ଭୁବନେଶ୍ବର: ତିରୁପତି ମନ୍ଦିରରେ ଲଡ଼ୁ ବିବାଦ ପରେ ଓଡ଼ିଶାରେ ମନ୍ଦିରରେ ବ୍ୟବହୃତ ହେଉଥିବା ଘିଅକୁ ନେଇ ପ୍ରଶ୍ନ ଉଠିଥିଲା। ସାରଳା ମନ୍ଦିରରେ ଘିଅର ମାନ ଯାଞ୍ଚ ହୋଇଥିଲା। ବିବାଦ ବଢ଼ୁଥିବା ଦେଖି ରାଜ୍ୟ ସରକାର ମଧ୍ୟ ନିଜ ଆଡ଼ୁ ଶ୍ରୀମନ୍ଦିରରେ ଓମ୍‌ଫେଡ୍‌ ଘିଅ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଶ୍ରୀମନ୍ଦିର ପ୍ରଶାସକ ଏଥିପାଇଁ ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ଅନୁରୋଧ ମଧ୍ୟ କରିଛନ୍ତି। ହେଲେ ଓମ୍‌ଫେଡ୍‌ ହେଉ ବା ରାଜ୍ୟରେ ଥିବା ଅନ୍ୟ ବଡ଼ ଦୁଗ୍ଧ କମ୍ପାନି ନିରନ୍ତର ଉଚ୍ଚମାନର ଦୁଗ୍ଧଜାତ ସାମଗ୍ରୀ ଯୋଗାଉଛନ୍ତି କି ନାହିଁ ତାହାର କିଏ ଯାଞ୍ଚ କରିବ ? 
କାରଣ ଓଡ଼ିଶାରେ ବ୍ୟବସାୟ କରୁଥିବା ଏଭଳି ବଡ଼ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ ନୁହେଁ ବରଂ କେନ୍ଦ୍ରୀୟ ଲାଇସେନ୍‌ସ ପାଇଛନ୍ତି। ସେମାନଙ୍କ ଦ୍ବାରା ପ୍ରସ୍ତୁତ କୌଣସି ସାମଗ୍ରୀର ଯାଞ୍ଚ ପାଇଁ ରାଜ୍ୟରେ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଅନୁମତି ନାହିଁ। କେବଳ କୋଲକାତାସ୍ଥିତ ଆଞ୍ଚଳିକ କେନ୍ଦ୍ରର ଖାଦ୍ୟ ସୁରକ୍ଷା ଅଧିକାରୀ ହିଁ ଏସବୁ ସଂସ୍ଥାର ଯାଞ୍ଚ କରିପାରିବେ। ଏଥିପାଇଁ ରାଜ୍ୟରେ ବ୍ୟବସାୟ କରୁଥିବା ମସଲା, ଦୁଗ୍ଧ, ଅଟା ଓ ଅନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ବଡ଼ କମ୍ପାନିମାନେ ଏହାର ବେଶ୍‌ ଫାଇଦା ନେଉଛନ୍ତି। 

Advertisment

ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ)ର ନିୟମ ଅନୁଯାୟୀ ବାର୍ଷିକ ୧୨ଲକ୍ଷରୁ କମ୍ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ରେଜିଷ୍ଟ୍ରେସନ୍‌ ବା ପଞ୍ଜୀକରଣ କରିବାକୁ ପଡ଼ିବ। ଏହାଠାରୁ ଅଧିକ ବ୍ୟବସାୟ କରୁଥିବା ସଂସ୍ଥାଙ୍କୁ ଲାଇସେନ୍‌ସ ନେବାକୁ ହେବ। ତେବେ ୧୨ଲକ୍ଷରୁ ଅଧିକ ଓ ୨୦କୋଟିରୁ କମ୍ ବ୍ୟବସାୟ କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ସଂପୃକ୍ତ ରାଜ୍ୟର ଲାଇସେନ୍‌ସ ପାଇପାରିବେ। ୨୦କୋଟିରୁ ଅଧିକ ହେଲେ ସେମାନଙ୍କୁ କେନ୍ଦ୍ରୀୟ ଲାଇସେନ୍‌ସ ନେବାକୁ ହେବ। କୋଲକାତାସ୍ଥିତ ଖାଦ୍ୟ ସୁରକ୍ଷା ଆଞ୍ଚଳିକ କାର୍ଯ୍ୟାଳୟରେ ଓଡ଼ିଶା ସମେତ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟକୁ ସାମିଲ କରାଯାଇଛି। ଏଠା‌ରେ ମାତ୍ର ୨ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ରହିଥିବା ସୂଚନା ମିଳିଛି। ଯାହାଫଳରେ ସେମାନେ ବର୍ଷକୁ ଥରେ କିମ୍ବା ୨ଥର ଯାଞ୍ଚ ପାଇଁ ଓଡ଼ିଶା ଆସୁଥିବା ସୂଚନା ମିଳିଛି। ରାଜ୍ୟରେ ଥିବା ବ୍ୟବସାୟୀଙ୍କ ଉପରେ ଯେଉଁଭଳି ଅଚାନକ ଚଢ଼ାଉ କରାଯାଉଛି କେନ୍ଦ୍ରୀୟ ଲାଇସେନ୍‌ସ ପାଇଥିବା ବ୍ୟବସାୟଙ୍କ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। 

ବିଶେଷ ପରିସ୍ଥିତିରେ ରାଜ୍ୟକୁ ଯାଞ୍ଚ ପାଇଁ ଅନୁମତି ଦେବାକୁ ଦାବି ଉଠାଇବ ଓଡ଼ିଶା

ରାଜ୍ୟ ଖାଦ୍ୟ ସୁରକ୍ଷା କମିସନର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଘିଅକୁ ନେଇ ବିବାଦ ପରେ ଓଡ଼ିଶା ପକ୍ଷରୁ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟକୁ ଯୋଗାଯୋଗ କରାଯାଇଥିଲା। କେନ୍ଦ୍ରୀୟ ଲାଇସେନ୍‌ସ ପାଇଥିବା ବ୍ୟବସାୟ ପ୍ରତିଷ୍ଠାନକୁ ସବୁବେଳେ ନ ହେଲେ ମଧ୍ୟ ବିଶେଷ ସମୟରେ ଯାଞ୍ଚ କରିବା ଲାଗି ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲା। ମାତ୍ର ଓଡ଼ିଶାର ଅନୁରୋଧକୁ କେନ୍ଦ୍ରୀୟ ଅଧିକାରୀ ଶୁଣି ନ ଥିଲେ। ଓଲଟା କହିଥିଲେ ଯଦି କୌଣସି ବ୍ୟବସାୟ ପ୍ରତିଷ୍ଠାନ ବିରୋଧରେ ଅଭିଯୋଗ ରହିଛି ତା’ହେଲେ ଇ-ମେଲ୍ ଜରିଆରେ ଅଭିଯୋଗ କରାଗଲେ ଯାଞ୍ଚ ନେବା ସଂପର୍କରେ ପଦକ୍ଷେପ ନିଆଯିବ। 

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ଏଭଳି କେତେ ସଂଖ୍ୟକ କେନ୍ଦ୍ରୀୟ ଲାଇସେନ୍‌ସପ୍ରାପ୍ତ ବ୍ୟବସାୟୀ ଅଛନ୍ତି ତାହାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଓଡ଼ିଶାରେ ବ୍ୟବସାୟ କରୁଥିବା ବଡ଼ ସଂସ୍ଥାଙ୍କ ବିରୋଧରେ ଯାଞ୍ଚ ପାଇଁ ରାଜ୍ୟର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଅନୁମତି ନ ଥିବାରୁ ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ। ଆସନ୍ତାମାସ ୫ତାରିଖରେ ଦିଲ୍ଲୀରେ ଖାଦ୍ୟ ସୁରକ୍ଷା ସଂପର୍କିତ ରାଜ୍ୟମାନଙ୍କ ଏକ ବୈଠକ ରହିଛି। ଏହି ବୈଠକରେ ବଡ଼ ବ୍ୟବସାୟୀଙ୍କୁ ଯାଞ୍ଚ କରିବାର କ୍ଷମତା ପ୍ରଦାନ କରିବା ଦାବି ଓଡ଼ିଶା ଉଠାଇବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।