ଗିରଫ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର: ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲାନି ଜାମିନ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ଆଇଏଏସ ବିଜୟ କେତନ ଉପାଧ୍ୟାୟ । ଆଉ ଶୁଣାଣି ସମୟରେ ଉଭୟ ପକ୍ଷର ଆଇନଜୀବୀଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଯୁକ୍ତି ତର୍କ । ତେବେ ଶେଷରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି | ଏଠାରେ ସୂଚନା ଥାଉ କି ଡିସେମ୍ବର ୩୧ ତାରିଖରେ ୨୦୦୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ଉଦ୍ୟାନ କୃଷି ବିଭାଗର ନିର୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରାଯାଇଥିଲା |

ବିଲ୍ ପାସ କରାଇ ଦେବା ପାଇଁ ଜଣେ ବ୍ୟାଙ୍କ ଅଧିକାରୀଙ୍କ ମାଧ୍ୟମରେ ଏସଆର୍‌ଏମ୍ ପ୍ଲାଷ୍ଟୋକେମ୍ ପ୍ରାଇଭେଟ୍ ଲିମିଟେଡ୍‌ର ଅଧିକୃତ ପ୍ରତିନିଧିଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଏହି ଘଟଣାରେ ଭିଜିଲାନ୍ସ ଶ୍ରୀ ଉପାଧ୍ୟାୟଙ୍କ ସହ ସଂପୃକ୍ତ  ଘରୋଇ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରିଥିଲା |

ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ବିଜୟକେତନ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଥିଲେ । ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଥିଲା ଯେ ଦୁର୍ନୀତିରେ ସମ୍ପୃକ୍ତ ଥିବା କାହାରିକୁ ବି ଛଡ଼ାଯିବ ନାହିଁ। ସ୍ୱଚ୍ଛତା ହେଉଛି ସରକାରର ମୁଖ୍ୟ ସ୍ତମ୍ଭ। ପୂର୍ବରୁ ଗୃହ ନିର୍ମାଣ କେଳେଙ୍କାରୀରେ ଭିଜିଲାନ୍ସ ନବୀନଙ୍କ ଦ୍ବିତୀୟ ପାଳିରେ ବିନୋଦ କୁମାରଙ୍କୁ ଓ ତା‘ ପୂର୍ବରୁ ବରିଷ୍ଠ ଆଇଏଏସ୍ ଅଫିସର ପ୍ରଫୁଲ୍ଲ ମିଶ୍ରଙ୍କୁ ବନ୍ଧାଯାଇଥିଲା। ।

ସମ୍ବନ୍ଧିତ ଖବର