ରାଇରଙ୍ଗପୁର: ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ଯୋଜନାର ଟିଣ ଫଳକ ମାରି ବିହାରର ଏକ ବେନାମୀ ଠକସଂସ୍ଥା ଲକ୍ଷଲକ୍ଷ ଟଙ୍କା ଲୁଟି ସାରିଲାଣି। କେତେ ଟଙ୍କା ଲୁଟି ନେଇଛନ୍ତି ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଯେଉଁ ତରିକାରେ ଏହି ସଂସ୍ଥା ଲୁଟିଛି। ଲୁଟିବା ପାଇଁ ଡେରା ପକାଇଥିବା ଏହି ସଂସ୍ଥା ସଂପର୍କରେ ପ୍ରଶାସନ ଜାଣିସୁଦ୍ଧା କୌଣସି ପଦକ୍ଷେପ ନେଉନାହିଁ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ତରେ ଏଭଳି ଘଟଣାର ଦେଖିବାକୁ ମିଳିଛି। ଉପଖଣ୍ଡର ପ୍ରତ୍ୟେକ ପଞ୍ଚାୟତରେ ବିହାରୀ ଠକ ପ୍ରବେଶ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବ୍ଲକ୍ରେ କାର୍ଯ୍ୟରତ ଏମ୍ବିକେ, ସିଆର୍ପି ଓ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିହାରର ଏହି ଠକସଂସ୍ଥା ପ୍ରଥମେ ପ୍ରଲୋଭନ ଦେଖାଇବାରେ ସକ୍ଷମ ହୋଇଛି। ଏହାପରେ ସେମାନଙ୍କ ମାଧ୍ୟମରେ ସ୍ବଚ୍ଛ ଭାରତ ଅଭିଯାନ, ସ୍ବଚ୍ଛତା ଯେଉଁଠି ପ୍ରଗତି ସେଇଠି, ପୁଅ ଝିଅ ସମାନ, କନ୍ୟାଭ୍ରୂଣ ହତ୍ୟା ପାପ ଅଟେ, ଆମର ସଂକଳ୍ପ ସ୍ବଚ୍ଛ ଗାଁ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଦୋ ଗଜ୍ କି ଦୂରୀ, ମାସ୍କ ହିଁ ଜରୁରୀ ପ୍ରଭୃତି ଲେଖା ହୋଇଥିବା ଟିଣ ସୂଚନାଫଳକ ଗ୍ରାମର ସମସ୍ତ ଘରକୁଘର ବୁଲି ଦେଇଛନ୍ତି। ସେଥିପାଇଁ ସମସ୍ତଙ୍କଠାରୁ ୩୦ ଟଙ୍କା ଲେଖାଏଁ ନିଆଯାଇଛି। ଯିଏ ୩୦ ଟଙ୍କା ନଦେବ ତାଙ୍କ ରାସନ୍ କାର୍ଡ କଟିଯିବ, ଭୋଟର କାର୍ଡ ଆଧାର କାର୍ଡ ବନ୍ଦ ହୋଇଯିବ ବୋଲି ଭୟ ବି ଦେଖାଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ଠକସଂସ୍ଥାରେ ଜାଲରେ ପଡ଼ିଥିବା ସିଆର୍ପି ଓ ଏମ୍ବିକେଙ୍କୁ ପ୍ରତ୍ୟେକ ହିତାଧିକାରୀଙ୍କ ପିଛା ୫ ଟଙ୍କା କମିସନ୍ ମିଳିବାର ଲୋଭ ଦେଖାଉଛନ୍ତି।
ବାମନଘାଟି ଉପଖଣ୍ତ ସମେତ ଜିଲ୍ଲାର ଅଧିକାଂଶ ବ୍ଲକ୍ରେ ଅଧାରୁ ଅଧିକ ହିତାଧିକାରୀ ଉକ୍ତ ମିଛ ଟିଣଫଳକକୁ ଲଗାଇଥିବା ଦେଖିବାକୁ ମିଳିଛି। ଏ ସଂପର୍କରେ ଏହି ବେନାମୀ ସଂସ୍ଥାର ରାଇରଙ୍ଗପୁର ଅଞ୍ଚଳରେ କାମ କରୁଥିବା କର୍ମଚାରୀ ହନୁମାନ ପ୍ରସାଦଙ୍କ ମୋବାଇଲ୍ ନଂ (୮୨୮୦୫୯୯୩୬୦)ରେ ଯୋଗାଯୋଗ କରିବାରୁ ଏହା ସରକାରଙ୍କ କୌଣସି ଯୋଜନା ନାହିଁ କିମ୍ବା କୌଣସି ଏନ୍ଜିଓ ନାହିଁ। ଆମେ ଲୋକଙ୍କୁ ସଚେତନ କରାଇବା ପାଇଁ ସୂଚନାଫଳକ ଦେଇ ୩୦ ଟଙ୍କା ଲେଖାଏଁ ନେଉଛୁ ବୋଲି କହିଛନ୍ତି।
ରାଇରଙ୍ଗପୁର ବିଡିଓ ନାରାୟଣୀ ପଣ୍ତାଙ୍କ ସହିତ ଯୋଗାଯୋଗ କରିବାରୁ ଉକ୍ତ ଠକସଂସ୍ଥା ସରକାରଙ୍କ ସିଲ୍ ଥିବା କିଛି ଜାଲ୍ ଚିଠି ଦେଖାଇ ଲୋକଙ୍କଠାରୁ ବେଆଇନ୍ ଭାବେ ଅର୍ଥ ଆଦାୟ କରୁଥିବା ସ୍ବୀକାର କରିଛନ୍ତି। ସରକାରଙ୍କ ପକ୍ଷରୁ ଏଭଳି କୌଣସି ଚିଠି ହସ୍ତଗତ ହୋଇନାହିଁ। ଉକ୍ତ ଠକସଂସ୍ଥାର କର୍ମଚାରୀ ସ୍ଥାନୀୟ ସରପଞ୍ଚ, ଏମ୍ବିକେ, ସିଆର୍ପି ଓ ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ନିୟୋଜିତ କରି ଅର୍ଥ ଲୁଟୁଥିବା କହିଛନ୍ତି। ତେବେ ପରବର୍ତ୍ତୀ ସମୟରେ ଏମିତି ଘଟଣା ଆମ ନଜରକୁ ଆସିଲେ ସଂସ୍ଥା ଓ କର୍ମଚାରୀ ବିରୋଧରେ ଥାନାରେ ଏତଲା ପୂର୍ବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ବାମନଘାଟି ଉପଖଣ୍ତରେ ପ୍ରାୟ ୮୦ ପ୍ରତିଶତ ହିତାଧିକାରୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି। ଏହି ସଂସ୍ଥା ଜିଲ୍ଲାପାଳ, ବିଡିଓ ଓ ସରପଞ୍ଚଙ୍କ ଜାଲ୍ ଚିଠି ଦେଖାଇ ଲୁଟୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/7Pzu3rocMMFlo4Qj5TMd.jpg)