ଆଜି ଆରମ୍ଭ ହେବ ଓଡ଼ିଶାର ସବୁଠାରୁ ବଡ଼ ସ୍ଥାନାନ୍ତରଣ ! ସମ୍ଭାବ୍ୟ ‘ଫନି’ ପ୍ରଭାବିତ ଅଞ୍ଚଳର ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ, ପ୍ରାୟ ୧ ଲକ୍ଷ ଲୋକଙ୍କୁ ପଠାଯାଇଛି ଏସଏମଏସ୍

ଭୁବନେଶ୍ବର : ରାଜ୍ୟ ସରକାରଙ୍କ  ଫନି ମୁକାବିଲା ଏକ ନୂଆ ଇତିହାସ ରଚିବା ଅପେକ୍ଷାରେ ରହିଛି । ଫନି ଆସନ୍ତାକାଲି ଅପରାହ୍ଣରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଂଚଳରୁ ଆଜି ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଶେଷ କରିବେ। ଏ ନେଇ ଗତକାଲି ଠାରୁ ବ୍ୟବସ୍ଥା ଆରମ୍ଭ ହୋଇଛି ଓ ଆଜି ବିଧିବଦ୍ଧ ସ୍ଥାନାନ୍ତର କରାଯିବ। ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ଜୀବନ ମୂଲ୍ୟବାନ ଓ ଏହାକୁ ବଞ୍ଚାଇବାକୁ ହେବ ବୋଲି କହିବା ପରେ ସ୍ଥାନାନ୍ତର ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

ଏକା ବେଳେକେ ୮ ଲକ୍ଷ ଲୋକଙ୍କ ସ୍ଥାନାନ୍ତରଣ ହେବ ଏଯାବତ୍ ଓଡିଶାର ସବୁଠୁ ବଡ ସ୍ଥାନାନ୍ତରଣ । ପୂବର୍ରୁ ହୁଡହୁଡ୍ ଓ ଫାଇଲିନ ବାତ୍ୟା ସମୟରେ ରାଜ୍ୟ ସରକାର ବଡ଼ ଧରଣର  ସ୍ଥାନାନ୍ତରଣ କରିଥିଲେ। ବର୍ତ୍ତମାନ ଏହି ଅଭିଜ୍ଞତା ବଳରେ ଏହି ବିରାଟ  ସ୍ଥାନାନ୍ତରଣ ସଫଳ ହେବ ବୋଲି ପ୍ରଶାସନ ଆଶାବାଦୀ। ବ୍ୟବସ୍ଥା ମୁତାବକ ମହିଳା ,ଶିଶୁ ଓ ଦିବ୍ୟାଙ୍ଗଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ ଓ ଏହାପରେ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ। ଅତୀତରେ ଓଡ଼ିଶାରେ ଏତେ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ। ଏହାଛଡା ଆଜି ଠାରୁ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ବ୍ୟବସ୍ଥା ମଧ୍ୟ କରାଯାଇଛି।।

ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି କି  ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଂଚଳର ବାସିନ୍ଦାଙ୍କୁ ସଚେତନ କରିବାକୁ  ୯୭.୪୦ ଲକ୍ଷ ଏସଏମଏସ୍ ପଠାଯାଇଛି।

୩ ତାରିଖରେ ପୁରୀ ଉପକୂଳ ଛୁଇଁବ ଅତି ଭୟଙ୍କର ରୂପ ଧାରଣ କରିଥିବା ବାତ୍ୟା ଫନି । ବାତ୍ୟା ଫନି ଓଡିଶା ଉପକୂଳ ଆଡକୁ ଯେତିକି ମାଡି ଆସୁଛି ଜନସାଧାରଣଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି । ଆଉ ଏସବୁ ଭିତରେ ଫନିର ମୁକାବିଲା କରିବା ପାଇଁ ସଚିବାଳୟରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହ ଆଲୋଚନା ପରେ ନବୀନ ଫନି ମୁକାବିଲା ନେଇ ଗଣମାଧ୍ୟମରେ ବଡ ବୟାନ ଦେଇଛନ୍ତି ।

ସମୀକ୍ଷା ବୈଠକ ପରେ ନବୀନ କହିଛନ୍ତି, ବାତ୍ୟା ଫନିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସମସ୍ତଙ୍କ ଜୀବନ ଅମୂଲ୍ୟ, ତେଣୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ୧୦୦ ପ୍ରତିଶତ ସ୍ଥାନାନ୍ତର ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ବିଦ୍ୟୁତ୍ ସେବା, ପାନୀୟ ଜଳ ସେବା ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର