ପୁଲିସ୍‌ ଡିଜି ଦାୟିତ୍ବ ନେଲେ ବିଜୟ ଶର୍ମା

କଟକ : ଓଡ଼ିଶା ପୁଲିସର ନୂଆ ଡିଜି ଭାବେ ଆଜି ବିଜୟ କୁମାର ଶର୍ମା ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବତନ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବା ପରେ ତାଙ୍କ ସ୍ଥାନରେ ଆଜି ଶ୍ରୀ ଶର୍ମା ଦାୟିତ୍ବ ଗ୍ରହଣ କରିଛନ୍ତି।

ଆଜି ଦିନ ପ୍ରାୟ ୧୨ଟା ବେଳେ ବକ୍ସିବଜାର ପୁଲିସ ମୁଖ୍ୟାଳୟରେ ଶ୍ରୀ ଶର୍ମାଙ୍କୁ ‘ଗାର୍ଡ ଅଫ୍‌ ଅନର‌୍‌’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟାଳୟର ବରିଷ୍ଠ ଆଇପିଏସ୍‌ ଅଫିସର ଉପସ୍ଥିତ ଥିଲେ। ଦାୟିତ୍ବ ଗ୍ରହଣ ପରେ ପ୍ରତିକ୍ରିୟାରେ ଶ୍ରୀ ଶର୍ମା କହିଥିଲେ ଯେ, ନକ୍ସଲ ଦମନ କ୍ଷେତ୍ରରେ ଓଡ଼ିଶା ପୁଲିସ ଅନେକ ସଫଳତା ପାଇଛି। ଯେଉଁ ଜିଲ୍ଲାରେ ଏବେ ବି ନକ୍ସଲ ପ୍ରଭାବ ରହିଛି, ସେଠାରେ ନିୟନ୍ତ୍ରଣ କରି ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ। ଥାନାରେ ଭିତ୍ତିଭୂମି ଏବ˚ କର୍ମଚାରୀ ସଂଖ୍ୟା ବୃଦ୍ଧି କରାଯିବ। ପୁଲିସ ଥାନାରେ ସାଧାରଣ ଲୋକଙ୍କୁ କି ପ୍ରକାର ବ୍ୟବହାର ମିଳୁଛି, କାର୍ଯ୍ୟରେ ସ୍ବଚ୍ଛତା ରହିଛି କି ନାହିଁ, ସେଥିପ୍ରତି ଗୁରୁତ୍ବ ଦିଆଯିବ। ପୁଲିସ ଥାନାକୁ ଲୋକେ ଯେଉଁ ଅଭିଯୋଗ ନେଇ ଯାଉଛନ୍ତି, ସେଗୁଡ଼ିକ କିଭଳି ଉପଯୁକ୍ତ ଭାବେ ଗ୍ରହଣ କରାଯିବ, ସେଥିପ୍ରତି ଦୃଷ୍ଟି ଦିଆଯିବ। ହୋମଗାର୍ଡଠାରୁ ବରିଷ୍ଠ ଅଧିକାରୀମାନେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି କାର୍ଯ୍ୟ ସ˚ପାଦନ କରିବା କ୍ଷେତ୍ରରେ ଗୁରୁତ୍ବ ଦେବେ। ଅପରାଧ ଅନୁସନ୍ଧାନରେ ଏସବୁ ଜ୍ଞାନ କୌଶଳ ବ୍ୟବହାର କରାଯିବ। ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ। ନାରୀ ସୁରକ୍ଷା ଏବ˚ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯିବ। ସୋସିଆଲ୍‌ ମିଡିଆ ଏବ˚ ଟେଲିଫୋନ୍‌ ମାଧ୍ୟମରେ ସାଧାରଣ ଲୋକେ ଯେଭଳି ବରିଷ୍ଠ ଅଫିସରମାନଙ୍କ ନିକଟରେ ଅଭିଯୋଗ ପହଞ୍ଚାଇ ପାରିବେ, ସେଥିପ୍ରତି ଗୁରୁତ୍ବ ଦିଆଯିବ। ଲୋକଙ୍କ ସହିତ ଯୋଡ଼ିହେବା ପାଇଁ ଉଦ୍ୟମ କରିବା ନିହାତି ଆବଶ୍ୟକ। ପୁଲିସ ବିରୋଧରେ ଯେଉଁ ନକାରାତ୍ମକ ମାନସିକତା ରହିଛି, ତାହା କ୍ରମାଗତ ଭାବେ ଦୂର କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି।

୧୯୮୬ ବ୍ୟାଚର ଆପିଏସ୍‌ ଅଫିସର ଶ୍ରୀ ଶର୍ମା ବାରିପଦାର ମୂଳ ବାସିନ୍ଦା। ଚାକିରି କାଳ ମଧ୍ୟରେ ସେ ସୁନ୍ଦରଗଡ଼, କନ୍ଧମାଳ, ସମ୍ବଲପୁର, ଖୋର୍ଧା ଇତ୍ୟାଦି ଜିଲ୍ଲାରେ ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ୧୯୯୯ରୁ ୨୦୦୬ ମସିହା ପର୍ଯ୍ୟନ୍ତ ସିବିଆଇରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବିରେ କାର୍ଯ୍ୟ କରିଛନ୍ତି। ୨୦୦୮, ମେ ୭ ତାରିଖରୁ ୨୦୧୧ ମେ ୨୪ ତାରିଖ ପର୍ଯ୍ୟନ୍ତ କମିସନରେଟ୍‌ ପୁଲିସ୍‌ର ପୁଲିସ କମିସନର ଭାବେ କାର୍ଯ୍ୟ କରିଥିଲେ। ସେ କ୍ରାଇମ୍‌ବ୍ରାଞ୍ଚ ଆଇଜି, ଅତିରିକ୍ତ ଡିଜି ଓ ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରିଥିଲେ। ପରେ ୨୦୧୭ ନଭେମ୍ବର ୩ ତାରିଖରୁ ଶ୍ରୀ ଶର୍ମା ରାଜ୍ୟ ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଛନ୍ତି।

ସମ୍ବନ୍ଧିତ ଖବର