ବିଜୟ ମହାପାତ୍ରଙ୍କ ଫେସ୍‌ବୁକ୍‌ ଲାଇଭ୍

ଭବିଷ୍ୟତ ରଣନୀତି ସଂପର୍କରେ ସ୍ପଷ୍ଟ କଲେନି, ମୁହଁ ଖୋଲିଲେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ

ଭୁବନେଶ୍ବର : ବିଜେପିରୁ ବିଜୟ ମହାପାତ୍ର ଇସ୍ତଫା ଦେବା ପରେ ତାଙ୍କର ଆଗାମୀ ରାଜନୈତିକ ପଦକ୍ଷେପ ନେଇ ଜୋରଦାର୍ ଚର୍ଚ୍ଚା ହେଉଛି। ଦିନକୁ ଦିନ ଚର୍ଚ୍ଚା ବଢ଼ୁଥିବାବେଳେ ବିଜୟ ମହାପାତ୍ର ଆଜି ଫେସ୍‌ବୁକ୍ ଲାଇଭ୍ ମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେଉଁ ନିର୍ଦ୍ଦିଷ୍ଟ ଦଳରେ ଯୋଗଦେବେ କି ନାହିଁ ସେନେଇ ଯଦିଓ ସ୍ପଷ୍ଟ କରିନାହାନ୍ତି, ବିଜେପି କାହିଁକି ଛାଡ଼ିଲେ ତାହା ବଖାଣିଛନ୍ତି। ୨୨ ମିନିଟ୍ ୫୨ସେକେଣ୍ଡ୍‌ର ଏହି ଭିଡ଼ିଓରେ ସେ ବିଜେପି ଛାଡ଼ିବାର କାରଣ ଠାରୁ ଆରମ୍ଭ କରି ନିଜର ଆଗାମୀ ପଦକ୍ଷେପ ନେଇ ଆଭାସ୍‌ ଦେଇଛନ୍ତି। ବର୍ତ୍ତମାନ ହେଉଥିବା ସମସ୍ତ ପ୍ରଚାର କେବଳ ଗୁଜବ ଓ ମିଛ ବୋଲି ସ୍ପଷ୍ଟ କରିଛନ୍ତି। ଡିସେମ୍ବର ଶେଷ ସୁଦ୍ଧା ସେ ଓ ଦିଲ୍ଲୀପ ରାୟ ସେମାନଙ୍କର ରାଜନୈତିକ ଭବି‌ଷ୍ୟତ ନେଇ ଘୋଷଣା କରିବେ ବୋଲି ବିଜୟ କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ ଦୁଇ ବର୍ଷ ଭିତରେ ଯେଉଁ ସବୁ ଅବସ୍ଥା ହେଲା ସେଥିରେ ଇସ୍ତଫା ଦେବା ଛଡ଼ା ଅନ୍ୟ କୌଣସି ରାସ୍ତା ନଥିଲା। ଆତ୍ମସମ୍ମାନ, ଆତ୍ମମର୍ଯ୍ୟାଦା ଓ ସ୍ବାଭିମାନକୁ ନେଇ ରାଜନୀତି କରୁଥିବା ବ୍ୟକ୍ତିଙ୍କୁ, ବିଶେଷକରି ମୋ ଭଳି ବ୍ୟକ୍ତି ପାଇଁ ଅସହ୍ୟ ହେଲା। ଏକ ଅପମାନଜନକ ଅବସ୍ଥା ସୃଷ୍ଟି କରାଗଲା। ଯେଉଁଥିପାଇଁ ରାଜନୈତିକ ନିଷ୍ପତ୍ତି ନିଆଗଲା। ସବୁ ଘଟଣାକୁ ସର୍ବସମ୍ମୁଖକୁ ଆଣିବା ପ୍ରାସଙ୍ଗିକ ନୁହେଁ । ମୁହଁ ଖୋଲିଲେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ ବୋଲି ବିଜୟ କହିଛନ୍ତି।

ଇସ୍ତଫା ଦେବା ପରେ ଓଡ଼ିଶାର ପ୍ରାୟ ୭/ ୮ଟି ଜିଲ୍ଲାର ରାଜନୈତିକ ବନ୍ଧୁମାନେ ଭେଟି ଆଲୋଚନା କରିଛନ୍ତି । ଦିଲ୍ଲୀପ ରାୟ ଆସିବା ପରେ ସମସ୍ତେ ପୁଣି ଏକାଠି ବସି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେବୁ। ମତ ସେଦିନ ଦେବି ଯେଉଁଦିନ ସାମୂହିକ ନିଷ୍ପତ୍ତି ହେବ। କୌଣସି ସଂକୀର୍ଣ୍ଣ ନିଷ୍ପତ୍ତି ନୁହେଁ। ଓଡ଼ିଶାର ପୁନଃନିର୍ମାଣ ପାଇଁ ଏହି ନିଷ୍ପତ୍ତି ହେବ। ଏହା ଓଡ଼ିଶାର ଆଗାମୀ ରାଜନୀତି ପାଇଁ ନିର୍ଣ୍ଣାୟକ ହେବ । ଓଡ଼ିଶାର ସ୍ୱାଭିମାନ ଓ ସାମୂହିକ ପ୍ରଗତି ମୁଖ୍ୟ ପ୍ରସଙ୍ଗ ରହିବ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଦୀର୍ଘ ୧୮ବର୍ଷ ଧରି ବହୁ କଷ୍ଟ, ଅତ୍ୟାଚାର ସହି ବହୁ ଲୋକ ରହିଛନ୍ତି। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ଭଳି ସାମୂହିକ ରାଜନୈତିକ ନିଷ୍ପତ୍ତି ନେବାକୁ ସେ ଯାଉଛନ୍ତି। ଯେଉଁଥିରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ୨୦୧୯ ନିର୍ବାଚନ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ହେବାକୁ ଯାଉଛି ଯାହା କେହି କେବେ ଆଶା କରିନଥିବେ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ସେ ଛଳନାପୂର୍ଣ୍ଣ ରାଜନୀତି କିମ୍ବା ସାଲିସ୍ ରାଜନୀତି କେବେ କରନ୍ତି ନାହିଁ, ପଦବି ପାଇଁ ନୁହେଁ ବରଂ ସାମୂହିକ ସ୍ୱାର୍ଥ ପାଇଁ ସେ ରାଜନୀତି କରୁଛନ୍ତି । ଯଦି ଟିକେ ସାଲିସ୍ କରିଥାନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହିପାରିଥାନ୍ତେ। ସେ ଓ ଦିଲ୍ଲୀପ ରାୟ ବିଜେପି ଛାଡ଼ିବାକୁ ନେଇ କିଛି ଲୋକ ନାନା କଥା ପ୍ରଚାର କରୁଛନ୍ତି। ଏହି ଲୋକମାନେ ସଂପୂର୍ଣ୍ଣ କଥା ଜାଣିନାହାନ୍ତି । ତାଙ୍କୁ ଅନେକ ସମୟରେ ଦଳ ଭିତରେ ଅପମାନିତ କରିବା ଭଳି ନିଷ୍ପତ୍ତି ନିଆଯାଇଛି। ଏବେ ସେସବୁ ଆଲୋଚନା କରିବା ସମୀଚୀନ ନୁହେଁ।

ମହାନଦୀ ପ୍ରସଙ୍ଗ, ଚାଷୀ ଆନ୍ଦୋଳନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସେ ଯେଭଳି ମୁହଁ ନଖୋଲିବେ ସେଥିପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର କରାଗଲା। କେନ୍ଦ୍ରୀୟ ନେତାଙ୍କୁ ଜଣାଇଲେ ମଧ୍ୟ ସେମାନେ ଚୁପ୍ ରହିଲେ । ଲୋକଙ୍କ ପାଇଁ କାର୍ଯ୍ୟକ୍ରମ ତୁଳନାରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ରକୁ ପ୍ରାଥମିକତା ମିଳିଲା। ଏକ ଅପମାନଜନକ ଅବସ୍ଥା ସୃଷ୍ଟି କରାଯିବାରୁ ସେ ଦଳ ଛାଡ଼ିବା ଭଳି ରାଜନୀତିକ ନିଷ୍ପତ୍ତି ନେଲେ। ତେବେ ସେ ସମସ୍ତ ଘଟଣାକୁ ଚାର୍ଜସିଟ୍ ଆକାରରେ ପ୍ରକାଶ କରିବାକୁ ଚାହୁଁନି।

ସେହିପରି ଦିଲ୍ଲୀପ ରାୟଙ୍କ ସିବିଆଇ ତଦନ୍ତ ସମ୍ପର୍କରେ ଶ୍ରୀ ମହାପାତ୍ର କହିଥିଲେ ଯେ ଦଳର ଜଣେ ବିଧାୟକ ଭାବେ ପ୍ରଧାନମନ୍ତ୍ରୀଙ୍କୁ ସେ ଅବଗତ କରାଇଥିଲେ। ତା’ଠୁ ଅଧିକ ପାଦେ ଯାଇ ଉକ୍ତ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ପଦର ଅମର୍ଯ୍ୟାଦା ହେବ। ସେ ସୀମାକୁ ଲଂଘନ କରିବାକୁ ଚାହୁଁନାହାନ୍ତି। କାରଣ ଅସୁନ୍ଦର ପରିସ୍ଥିତି ସୃଷ୍ଟି ହେବ। ସେମାନଙ୍କ ଦଳ ଛାଡ଼ିବାକୁ ନେଇ କିଛି ନେତା ଯେଭଳି ଅଭିଯୋଗ କରୁଛନ୍ତି ସେମାନେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି ଓ ତାହା ସତ୍ୟ ଆଧାରିତ ନୁହେଁ। ବିଜେପି ନେତାମାନେ ନିଜର ଅନୁଶୀଳନ,ଆତ୍ମସମୀକ୍ଷା ଓ ଆତ୍ମଚିନ୍ତନ କରିବା ଉଚିତ୍। ବିଜେପୁରରେ ଦଳ କାହିଁକି ୪୦ହଜାର ଭୋଟ ବ୍ୟବଧାନରେ ହାରିଲା ତାହାର ଅନୁଶୀଳନ ଚାରିକାନ୍ଥ ଭିତରେ ହେଲା, ଯେଉଁଥିପାଇଁ ଦଳ ତଳକୁ ତଳ ଗଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏବେ ପାଟକୁରା, ମହାକାଳପଡ଼ା ସମେତ ପୂରା କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୟ ମହାପାତ୍ର ବିରୋଧୀ ଅଭିଯାନ ଚାଲିଛି। ଆଗାମୀ ଲୋକସଭା ନିର୍ବାଚନ ଏକ ଗୁରତ୍ୱପୂର୍ଣ୍ଣ ନିର୍ବାଚନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର