ଏମ୍‌ସିଏଲ୍‌ ପକ୍ଷରୁ ବିହଙ୍ଗମ ଡ୍ରୋନ୍ ମୁତୟନ

ଭୁବନେଶ୍ବର: କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରମୁଖ ରାଷ୍ଟ୍ରାୟତ ଉଦ୍ୟୋଗ ମହାନଦୀ କୋଲଫିଲ୍ଡ (ଏମ୍‌ସିଏଲ୍‌) କୋଇଲା ଖଣିରେ ବିହଙ୍ଗମ ଡ୍ରୋନ ଟେକ୍‌ନୋଲୋଜି ଏବଂ ସର୍ବାଧୁନିକ ନିରାପତ୍ତା ଉପକରଣମାନ ମୁତୟନ କରିଛି । ବିହଙ୍ଗମ ଏକ ୱେବଭିତ୍ତିକ ପୋର୍ଟାଲ ଏବଂ ଏହା ସହିତ ଡ୍ରୋନ ତଥା ଗ୍ରାଉଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା ସମ୍ପୃକ୍ତ । ଏହି ପୋର୍ଟାଲ ଅଧିକୃତ ବ୍ୟକ୍ତି ବିଶେଷଙ୍କୁ ଖଣି ଭିତରର ବାସ୍ତବ କାର୍ଯ୍ୟକଳାପର ଚିତ୍ର ଆକ୍‌ସେସ୍ କରିବାର ସୁଯୋଗ ଦିଏ । ଏକ ଉତ୍ସର୍ଗୀକୃତ ୪୦ ଏମ୍‌ବିପିଏସ୍ ଇଣ୍ଟରନେଟ ଲିଜ୍ ଲାଇନ ମାଧ୍ୟମରେ ଖଣି ନିକଟରେ ଏହି ଆକ୍‌ସେସ୍ ସୁବିଧା ଉପଲବ୍ଧ ହୋଇପାରିବ।

ଡ୍ରୋନ ଉଡ଼ାଇବା ପାଇଁ ଏଥିରେ ଏକ ନିୟନ୍ତ୍ରଣ କେନ୍ଦ୍ର ରହିଛି । ଏହି ବ୍ୟବସ୍ଥାକୁ ପୋର୍ଟାଲ ମାଧ୍ୟମରେ ଯେ କୌଣସି ସ୍ଥାନରୁ ପରିଚାଳିତ କରି ହେବ । ଏହି କାର୍ଯ୍ୟ ଏବେ ଏକ ପାଇଲଟ ପ୍ରକଳ୍ପ ଭାବେ ତାଳଚେରର ଭୁବନେଶ୍ୱରୀ ଓ ଲିଙ୍ଗରାଜ ଓପନକାଷ୍ଟ କୋଇଲା ଖଣିରେ କାର୍ଯ୍ୟକାରୀ ହୋଇଛି । ପରିବେଶ ପର୍ଯ୍ୟବେକ୍ଷଣ, ଭଲ୍ୟୁମ ମେଜରମେଣ୍ଟ ଏବଂ ଖଣି ଖନନ ପ୍ରକ୍ରିୟାର ଡିଜିଟାଇଜେସନ ନିମନ୍ତେ ଆବଶ୍ୟକ ହେଉଥିବା ଖଣିର ଫଟୋଗ୍ରାମେଟ୍ରିକ୍ ମ୍ୟାପିଂ ପାଇଁ ଏମ୍‌ସିଏଲ୍ ଏବେ ଡ୍ରୋନ ଟେକ୍‌ନୋଲୋଜି ଉପଯୋଗ କରୁଛି।

କୋଇଲା ଉତ୍ପାଦନକୁ ଅଧିକ ବଢ଼ାଇବା ସହିତ ତାହାର ରେକର୍ଡ ରଖିବା ନିମନ୍ତେ ମଧ୍ୟ ଏମ୍‌ସିଏଲ୍ ସର୍ବାଧୁନିକ ଟେକ୍ନୋଲୋଜି ବ୍ୟବହାର କରୁଛି । ସେହିଭଳି ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଅତ୍ୟାଧୁନିକ ଉପକରଣକୁ ଉପଯୋଗ କରାଯାଉଛି । କୋଇଲା ଷ୍ଟକିୟାର୍ଡରେ ପାଣି ଛିଞ୍ଚିବା ପାଇଁ ଏମ୍‌ସିଏଲ୍ ଏବେ ରୋବୋଟିକ୍ ନୋଜଲ ୱାଟର ସ୍ପ୍ରେୟାର ବ୍ୟବହାର କରୁଛି । କୋଇଲା କମ୍ପାନୀମାନେ ରୋବୋର୍ଟ ଦ୍ୱାରା ପରିଚାଳିତ ଅଗ୍ନି ନିର୍ବାପକ ଏବଂ ଧୂଳି ଦମନ ଅଗ୍ରଣୀ ଟେକ୍‌ନୋଲୋଜି ବ୍ୟବହାର କରିପାରୁଛନ୍ତି । ଏହି କାମ ବିପଜ୍ଜନକ ହୋଇଥିବାରୁ ଯନ୍ତ୍ର ମାଧ୍ୟମରେ ନିରାପଦରେ ଏହା କରାଯାଉଛି। ନୂଆ ଯନ୍ତ୍ର ମାଧ୍ୟମରେ ୭୦ ମିଟର ଦୂରକୁ ପାଣିକୁ ଜଳୀୟ ବାଷ୍ପ ଆକାରରେ ସ୍ପ୍ରେ କରିବା ସମ୍ଭବ ହେଉଛି । ଏହି ସ୍ପ୍ରେୟାରରେ ଲାଗିଥିବା ନୋଜଲ ସ୍ୱାଇଭେଲ ନୋଜେଲ ନାମରେ ପରିଚିତ । ଏହା ୨୮ କିଲୋଲିଟର ଦକ୍ଷତା ବିଶିଷ୍ଟ ଏକ ପାଣି ଟ୍ୟାଙ୍କର ସହିତ ସଂଯୁକ୍ତ। ମହାନଦୀ କୋଲ୍‌ ଫିଲ୍ଡ କମ୍ପାନି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ କୋଇଲା ଖନନ, ଉତ୍ତୋଳନ, ପରିବହନ ଓ ବିକ୍ରିବଟା ସହିତ ସମ୍ପୃକ୍ତ । ଭାରତରେ ମୋଟ କୋଇଲା ଉତ୍ପାଦନରେ ମହାନଦୀ କୋଲଫିଲ୍‌ଡର ଅବଦାନ ୨୦% ।

ସମ୍ବନ୍ଧିତ ଖବର