କଟକ: ବିହାରୀ ମିସ୍ତ୍ରି ଆଜାଦ କୁମାର ଯାଦବକୁ ହତ୍ୟା କରିବା ପାଇଁ ପଙ୍କଜ ଶର୍ମା ୪୦ ହଜାର ଟଙ୍କାର ଡିଲ୍ କରିଥିଲା। ହତ୍ୟାକାଣ୍ଡ ପୂର୍ବରୁ ମୁନିଲାଲ ଶର୍ମାକୁ ୨୦ ହଜାର ଓ ହତ୍ୟାକାଣ୍ଡ ପରେ ଅବଶିଷ୍ଟ ୨୦ ହଜାର ଟଙ୍କା ଦେଇଥିଲା। ଚାଉଳିଆଗଞ୍ଜରେ ରହୁଥବା ବିହାର ଭାଗଲପୁର ଜିଲ୍ଲା ନଟନଗର ଅଞ୍ଚଳର ମୁନିଲାଲ ଶର୍ମା ଓରଫ ମୁନା ଏବଂ ସହଯୋଗୀ ମଙ୍ଗଳାବାଗ ଶଗଡ଼ିଆ ସାହିରେ ରହୁଥିବା ବିହାର ବାଙ୍କା ଜିଲ୍ଲା ଫୁଲିଗୁମର ଅଞ୍ଚଳର କୈଳାସ ଚୌଧୁରୀକୁ ଆଜି ଗିରଫ କରିବା ପରେ ଏଭଳି ତଥ୍ୟ ସାମନାକୁ ଆସିଛି। ହତ୍ୟାକାଣ୍ଡ ପଛର କାର୍ପଟଦାର କୁହାଯାଉଥିବା ପଙ୍କଜ ଶର୍ମା ଫେରାର ରହିଛି।
ବିହାର ବାଙ୍କା ଜିଲ୍ଲା ଅମରପୁର ଥାନା ଚକାଶିଆର ଅନିଲ ଯାଦବଙ୍କ ପୁଅ ଆଜାଦ ଯାଦବ ଭୁବନେଶ୍ବରର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ବେଳେ ବିଡାନାସୀ ଗଜିଆ ପଠାରେ ତାଙ୍କୁ ହତ୍ୟା ଘଟଣାରେ ପୁଲିସ ଆଜି ପର୍ଦ୍ଦାଫାସ କରିଛି।
୨୦୨୧ରେ କେଶୁରାରରେ ବିହାରୀ ମିସ୍ତ୍ରି ପଙ୍କଜ ଶର୍ମା ଓ ଯାଦବ ରହୁଥିବା ସମୟରେ ପଙ୍କଜର ପତ୍ନୀଙ୍କ ସହିତ ଆଜାଦଙ୍କ ଅନୈତିକ ସମ୍ପର୍କରୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା। ଚାଉଳିଆଗଞ୍ଜ ନୂଆବଜାରରେ ରହୁଥିବା ଠିକାଦାର ମୁନିଲାଲ ଶର୍ମା ହେଉଛି ପଙ୍କଜର ବଡ଼ବାପା ପୁଅ ଭାଇ। ମୁନିଲାଲ ନିକଟରେ ଆଜାଦ କାମ କରୁଥିବା ଜାଣିବା ପରେ ତାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ମୁନିଲାଲକୁ ଅସ୍ତ୍ର କରିଥିଲା ପଙ୍କଜ। ମୁନିଲାଲକୁ ଗଲା ୩ ମାସ ତଳେ ପଙ୍କଜ ୨୦ ହଜାର ଟଙ୍କା ଦେଇଥିଲା। ଟଙ୍କା ଲୋଭରେ ମୁନିଲାଲ ଆଜାଦକୁ ହତ୍ୟା କରିବାକୁ ଜାଲ ବିଛାଇଥିଲା। ଫେବ୍ରୁଆରି ୧୯ ତାରିଖରେ ମୁନିଲାଲର ଚାଉଳିଆଗଞ୍ଜ ଭଡ଼ା ଘରେ କୈଳାସ ସମେତ ମୁନିଲାଲ, ପଙ୍କଜ ହତ୍ୟା ଷଡ଼ଯନ୍ତ୍ର କରିଥିଲେ।
ଡିସିପି ପ୍ରତୀକ ସିଂହ ଆଜି ଏ ସଂକ୍ରାନ୍ତରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜାଦଙ୍କ ଅନୈତିକ ସମ୍ପର୍କ ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି। ପଙ୍କଜ ହତ୍ୟାକାଣ୍ଡ ଘଟାଇବା ପାଇଁ ମୁନିଲାଲକୁ ଆର୍ଥିକ ସହାୟତା କରିଥିବା ବି ତଦନ୍ତରୁ ଜଣାପଡ଼ିଛି। ଖୁବ ଶୀଘ୍ର ପଙ୍କଜକୁ ବି ପୁଲିସ ଗିରଫ କରିବାକୁ ଯୋଜନା କରୁଥିବା ଡିସିପି ଶ୍ରୀ ସିଂହ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଡିସିପିଙ୍କ ସମେତ ଏସିପି ତାପସ ପ୍ରଧାନ ଓ ଆଇଆଇସି ଶ୍ରୀ ନାୟକ ଉପସ୍ଥିତ ଥିଲେ।