ବିଜୟ ଶର୍ମାଙ୍କୁ ପୁଲିସ ଡିଜି ଦାୟିତ୍ବ

କଟକ : ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତ ହେବା ପରେ ବରିଷ୍ଠ ଆଇପିଏସ୍‌ ଅଫିସର ଅଗ୍ନିଶମ, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ବିଭାଗର ଡିଜି ବିଜୟ କୁମାର ଶର୍ମାଙ୍କୁ ଅତିରିକ୍ତ ପୁଲିସ ଡିଜି ଦାୟିତ୍ବ ଦିଆଯାଇଛି। ଏ ସ˚କ୍ରାନ୍ତରେ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତାକାଲି ପୁଲିସ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଆର‌୍‌.ପି. ଶର୍ମା ୨୦୧୭ ଅଗଷ୍ଟ ୩୦ ତାରିଖରେ ଓଡ଼ିଶା ପୁଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଅନ୍ୟପଟେ ଓଡ଼ିଶାରେ ଲୋକାୟୁକ୍ତ ଚୟନ କମିଟି ଶ୍ରୀ ଶର୍ମାଙ୍କ ନାମ ସଦସ୍ୟ ଭାବେ ସୁପାରିସ କରିଥିଲା। ଗଲାକାଲି ଚୟନ କମିଟିର ସୁପାରିସକୁ ରାଜ୍ୟପାଳ ଗ୍ରହଣ କରିଥିଲେ। ତେବେ ଡାକ୍ତର ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବା ପରେ ନୂଆ ଡିଜିପି ନିଯୁକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଜୟ ଶର୍ମାଙ୍କୁ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗଲା ଏପ୍ରିଲ ୭ ତାରିଖରେ ଡାକ୍ତର ଆର‌୍‌ ପି. ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ବିୟୋଗ କାରଣରୁ ସେ ୨୦ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଥିଲେ। ସେହି ସମୟରେ ମଧ୍ୟ ବିଜୟ ଶର୍ମାଙ୍କୁ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର