ଗୋପ : ଧନୁଆ ବନ୍ୟା ସମସ୍ୟାର ନିୟନ୍ତ୍ରଣ ପାଇଁ ଟ୍ରିବ୍ୟୁନାଲ୍ ପାଖରେ ଦାବି କରାଯିବ। ଧନୁଆଁ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ସ୍ବତନ୍ତ୍ର ଯୋଜନା ଜଳସଂପଦ ବିଭାଗ ତିଆରି କରୁ ଓ ତାକୁ ଫାଇଲ ମଧ୍ୟରେ ଚାପି ନରଖି ତୁରନ୍ତ କାର୍ଯ୍ୟକାରୀ କରୁ। ଏହାଦ୍ବାରା ନିମାପଡ଼ା-ଗୋପ ବ୍ଲକ୍ର ୩୬ଟି ପଞ୍ଚାୟତର ଲୋକେ ଉପକୃତ ହେବେ। ଟ୍ରିବ୍ୟୁନାଲ୍ ପାଖରେ ବଳିଷ୍ଠ ଯୁକ୍ତି ସହ ଉପସ୍ଥାପନା କରିପାରିଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଜି ତୃଣମୂଳ ସ୍ତରରୁ ପାଣି ସମସ୍ୟାର ଅନୁଧ୍ୟାନ କରିବାକୁ ଆସି ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର ଏହା କହିଛନ୍ତି।
ଗୋପ ଜଳସଂପଦ ବିଭାଗ ଡାକବଙ୍ଗଳାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଛତିଶଗଡ଼ ପାଣି ଅଟକାଇଲା। ଆଜି ଓଡ଼ିଶାର ନଦୀରେ ପାଣି ନାହିଁ। ନା ହୀରାକୁଦ ଡ୍ୟାମ୍ରେ ଯଥେଷ୍ଟ ପାଣି ଅଛି ନା ମହାନଦୀରେ ପାଣି ଅଛି। ଯେତିକି ପାଣି ନଦୀରେ ଅଛି ତାହା କାମରେ ଲାଗୁନି। ପରିସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ହେଲେ, ସରକାରଙ୍କର ଏନେଇ ଚିନ୍ତାନାହିଁ। ଏମିତି ଏକ ନିର୍ଣ୍ଣାୟକ ସମୟରେ ମହାନଦୀ ଟ୍ରିବ୍ୟୁନାଲ ମଧ୍ୟ ଓଡ଼ିଶାକୁ ଗସ୍ତ କରୁଛନ୍ତି। ଟ୍ରିବ୍ୟୁନାଲ୍ ଗଠନର ୫ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଓଡ଼ିଶାବାସୀ ନ୍ୟାୟ ପାଇନାହାନ୍ତି। ଆଜି ବି ନ୍ୟାୟ ମିଳିବ କି ନାହିଁ ସନ୍ଦେହ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଗୁରୁବାର ଦିନ ଶ୍ରୀ ମହାପାତ୍ର ପ୍ରଥମେ ବାଲିଅନ୍ତା, ବାଲିପାଟଣା ଅଞ୍ଚଳ ବୁଲିବା ସହ ପିପିଲି–କୋଣାର୍କ ରାସ୍ତାର କାଜିପାଟଣା ଛକ, ନିମାପଡା–ବଳଙ୍ଗା ରାସ୍ତାର ଧନୁଆ ଛକ ବୁଲି ଦେଖିଥିଲେ। ଧନୁଆ ନଦୀର ଭଇଁଚୁଆ କାଜ ଓ ଅଚ୍ୟୁତପୁର କାଜ ଅନୁଧ୍ୟାନ କରି ଧନୁଆ ବନ୍ୟା ନିୟନ୍ତ୍ରଣ କମିଟି ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପୂର୍ବତନ ସାଂସଦ ରବି ନାରାୟଣ ପାଣି, ବେଣୁଧର ସେଠୀ, ସିପିଆଇ ନେତା ଦେବେନ୍ଦ୍ର ସାହୁ, ପ୍ରାକ୍ତନ ବିଡିଓ ଦିଗମ୍ବର ନାୟକ, ଯୁବନେତା ପ୍ରଶାନ୍ତ କୁମାର ସ୍ବାଇଁ, ବିକାଶ ଗିରୀ, ସମାଜସେବୀ ଅକ୍ଷୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।