ହସପିଟାଲରୁ ନବଜାତ ଶିଶୁ ଚୋରି: ଷ୍ଟେସନରୁ ଉଦ୍ଧାର କଲା ପୁଲିସ୍, ବିହାରୀ ମହିଳା ଗିରଫ  

ବିଷମକଟକ: ଆଶା କର୍ମୀ ପରିଚୟ ଦେଇ ବିଷମକଟକ ଖ୍ରୀଷ୍ଟି୍ୟାନ୍ ହସପିଟାଲରୁ ନବଜାତ ଶିଶୁକୁ ଚୋରି କରି ନେଇଛନ୍ତି ବାହାର ରାଜ୍ୟ ମହିଳା। ପୁଲିସର ଛାନଭିନ୍ ପରେ ବିଷମକଟକ ରେଳ ଷ୍ଟେସନରୁ ଶିଶୁକୁ ଉଦ୍ଧାର କରିବା ସହ ରୂପାଲୀ ଦେବୀ ନାମକ ଜଣେ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍। ଏହି ଘଟଣା ବିଷମକଟକରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମେଡ଼ିକାଲରେ ରୋଗୀ ଓ ସଂପର୍କୀୟଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଷମକଟକ ବ୍ଲକ ରାସକୋଲା ପଞ୍ଚାୟତର ଟଗାପଦର ଗ୍ରାମର ସିଦ୍ଧାନ୍ତ କିଲାକା ଙ୍କ ସ୍ତ୍ରୀ ରିତା ବେକେବେଡେକା ଗତ ୧୪ ତାରିଖରେ ଖ୍ରୀଷ୍ଟିୟାନ୍ ହସ୍‌ପିଟାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଅସ୍ତ୍ରୋପଚାର ଯୋଗୁ ରିତା ମେଡିକାଲର ପ୍ରସୂତୀ ବିଭାଗରେ ରହି ଚିକିତ୍ସିତ ହେଉଛନ୍ତି। ଗତ ଦୁଇ ଦିନ ହେଲା ଜନୈକ ରୂପାଲି ନିଜକୁ ଆଶା କର୍ମୀର ପରିଚୟ ଦେଇ ମେଡିକାଲରେ ଘୁରି ବୁଲୁଥିଲେ। ରୂପାଲି ଆଦିବାସୀ ଭାଷାରେ କଥା ହୋଇ ରିତା ଏବଂ ତାଙ୍କ ଶାଶୁଙ୍କ ସହ ସମ୍ପର୍କ ସ୍ଥାପନ କରି ଉକ୍ତ ଛୁଆକୁ ଧରାରଖା ମଧ୍ୟ କରୁଥିଲେ। ଆଜି ଅପରାହ୍ନରେ ଉକ୍ତ ଶିଶକୁ ବର୍ହି ବିଭାଗରେ ଡାକ୍ତରଙ୍କ ନିକଟକୁ ଚିକିତ୍ସା ପାଇଁ ନେଉଥିବା ସମୟରେ ସଂପୃକ୍ତ ରୂପାଲି ଶିଶୁକୁ ଧରିଥିଲେ।  ରିତା ଏବଂ ଶାଶୁ ମହିଳାଙ୍କ ସହ ଡାକ୍ତରଙ୍କ ନିକଟକୁ ମଧ୍ୟ ଯାଇଥିଲେ।

ଡାକ୍ତର ଶିଶୁକୁ ଆଡ୍‌ମିଶନ୍ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଆଡ୍‌ମିଶନ୍ ପକ୍ରିୟା ଚାଲିଥିବା ବେଳେ ରୂପାଲି ଚତୁରତାର ସହ ନବଜାତ ଶିଶୁପୁତ୍ରକୁ ନେଇ ମେଡିକାଲ୍ ଭିତରୁ ଚମ୍ପଟ ମାରିଥିଲେ। ନବଜାତ ଶିଶୁକୁ ନ ପାଇବା ପରେ ରୀତା ମେଡ଼ିକାଲ୍ କର୍ତ୍ତୃପକ୍ଷ ଏବଂ ସଂପର୍କୀୟଙ୍କୁ ଅବଗତ କରିଥିଲେ। ଖବର ପାଇ ବିଷମକଟକ ପୋଲିସ୍ ମେଡ଼ିକାଲରେ ପହଞ୍ଚି ରୂପାଲିଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପୋଲିସର ୫ଟି ଟିମ୍ ଚଢ଼ାଉ ଜାରି ରଖିଥିବା ବେଳେ ରୂପାଲିଙ୍କ ମୋବାଇଲ୍ ଟ୍ରାକିଂ କରି ଚାଟିକୋଣା ଷ୍ଟେସନରୁ ଠାବ କରିଥିଲା। ବିଷମକଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁ, ଏସ୍‌ଆଇ  ପ୍ରଶାନ୍ତ ନାୟକ ଓ ଟିମ୍ ରୂପାଲିଙ୍କୁ ଷ୍ଟେସନରୁ କାବୁ କରିବା ସହ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରି ମେଡିକାଲ ଆଣିଥିଲେ। ପିଲା ଚୋରି କରିଥିବା ରୂପାଲି ବିହାର ଅଞ୍ଚଳର ବୋଲି ଜଣାପଡିଛି। ରାୟଗଡ଼ା ମା’ ମାଝିଘରିଆଣି ମନ୍ଦିର ନିକଟରେ ଘରଭଡା ନେଇ ରୂପାଲି ରହୁଥିବା ପୁଲିସ୍ ନିକଟରେ ପ୍ରକାଶ କରିଛନ୍ତି। ବିଷମକଟକ ପୋଲିସ୍ ରୂପାଲି ନାଁରେ ମାମାଲା ରୁଜୁ କରି ଅଧିକ ପଚରାଉଚରା ଜାରି ରଖିଛି। ପିଲା ଚୋରିରେ ରୂପାଲିଙ୍କ ସମେତ ଆଉ କାହାର ସଂପୃକ୍ତି ଅଛି ସେ ନେଇ ପୋଲିସ୍ ଅଧିକ ତଦନ୍ତ କରୁଥିବା ବିଷମକଟକ ଏସ୍‌ଡିପିଓ ଆକାଶ ସାହୁ ସୂଚନା ଦେଇଛନ୍ତି।  ପିଲା ଚୋରି ଘଟଣା ପରେ କୌଣସି ଅଜଣା ବ୍ୟକ୍ତି ସନ୍ଦେହ ଘେରକୁ ଆସିଲେ ଆକ୍ରମଣ ନ କରି ପୋଲିସକୁ ଖବର ଦେବାକୁ ଏସଡିପିଓ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର