ବିଜେପୁର : ବିଜେପୁର ବ୍ଲକ୍‌ରେ ନିର୍ବାଚନୀ ତାତି ବଢ଼ିଛି। ଗାଁ ଦାଣ୍ତ, ମନ୍ଦିର ବେଢ଼ାରେ ଲୋକେ ରୁଣ୍ତ ହୋଇ ନିର୍ବାଚନ ଆଲୋଚନାରେ ସମୟ ଅତବାହିତ କରୁଛନ୍ତି। ପ୍ରାର୍ଥୀଙ୍କ ଦକ୍ଷତା, ଦଳୀୟ ସ୍ଥିତି, ଅଞ୍ଚଳର ବିକାଶ ଆଦି ପ୍ରସଙ୍ଗ ଆଲୋଚନା ହେଉଛି। ବିଜେପୁର ବିକାଶ ପାଇଁ ବିଭିନ୍ନ ସମୟରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସେସବୁର ସଫଳ ଉପଯୋଗ ଅଭାବରୁ ହିତାଧିକାରୀ ଲାଭ ପାଉ ନାହାନ୍ତି। ମାଳ ମାଳ ଯୋଜନା ପ୍ରଣୟନ ସତ୍ତ୍ବେ ବିଜେପୁରରେ ତାହା ପ୍ରହସନ ପାଲଟିଛି। ଦୁଇଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ତିଆରି ହୋଇଛି। ମାତ୍ର ଦଶନ୍ଧି ହେଲାଣି ଚାଷୀଙ୍କ ବିଲକୁ ପାଣି ଟୋପାଏ ନାହିଁ। ଗଙ୍ଗାଧର ମେହେର ଜଳସେଚନ ଯୋଜନାରୁ ମଧ୍ୟ ବଞ୍ଚିତ ହୋଇଥିବା ଏହି ଅଞ୍ଚଳବାସୀଙ୍କ ସ୍ୱପ୍ନ ଚୂରମାର ହୋଇଛି।

Advertisment

publive-image Dailyhunt

ବିଜେପୁର ବ୍ଲକ୍‌ର ଉପାନ୍ତ ଅଂଚଳରେ ଅବସ୍ଥିତ ସାନବାଉଁଶେନ, ତାଳପଦର, ଏମ୍.ଶ୍ରିଗିଡ଼ା, ବାଦିପାଲି, ମାଝିପାଲି ଆଦି ପଂଚାୟତର ବହୁ ଗ୍ରାମ ବଞ୍ଚିତ ହୋଇଛନ୍ତି ଜଳସେଚନ ଯୋଜନାରୁ। ଉକ୍ତ ଅ୍ଞ୍ଚଳର ଉଭୟ ମୁଣ୍ତରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଦୁଇଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟ ରହିଛି। ମାତ୍ର ବିଲକୁ ଟୋପାଏ ପାଣି ପହଞ୍ଚି ନାହିଁ। ଏହି ଅଞ୍ଚଳର ପଶ୍ଚିମ ପଟରେ ଘେଁସାଲି ନଦୀରେ ନିର୍ମିତ ଗଂଜେଇଖୁଁଟା ପ୍ରକଳ୍ପ ହେବାର ଚାରି ଦଶନ୍ଧି ହେଲା ତାହା ଅକାମୀ ପଡ଼ି ରହିଛି। ଉକ୍ତ ଅଞ୍ଚଳର ବିପରୀତ ପଟରେ ଉତାଲି ନଦୀରେ ନିର୍ମିତ ମରେଇକେଲ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଦଶନ୍ଧି ଡେଇଁଲାଣି। କେନାଲ୍‌ ପାଇଁ ଡିଜାଇନ, ସର୍ଭେ ଆଦି କାମ ସରିଛି। କିନ୍ତୁ କାମ ଆଗେଇ ନାହିଁ।

ଅନ୍ୟପକ୍ଷରେ ଏହି ଅଞ୍ଚଳବାସୀ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ବିଜେପୁର ବ୍ଲକ୍‌ର ସମୁଦାୟ ୨୩ଟି ପଞ୍ଚାୟତ ମଧ୍ୟରୁ ୧୯ଟି ପଞ୍ଚାୟତ ଅନ୍ତର୍ଗତ ୭୮ ଖଣ୍ତ ଗ୍ରାମ ଏହି ପ୍ରକଳ୍ପରେ ସାମିଲ ରହିଛି। ମାତ୍ର ବ୍ଲକ୍‌ର ଅନ୍ୟ ୪ଟି ପଞ୍ଚାୟତ ଏଥିରୁ ବଞ୍ଚିତ । ତନ୍ମଧ୍ୟରୁ ଗୋଟିଏ ପଞ୍ଚାୟତ ଜଳସେଚିତ ହୋଇଥିବା ବେଳେ ଅନ୍ୟ ତିନୋଟି ପଞ୍ଚାୟତର ୨୦ରୁ ଅଧିକ ଗ୍ରାମ ସଂପୂର୍ଣ୍ଣ ଭାବରେ ମରୁଡ଼ି ପ୍ରପୀଡ଼ିତ ଅଂଚଳ। ତେଣୁ ଏହି ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏହାର ପ୍ରତିଫଳନ ନିର୍ବାଚନରେ ପଡ଼ିବ ବୋଲି ମଧ୍ୟ ଜୋର୍‌ସୋର୍‌ ଚର୍ଚ୍ଚା।