ମାଲକାନଗିରି: ଛତିଶଗଡ଼ର ନକ୍ସଲ ଇତିହାସରେ ଗତକାଲି ସବୁଠାରୁ ବଡ଼ ଏନ୍କାଉଣ୍ଟର୍ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩୧ ନକ୍ସଲ। ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମଧ୍ୟ ସୁରକ୍ଷାକର୍ମୀ ଆଶାବାଦୀ ରହିଛନ୍ତି। ଅନ୍ୟପଟେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ୍ କମିଟି ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ଶକ୍ତ ଆଘାତ ଲାଗିବା ପରେ ନକ୍ସଲ ପାଲଟା ଆକ୍ରମଣ କରିବାର ଆଶଙ୍କା ରହିଛି। ତେଣୁ ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରିବା ସହ ସର୍ଚ୍ଚ ଅପରେସନକୁ ଜୋର୍ଦାର କରାଯାଇଛି।
ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ୍ କମିଟିର ପାଖାପାଖି ୪୦ଜଣ ସଦସ୍ୟ ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଏକାଠି ହୋଇଥିଲେ। ସୁରକ୍ଷା କର୍ମୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ଏମାନଙ୍କ ଯୋଜନା ରହିଥିଲା। ଓରଛା ଥାନା ଅନ୍ତର୍ଗତ ନେନ୍ଦୁର ଏବଂ ଥୁଲଥୁଲି ଗାଁ ମଝିରେ ନକ୍ସଲ କ୍ୟାମ୍ପ ସ୍ଥାପନ କରିଥିଲେ। ଗୁଇନ୍ଦା ସୂଚନା ଆଧାରରେ ଗୁରୁବାର ରାତିରେ ସୁରକ୍ଷା କର୍ମୀ ଅଭିଯାନ ଆରମ୍ଭ କରିଥିଲେ। ପ୍ରାୟ ୯ଘଣ୍ଟା ଧରି ଏହା ଚାଲିଥିଲା। ଗତକାଲି ସଂଧ୍ୟାରେ ପୁଲିସ ଯେଉଁ ସୂଚନା ଦେଇଥିଲା ସେଥିରେ ୩୬ ନକ୍ସଲ ନିହତ ହୋଇଛନ୍ତି। କିନ୍ତୁ ଆଜି ସକାଳ ସୁଦ୍ଧା ସୁରକ୍ଷାକର୍ମୀଙ୍କୁ ୩୧ ଶବ ଘଟଣାସ୍ଥଳରୁ ମିଳିଛି। ନିକଟସ୍ଥ ଗାଁକୁ ଶବଗୁଡ଼ିକୁ ଅଣାଯାଇଛି। ପରବର୍ତ୍ତୀ ସମୟରେ ପୁଲିସ ମୁଖ୍ୟାଳୟକୁ ଏହା ଅଣାଯିବ। ସୁରକ୍ଷାକର୍ମୀ ଶବ ନେଇ ଫେରିବା ଦୃଶ୍ୟ ଆଜି ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଛି।
ଅଭିଯାନ ସଂପର୍କରେ ଆଜି ସକାଳେ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ। ଦନ୍ତେୱାଡ଼ା ଏସ୍ପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯବାନଙ୍କ ରଣନୀତି ଏବଂ ସାହସିକତା ବିଷୟରେ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ଏକେ-୪୭, ଏସ୍ଏଲ୍ଆର, ଇନ୍ସାସ୍ ରାଇଫଲ, ଏଲ୍ଏମ୍ଜି ଭଳି ଅନେକ ଅତ୍ୟାଧୁନିକ ହତିଆର ଜବତ ହୋଇଛି। ଯବାନଙ୍କ ମନୋବଳ ବଢ଼ିଛି ବୋଲି ଆଇଜି କହିଛନ୍ତି। ଶେଷ ଖବର ସୁଦ୍ଧା ୧୬ଜଣ ନକ୍ସଲଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମୁଣ୍ଡ ପାଇଁ ମୋଟ ୧କୋଟି ୩୦ଲକ୍ଷ ଟଙ୍କାର ପୁରସ୍କାର ଥିଲା ବୋଲି ଜଣାପଡ଼ିଛି।