ସୁନ୍ଦରଗଡ଼ : ଆଦିବାସୀଙ୍କ ମହୁଲ ଭାଟି ଉପରେ ‌ଯେତେବେଳେ ଅବକାରୀ ଟିମ୍‌ ଚଢ଼ଉ କରୁଛନ୍ତି, ସେଥିରେ ସାମିଲ୍‌ ହେଉଛନ୍ତି ବିହାରୀ ଗୁଣ୍ଡା! ଅବକାରୀ କର୍ମଚାରୀ ଓ ବିହାରୀ ଗୁଣ୍ଡା ମିଳିମିଶି ଆଦିବାସୀଙ୍କ ଘରେ ପଶିବା ସହିତ ମହୁଲ, ଚାଉଳ ଲୁଟ୍‌ କରୁଛନ୍ତି। ଏହାର ପ୍ରତିବାଦ କଲେ ଗାଲିଗୁଲଜ ସହିତ ମିଛ ମାମଲାରେ ଛନ୍ଦି ଜେଲ୍‌ରେ ପୂରାଇ ଦେବାକୁ ଧମକ ଦେଉଛନ୍ତି। ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଶୁଣାଣି ସମୟରେ ଏହିଭଳି ଏକ ସାଂଘାତିକ ଅଭିଯୋଗ ସାମ୍‌ନାକୁ ଆସିଛି।

Advertisment

ମହୁଲ ଆଦିବାସୀଙ୍କ ଜୀବିକାର ଏକ ପ୍ରମୁଖ ଉପାଦାନ। ଏବେ ମହୁଲରେ କେବଳ ମଦ ନୁହେଁ, ବିଭିନ୍ନ ସୁସ୍ବାଦୁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ ହେଲାଣି। ତେଣୁ ନିଜ ବ୍ୟବହାର ପାଇଁ ଆଦିବାସୀ ମହୁଲ ମହଜୁଦ ରଖିବାରେ କୌଣସି କଟକଣା ନାହିଁ। କିନ୍ତୁ ମହୁଲ ରଖିବା ସୁନ୍ଦରଗଡ଼ ଆଦିବାସୀଙ୍କ ପାଇଁ ଏବେ କାଳ ହୋଇଛି। ଆଦିବାସୀଙ୍କ ଅଭିଯୋଗ ଅନୁସାରେ, ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସହ ମହୁଲରେ ସେମାନଙ୍କ ଜୀବିକା ନିର୍ବାହ ହୋଇଥାଏ। ଖରାଦିନେ ସପରିବାର ମହୁଲ ସଂଗ୍ରହ କରି ଶୁଖାଇ ରଖିଥା’ନ୍ତି। ସେଥିମଧ୍ୟରୁ କିଛି ଖାଦ୍ୟ ରୂପେ ବ୍ୟବହାର କରିବା ସହ ଚାରା ଅଭାବ ସମୟରେ କିଛି ଗୋରୁଙ୍କୁ ଖାଇବାକୁ ଦେଇଥା’ନ୍ତି। ଆଉ କିଛି ବଜାରରେ ବିକିଥା’ନ୍ତି। ଘରେ ଦୁଇ ଚାରି ବସ୍ତା ମହୁଲ ରଖି ଏସବୁ କାରବାର କରିଥା’ନ୍ତି। ମାତ୍ର, ସନ୍ଧ୍ୟା ସମୟରେ ଅବକାରୀ ଟିମ୍‌ ବିାହାରୀ ଗୁଣ୍ଡାଙ୍କୁ ଧରି ହଠାତ୍‌ ସେମାନଙ୍କ ଘର ଭିତରକୁ ପଶି ଯାଉଛନ୍ତି। ଚୋରା ମଦ ଚଢ଼ାଉ ନାଁ ରେ ସେମାନଙ୍କ ଜିନିଷପତ୍ରକୁ ଛିନ୍ନଛତ୍ର କରିବା ସହିତ ବସ୍ତାଏ ଦି’ ବସ୍ତା ଘରେ ଗଚ୍ଛିତ ଥିବା ମହୁଲକୁ ଲୁଟି ନେଉଛନ୍ତି। ମହୁଲ ସହ ଘରେ ସାଇତି ରଖିଥିବା ଚାଉଳକୁ ବି ଲୁଟି ନେଇ ଯାଉଛନ୍ତି। ଏହାର ପ୍ରତିବାଦ କଲେ ଗାଳିଗୁଲଜ କରିବା ସହିତ ମିଛ ମାମଲାରେ ଛନ୍ଦି ଜେଲ୍‌ରେ ପୂରାଇ ଦେବାର ଧମକ ଦେଉଛନ୍ତି। ଆଜି ସଦର ବ୍ଲକ୍‌ ଅଞ୍ଚଳର ଶତାଧିକ ନିର୍ଯାତିତ ଆଦିବାସୀ ମହିଳା ଓ ପୁରୁଷ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଅବକାରୀ ଉପ ଅଧୀକ୍ଷକଙ୍କୁ ଭେଟି ନ୍ୟାୟ ମାଗିଛନ୍ତି।

ସୁନ୍ଦରଗଡ଼ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁବ୍ରତ ମାଝୀଙ୍କ ନେତୃତ୍ବରେ ଆସି ସେମାନେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଚୋରା ମଦ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ, କିନ୍ତୁ ନିରୀହ ଆଦିବାସୀଙ୍କୁ ମିଛରେ ହଇରାଣ କରା ନଯାଉ ବୋଲି ସେମାନେ ଜିଲ୍ଲାପାଳ ଓ ଅବକାରୀ ଉପ ଅଧୀକ୍ଷକଙ୍କୁ ଗୁହାରି କରିଛନ୍ତି। ବିହାରୀ ଗୁଣ୍ଡାଙ୍କୁ ଧରି ଅବକାରୀ ଟିମ୍‌ରେ ନିର୍ଯାତନାକୁ ରୋକା ନଗଲେ ଆଗକୁ ଆଦିବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପଞ୍ଚାୟତସମିତି ଅଧ୍ୟକ୍ଷ ଶ୍ରୀ ମାଝୀଙ୍କ ସହ କିଞ୍ଜିର୍ମା ସରପଞ୍ଚ ରାଜକିଶୋରୀ ଏକ୍କା, ବାରଗାଡ଼ର ତ୍ରିଲୋଚନ କିସାନ, ମାନମୁଣ୍ଡାର ବାବୁଲି କିସାନ, ପ୍ରତାପ କୁମାର ଏକ୍କା, ଜୀବଧନ କିସାନ, ଦିଲୀପ କିସାନ, ଦେବାର୍ଚ୍ଚନ କିସାନ, ରାମେଶ୍ବର କିସାନ ସମେତ ଶତାଧିକ ଅଧିବାସୀ ଚେତାବନୀ ଦେଇଛନ୍ତି।

ଭାଟି ମାଲିକଙ୍କ ଗାଡ଼ିରେ ଅବକାରୀ ଚଢ଼ଉ!

ରାଜଗାଙ୍ଗପୁର : ରାଜଗାଙ୍ଗପୁରରେ ମଧ୍ୟ ଏକ ସାଂଘାତିକ ଅଭିଯୋଗ ସାମ୍‌ନାକୁ ଆସିଛି। ମଦଭାଟି ମାଲିକ ଯୋଗାଇ ଦେଉଥିବା ଗାଡ଼ିରେ ହିଁ ଅବକାରୀ କର୍ମଚାରୀ ଚଢ଼ଉ କରୁଛନ୍ତି। ଭାଟି ମାଲିକଙ୍କ ଠାରୁ ଖର୍ଚ୍ଚପାଣି ପାଇ ଅଧିକାରୀମାନେ ଚଢ଼ଉ କରୁଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ସେଥିରେ ଭାଟି କର୍ମଚାରୀମାନେ ମଧ୍ୟ କ୍ଷମତାପ୍ରାପ୍ତ ସରକାରୀ ଅଧିକାରୀଙ୍କ ଭଳି ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଅ‌ସନ୍ତୋଷ ଦେଖାଦେଇଛି।

ରାଜଗାଙ୍ଗପୁରର ବିଭିନ୍ନ ହୋଟେଲ ଓ ଢାବାରେ ଖୋଲାଖୋଲି ଭାବେ ମଦ ବିକ୍ରି ହେଉଛି। ସେସବୁ ଯେ ବିଦେଶୀ ମଦ ଦୋକାନଗୁଡ଼ିକରୁ ଯାଉଛି, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ, ଅବକାରୀ ବା ପୁଲିସ ବିଭାଗ ପକ୍ଷରୁ ଏହାକୁ ବନ୍ଦ କରିବାଲାଗି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ। ଏପରିକି ଚଳିତବର୍ଷ ଗଣେଶପୂଜାରେ ସଂଧ୍ୟା ୫ରୁ ମଦ ବିକ୍ରି ବନ୍ଦ କରିବାଲାଗି କଡ଼ା ନିର୍ଦ୍ଦେଶ ରହିଥିଲେ ହେଁ ସହରର ଅନେକ ଢାବା ଓ ହୋଟେଲରେ ମଦ ଅବାଧରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି।