ଭୁବନେଶ୍ବର : କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ ଦଳ ଛାଡ଼ିବା ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ହେଉଥିବା ବେଳେ ରବିବାର ଦିନ କଂଗ୍ରେସରେ ନୂଆକରି ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ଶ୍ରୀ ବିଶ୍ବାଳଙ୍କୁ ତାଙ୍କ ବାସଭବନରେ ଭେଟି କଂଗ୍ରେସକୁ ସଂଗଠନକୁ ସଶକ୍ତ କରିବା ନେଇ ଆଲୋଚନା କରିଛନ୍ତି। ଏହାପରେ ଶ୍ରୀ ବିଶ୍ବାଳ କହିଛନ୍ତି ଯେ ବିଜୟଙ୍କ ସହ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଦଳ ଆଗକୁ କିପରି ରଣନୀତି କରିବ ସେନେଇ ଆମର ଆଲୋଚନା ହୋଇଥିଲା। କଂଗ୍ରେସ ଭବନକୁ ନଆସିବା ନେଇ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସେ କହିଛନ୍ତି ଯେ କଂଗ୍ରେସ ଭବନରେ ବସିଲେ ଭୋଟ୍‌ ଆସିବନି। ନିଜ ଏରିଆରୁ ଭୋଟ୍‌ ଆସିବ। ଜିଲ୍ଲା ଓ ନିର୍ବାଚନମଣ୍ଡଳୀକୁ ଦେଖିଲେ ହିଁ ଭୋଟ ଆସିବ। ଦଳ ପରିବର୍ତନ କରିବା ନେଇ ୩ବର୍ଷ ହେଲା ଆଲୋଚନା ହେଉଛି। କିନ୍ତୁ ମୁଁ କଂଗ୍ରେସରେ ଅଛି।

Advertisment

ଏପଟେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଚିରଞ୍ଜୀବ ଜଣେ ପୁରୁଖା ନେତା। ତେଣୁ ତାଙ୍କୁ ଭେଟି କଂଗ୍ରେସ ଦଳକୁ ସୁଦୃଢ଼ କରିବା ଏବଂ ଆଗାମୀ ନିର୍ବାଚନରେ ଦଳର କେଉଁପ୍ରକାର ରଣନୀତି ରହିବ ସେନେଇ ଆଲୋଚନା ହୋଇଥିଲା। ତାଙ୍କ ମନ ଉଣା ନେଇ କୌଣସି ପ୍ରକାର ଆଭାସ୍ ପାଇନି। ସେ କଂଗ୍ରେସରେ ରହିବେ ବୋଲି ଦୃଢ଼ ବିଶ୍ୱାସ ରହିଛି।