟ: ମାଓବାଦୀଙ୍କ ଯୋଜନାକୁ ଶକ୍ତ ଝଟ୍‌କା। ସମ୍ଭାବ୍ୟ ହମ୍‌ଲାରେ ରୋକ ଲଗାଇଛନ୍ତି ଏସ୍‌ଓଜି ଯବାନ। କୋରାପୁଟ-ମାଲକାନଗିରି-ଆନ୍ଧ୍ରପ୍ରଦେଶ ସୀମା ତଥା ମାଛକୁଣ୍ଡ ଥାନା ଅଞ୍ଚଳରୁ ବିପୁଳ ପରିମାଣର ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ମାଓବାଦୀ ତାହାକୁ ମାଟି ତଳେ ପୋତି ରଖିଥିଲେ। ଆଜି ଗଣମାଧ୍ୟମକୁ ଏହି ସୂଚନା କୋରାପୁଟ ଏସ୍‌ପି ଅଭିନବ ସୋନକର ଦେଇଛନ୍ତି।

Advertisment

ଗତକାଲି ଏସ୍‌ଓଜି ଯବାନ ମାଛକୁଣ୍ଡ ଥାନା ଅନ୍ତର୍ଗତ ଗୁମୁଡ଼ାପୁଟ ଏବଂ କୋଡ଼ାପୁଟ ଜଙ୍ଗଲରେ ପଶିଥିଲେ। ଏହି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ରହିଥିବାରୁ ଯବାନ ଅଧିକ ସତର୍କ ରହିଥିଲେ। ତେବେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ କେହି କିଛି ଲୁଚାଇଥିବା ଯବାନ ସନ୍ଦେହ କରିଥିଲେ। ତେଣୁ ଉକ୍ତ ଅଞ୍ଚଳକୁ ବାରମ୍ବାର ଯାଞ୍ଚ କରିବାରୁ ମାଟି ତଳେ କିଛି ରହିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ମାଟି ଖୋଳିବାରୁ ଗୋଟିଏ ପିସ୍ତଲ, ୧୪ଟି ଅଫୁଟା ଗୁଳି, ୨ଟି ଖାଲି ଟିଫିନ୍‌, ୭କେଜି ବିଶିଷ୍ଟ ୮ଟି ବଡ ଟିଫିନ୍‌ ବୋମା, ୩କେଜି ବିଶିଷ୍ଟ ୯ଟି ଛୋଟ ଟିଫିନ୍‌ ବୋମା, ଟିଫିନ ବୋମାରେ ବ୍ୟବହାର ହେଉଥିବା ୫୦ ମିଟର ତାର, ୨ଟି ଡେଟୋନେଟର ଓ ଗୋଟିଏ ଷ୍ଟିଲ ପାତ୍ର ବାହାରିଥିଲା। ମାଟି ତଳେ ଏହି ଅସ୍ତ୍ରଶସ୍ତ୍ର ଯେମିତି ନଷ୍ଟ ହେବ ନାହିଁ ସେଥିପାଇଁ ପଲିଥିନ୍‌ରେ ଭଲ ରୂପେ ଘୋଡ଼ାଇ ରଖିଥିଲେ।

କୋରାପୁଟ ଜିଲ୍ଲାରେ ମାଓବାଦୀଙ୍କ ପ୍ରଭାବ ଆଉ ପୂର୍ବଭଳି ନାହିଁ। ତଥାପି ସ୍ଥାନ ପରିବର୍ତ୍ତନ ସମୟରେ କୋରାପୁଟ ଜିଲ୍ଲାର ଜଙ୍ଗଲ ରାସ୍ତାକୁ ମାଓବାଦୀ ଏବେ ବି ବ୍ୟବହାର କରୁଛନ୍ତି। କାଁଭାଁ ଉପସ୍ଥିତି ଜାହିର କରୁଥି‌ଲା ବେଳେ ମାଟି ତଳୁ ଏତେ ପରିମାଣରେ ମାରଣାସ୍ତ୍ର ମିଳିବା ସୁରକ୍ଷା କର୍ମୀଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।