ସମସ୍ତଙ୍କ ସ୍ମୃତିରେ, ହୃଦୟରେ ଅଛନ୍ତି ବିଜୟ ବାବୁ

ଗଠିତ ହେଲା ବିଜୟ କୁମାର ସ୍ମାରକୀ ଟ୍ରଷ୍ଟ

ଭୁବନେଶ୍ବର : ବିଜୟ ପଟ୍ଟନାୟକ ଜଣେ ଭଲ ମଣିଷ ଥିଲେ। ସମସ୍ତଙ୍କ ସୁଖ ଦୁଃଖରେ ସେ ଠିଆ ହୋଇ ଜଣେ ବନ୍ଧୁବତ୍ସଳ ମଣିଷ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନିଷ୍ଠାପର ଭାବେ ହସି ହସି କିପରି କଷ୍ଟ କାମକୁ ସହଜରେ କରିହୁଏ, ତାହାର ‌ବାଟ ସେ ଦେଖାଇପାରୁଥିଲେ। ଜନ୍ମଭୂମି ଜଗତସିଂହପୁର ଓ କର୍ମଭୂମି ଭୁବନେଶ୍ବରରେ ସେ ବେଶ୍‌ ପରିଚିତ ଥିଲେ। ସେଥିପାଇଁ ସେ ଆଜି ସମସ୍ତଙ୍କ ସ୍ମୃତିରେ ଓ ହୃଦୟରେ ବଞ୍ଚି ରହିଛନ୍ତି। ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ବିଜୟ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ଏପରି ମତପ୍ରକାଶ କରିଛନ୍ତି।

ହୋଟେଲ୍‌ ମେ’ ଫେୟାରରେ ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ଅତିଥି ଭାବେ ଯୋଗ ଦେଇ କହିଲେ, ଶ୍ରଦ୍ଧା ସହିତ ବାନ୍ଧି ଦେଇଥିବା ବ୍ୟକ୍ତି ଜଣକ ହେଲେ ବିଜୟ ପଟ୍ଟନାୟକ। ଏହି ଶ୍ରଦ୍ଧା ବଳରେ ହିଁ ସେ ନିଜ ଜନ୍ମ ଭୂମିଠାରୁ କର୍ମଭୂମି ପର୍ଯ୍ୟନ୍ତ ସବୁଠି ଯୋଡ଼ି ହୋଇ ରହିଥିଲେ। ଏହି ଶ୍ରଦ୍ଧା ହିଁ ତାଙ୍କୁ ସବୁବେଳେ ଆମ ପାଖକୁ ଫେରାଇ ଆଣୁଥିବ। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କହିଲେ ଯେ ସାଧାରଣତଃ ଲୋକେ ଉପରକୁ ଉଠି ଯିବା ପରେ ନିଜ ଜନ୍ମମାଟିକୁ ଭୁଲି ଯାଆନ୍ତି। କିନ୍ତୁ ବିଜୟ ପଟ୍ଟନାୟକ ଏହାର ବ୍ୟତିକ୍ରମ ଥିଲେ। ସେ ନିଜ ଗାଁ ସହିତ ବେଶି ଜଡ଼ିତ ଥିଲେ। ଜଗତସିଂହପୁର ଜିଲ୍ଲା ପାଇଁ ବିଜୟ ବାବୁ ଗର୍ବ ଓ ଗୌରବ। ଏପରି ଜଣେ ବ୍ୟକ୍ତିଙ୍କୁ ହରାଇବା ଜିଲ୍ଲା ତଥା ସମଗ୍ର ରାଜ୍ୟର କ୍ଷତି ହୋଇଛି। ଅନ୍ୟତମ ସମ୍ମାନିତ ଅତିଥି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଥିଲେ ଯେ ବିଜୟ ଭାଇ ଆମ ଗହଣରେ ନାହାନ୍ତି ବୋଲି ବିଶ୍ବାସ କରି ହେଉନାହିଁ। ‘ସମ୍ବାଦ’ର ପ୍ରକାଶକ ଭଳି ଏକ ବଡ଼ ପଦରେ ଥିଲେ ବି ତାଙ୍କ ବ୍ୟବହାର ବେଶ୍ ସରଳ ଥିଲା। ଲୋକଙ୍କ ସମସ୍ୟା ନେଇ ବହୁ ସମୟରେ ସେ ମୋ ସହିତ ଆଲୋଚନା କରନ୍ତି। ଲୋକଙ୍କ ସୁଖଦୁଃଖର ସାଥୀ ଥିଲେ ବିଜୟ ଭାଇ। ତାଙ୍କ ଭଲ ପାଇବାର ସ୍ମୃତି କେବେ ବି ଭୁଲି ହେବ ନାହିଁ।

ସଭାରେ ସଭାପତିତ୍ବ କରି ‘ସମ୍ବାଦ’ ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଲେ ଯେ ଯେଉଁ ମଣିଷ କୃତଜ୍ଞତା ଜଣାଇବା ଶିଖି ନାହିଁ, ସେ ଆଗକୁ ଯାଇ ପାରିବ ନାହିଁ। ମୁଁ ବିଜୟ ବାବୁଙ୍କ ଭଳି ସହଯୋଗୀ ପାଇଥିବାରୁ କୃତଜ୍ଞ। ଭାଗ୍ୟରେ ଥିଲେ ତାଙ୍କ ଭଳି ସହଯୋଗୀ ମିଳନ୍ତି। କରୋନା ମହାମାରୀ, ଛାପା ଗଣମାଧ୍ୟମ ପ୍ରତି ଆଦର ହ୍ରାସର ଚେତାବନୀ ଆଦି ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସମ୍ବାଦ ଆଜି ବି ଏକ ନମ୍ବର ହୋଇ ରହିଛି। ଆଗାମୀ ଦିନରେ ରହିବ ମଧ୍ୟ। ଏହା ତାଙ୍କ ଭଳି ସହଯୋଗୀଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। ସମାଜରେ ଭଲ ଲୋକ ନଥିଲେ ସମାଜ ତିଷ୍ଠି ନଥା’ନ୍ତା। ବିଜୟ ବାବୁ କେବଳ ଜଣେ ଭଲ ମଣିଷ ନଥିଲେ, ସେ ଅନେକ ଭଲ ମଣିଷଙ୍କୁ ଏକାଠି କରିପାରୁଥିଲେ। ଏହା ଥିଲା ତାଙ୍କ ଚରିତ୍ରର ବଡ଼ ବିଶେଷତ୍ବ। ‘ସମ୍ବାଦ’ର ପ୍ରକାଶକ ହେବା ସହ ସେ ରାଜଧାନୀରେ ଜଣେ ହନୁମାନ ଭକ୍ତ ଭାବରେ ମଧ୍ୟ ପରିଚିତ ଥିଲେ। ଏହା ତାଙ୍କର ଏକ ନିଆରା ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ‘ବିଜୟ କୁମାର ମେମୋରିଆଲ ଟ୍ରଷ୍ଟ’ ଗଠନ ନେଇ ଘୋଷଣା କରିଥିଲେ। ୨୦୨୨-୨୩ ମସିହାରୁ ଏହି ଟ୍ରଷ୍ଟ ପକ୍ଷରୁ ପ୍ରତି ବର୍ଷ ସାମ୍ବାଦିକତା, ସମ୍ବାଦପତ୍ର ବିତରଣ, ଶିଶୁ ଶ୍ରମରୁ ମୁକ୍ତ ହୋଇ ଉଚ୍ଚ ଶିକ୍ଷା ଲାଭ କରିଥିବା ଶିକ୍ଷାର୍ଥୀ ଓ ମାଟ୍ରିକ୍‌ ପରୀକ୍ଷାରେ ଟପର୍‌ ହୋଇଥିବା ଦୁଇଜଣ ବିଦ୍ୟାର୍ଥୀଙ୍କୁ ସମ୍ବର୍ଧିତ କରାଯିବ ବୋଲି ସେ ଘୋଷଣା କରିଥିଲେ।

ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ ବିଜୟ ବାବୁ ଜଣେ ତ୍ୟାଗୀ ଓ ହନୁମାନ ଭକ୍ତ ଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଯୁବ ଉତ୍ସବ ହେଲେ, ସେ ସେଥିରେ ପ୍ରମୁଖ ଭୂମିକା ନେଉଥିଲେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଥିଲେ ଯେ ‘ସମ୍ବାଦ’ର ସଫଳତା ପଛରେ ବିଜୟ ବାବୁଙ୍କ ବଡ଼ ଅବଦାନ ରହିଛି। ସଂକଳ୍ପ, ସମ୍ପର୍କ ଓ ସଂପୃକ୍ତି ଏହି ତିନିଟି ନୀତି ଉପରେ ବିଜୟ ବାବୁଙ୍କର ପ୍ରଗାଢ଼ ବିଶ୍ବାସ ଥିଲା। ‘ସମ୍ବାଦ’ର ସମ୍ପାଦକ(ଫିଚର) ତଥା କଥାକାର ଗୌରହରି ଦାସ କହିଥିଲେ, ଅନୁଷ୍ଠାନଟିଏ ଗଢ଼ିବା ଓ ପ୍ରତିଷ୍ଠିତ କରାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ଆବଶ୍ୟକ। ସ୍ବର୍ଗତ ବିଜୟ ପଟ୍ଟନାୟକ ଏହାର ଜୀବନ୍ତ ଉଦାହରଣ ଥିଲେ। ଜଣେ ଭଲ ମଣିଷ ନଜର ନିଷ୍ଠାପରତା ପାଇଁ ମୃତ୍ୟୁ ପରେ ବି ସମସ୍ତଙ୍କ ସ୍ମୃତିରେ ଓ ହୃଦୟରେ ବଞ୍ଚି ରହିଥା’ନ୍ତି। ସ୍ବର୍ଗତ ପଟ୍ଟନାୟକ ଏ କଥା ନିଜ ଜୀବଦଶାରେ ପ୍ରମାଣ କରି ଯାଇଛନ୍ତି। ଏଣୁ ଆଜି ବି ‘ସମ୍ବାଦ’ ତାଙ୍କୁ ଭୁଲି ପାରୁନି। ‌ବିଶିଷ୍ଟ ସାହିତ୍ୟିକ ତଥା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି କହିଥିଲେ, ଲୋକଙ୍କ ଅସମୟରେ ଛିଡ଼ା ହେଉଥିବା ମଣିଷ ଓ ଭଲ କାମର ଉଦ୍ୟୋକ୍ତା ସାଜୁଥିବା ବ୍ୟକ୍ତି ହେଲେ ସ୍ବର୍ଗତ ବିଜୟ ପଟ୍ଟନାୟକ। ‘ସମ୍ବାଦ’ର ସଫଳତାରେ ତାଙ୍କ ଭୂମିକାକୁ କେହି ଭୁଲି ପାରିବେ ନାହିଁ। ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ଓ ସାହିତ୍ୟିକା ସୁଷମା ମିଶ୍ର ମଧ୍ୟ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୋଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ମନୋଜ ନାୟକ, ପ୍ରମେୟର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ରଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ସ୍ଥିତ ଥିଲେ। ପ୍ରାରମ୍ଭରେ ସ୍ବର୍ଗତ ପଟ୍ଟନାୟକଙ୍କ ସାନ ଭାଇ ଅଜୟ ପଟ୍ଟନାୟକ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେଇଥିଲେ। ପ୍ରହଲ୍ଲାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଜୟ ପଟ୍ଟନାୟକଙ୍କ ସ୍ମୃତିରେ ‘ସ୍ମତିରେ ବିଜୟ’ ସ୍ମରଣିକା ଉନ୍ମୋଚନ ହେବା ସହିତ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା। ମଧୁମିତା ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସ୍ବର୍ଗତ ପଟ୍ଟନାୟକଙ୍କ ପୁତ୍ର ଡା. ସ୍ବରୂପ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର