ବିଜୟ କେତନଙ୍କ ପତ୍ନୀ ସାମ୍ବାଦିକ ସମ୍ମିଳନୀ ଡାକିଲେ : ଗିରଫଦାରି ବେଆଇନ୍‌ ଓ ଉଦ୍ଦେଶ୍ୟ ପ୍ରଣୋଦିତ

ଓଡ଼ିଆ ଅଧିକାରୀ ହୋଇଥିବାରୁ ପାତରଅନ୍ତର, ଲାଞ୍ଚ ଦିଆଯିବା ଏକ ନାଟକ ଥିଲା

କଟକ : ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଗିରଫ କରିବା ବେଆଇନ୍‌ ଓ ଉଦ୍ଦେଶ୍ୟ ପ୍ରଣୋଦିତ। ବିନା କୌଣସି ତଥ୍ୟ ପ୍ରମାଣରେ ବିଜୟଙ୍କୁ ଗିରଫ କରାଯାଇଥିଲାବେଳେ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କର ଜାମିନ୍‌ କରାଇ ଦିଆଯାଉନାହିଁ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ତୁଷିମା ମିଶ୍ର।

ଗତ ଡିସେମ୍ବର ୩୦ ତାରିଖରେ ଆଇଏଏସ୍‌ ଅଧିକାରୀ ଶ୍ରୀ ଉପାଧ୍ୟାୟ ଏବଂ ତାଙ୍କ ସହିତ ୟେସ୍‌ ବ୍ୟାଙ୍କର ରିଲେସନସିପ୍‌ ମ୍ୟାନେଜର ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏହି ଗିରଫଦାରିକୁ ବେଆଇନ ବୋଲି ଦର୍ଶାଇବା ସହିତ ତୁଷିମା କହିଛନ୍ତି ଯେ, ଭିଜିଲାନ୍ସ ସେଲ୍‌ ଡିଭିଜନ୍‌ ବିଜୟ କେତନଙ୍କୁ ଗିରଫ କରିବା ପରେ ତାଙ୍କ ବାସଭବନ ସହ ଅନ୍ୟ କିଛି ସ୍ଥାନରେ ଚଢଉ କରିଥିଲା। ମାତ୍ର ଚଢଉ ପରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କିମ୍ବା ବେଆଇନ୍‌ ଭାବେ ସରକାରୀ ଅର୍ଥ ହେରଫେର କରିବା ଭଳି କୌଣସି ପ୍ରମାଣ ଭିଜିଲାନ୍ସର ହସ୍ତଗତ ହୋଇନଥିଲା। ଅନ୍ୟଜଣଙ୍କୁ ମଧ୍ୟସ୍ଥି କରି ଭିଜିଲାନ୍ସ ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରୀଙ୍କୁ ଗିରଫ କରିଛି ଏବଂ ଓଡ଼ିଶାରେ ଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଜାଣିଶୁଣି ପାତରଅନ୍ତର କରାଯାଉଥିବା ସେ କହିଛନ୍ତି।

ତୁଷିମା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବିଜୟ କେତନଙ୍କୁ ମିଛ ମାମଲାରେ ଗିରଫ କରିବା ପାଇଁ ଭିଜିଲାନ୍ସ ପୂର୍ବରୁ ମଧ୍ୟ ଥରେ ଉଦ୍ୟମ କରିଥିଲା। ଗିରଫ ହେବାର ତିନି ଦିନ ଆଗରୁ ଜଣେ ବ୍ୟକ୍ତିଙ୍କ ଜରିଆରେ ଲାଞ୍ଚ ଦିଆଯାଉଥିବା ନାଟକ ରଚାଯାଇଥିଲା। ହେଲେ, ବିଜୟ ତାହାକୁ ଗ୍ରହଣ ନକରିବାରୁ ଭିଜିଲାନ୍ସର ଚାଲ୍‌ ଫସର ଫାଟିଯାଇଥିଲା। କିନ୍ତୁ ପରେ ଘରୋଇ କମ୍ପାନିର ବିଲ୍‌ ପାସ୍‌ କରାଇଦେବା ନାମରେ ଏକ ଭିତ୍ତିହୀନ ମାମଲାରେ ତାଙ୍କୁ ଯୋଡ଼ାଯାଇ ଗିରଫ କରାଯାଇଛି। ୩୦ ତାରିଖ ମଧ୍ୟାହ୍ନରେ ବିଜୟ ଏକ ବୈଠକରେ ବସିଥିଲାବେଳେ ହଠାତ ଭିଜିଲାନ୍ସ ଟିମ୍‌ ସେଠାରେ ପହଞ୍ଚି ତାଙ୍କୁ ଜେରା କରିବାକୁ କହି ନେଇ ଆସିଥିଲା। ଘରକୁ ଆଣି ଜେରା କରିବା ସମୟରେ ସର୍ଚ୍ଚ ଵାରେଣ୍ଟ ମଗାଯିବାରୁ ଅଧିକାରୀମାନେ ତାହା ଦେଖାଇ ପାରିନଥିଲେ। ଘରେ ଯାଞ୍ଚ ଚାଲିଥିଲାବେଳେ ଅପରାହ୍ନ ସାଢେ ୨ଟା ବେଳେ ରାଜ୍ୟ ସରକାର ବିଜୟଙ୍କୁ ନିଲମ୍ବନ କରିଥିବା ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ଯେପର୍ଯ୍ୟନ୍ତ ଭିଜିଲାନ୍ସ ହାତରେ କୌଣସି ଠୋସ୍‌ ପ୍ରମାଣ ଲାଗିନାହିଁ, ସେତେବେଳ କେଉଁ ଆଧାରରେ ସରକାର ତାଙ୍କୁ ନିଲମ୍ବନ କଲେ ତାହାକୁ ନେଇ ତୁଷିମା ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏଚ୍‌ଡିଏଫ୍‌ସି ଓ ୟେସ୍‌ ବ୍ୟାଙ୍କରେ ଯେଉଁ ସରକାରୀ ଟଙ୍କା ଜମା ରଖାଯାଇଛି, ତାହା ଅର୍ଥ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଉକ୍ତ ଘରୋଇ ବ୍ୟାଙ୍କର ସରକାରୀ ଖାତାରେ ରଖାଯାଇଛି। ତାହାକୁ ବିଜୟ କେତନ ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ରଖିନାହାନ୍ତି। ତେଣୁ ସବୁକିଛି ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଫସାଇ ଦେବାକୁ ଚକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେଉଛି। କେବଳ ଏତିକି ନୁହେଁ, କୋର୍ଟରେ ବାରମ୍ବାର ଜାମିନ୍‌ ଆବେଦନ କରାଯାଉଥିଲେ ସୁଦ୍ଧା, ଏହାକୁ ଖାରଜ କରାଯାଉଥିବାରୁ ସମସ୍ତ ପ୍ରକ୍ରିୟାକୁ ନେଇ ତୁଷିମା ପ୍ରଶ୍ନ ଉଠାଇଛନ୍ତି। ବିନା ଦୋଷରେ ଦଣ୍ତ ଭୋଗୁଥିବାରୁ ବିଜୟଙ୍କ ପରିବାର ମାନସିକ ଦୁଶ୍ଚିନ୍ତା, ଲଜ୍ଜା ଓ ଅପମାନରେ ଦିନ କାଟୁଛନ୍ତି। ଯଦି ବିଜୟ କିମ୍ବା ତାଙ୍କ ପରିବାର ଲୋକଙ୍କର କୌଣସି କ୍ଷତି ହୁଏ, ତାହେଲେ ରାଜ୍ୟ ସରକାର, ଭିଜିଲାନ୍ସ ବିଭାଗ, ସରକାରୀ ଓକିଲ ଦାୟୀ ରହିବେ ବୋଲି ତୁଷିମା କହିଛନ୍ତି। ତେବେ, ଉଚ୍ଚ ନ୍ୟାୟାଳୟରୁ ତାଙ୍କୁ ଉଚିତ୍‌ ନ୍ୟାୟ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ତୁଳସୀପୁର ପୁରୁଣା ଟିଭି ଷ୍ଟେସନ ନିକଟରେ ଥିବା ତାଙ୍କ ବାପ ଘରେ ତୁଷିମା ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ।

ସମ୍ବନ୍ଧିତ ଖବର